ଦିଲ୍ଲୀ ବ୍ଲାଷ୍ଟ : ଅପରାଧରେ ଧାର୍ମିକ ଟାର୍ଗେଟ!

ଦିଲ୍ଲୀ ବିସ୍ଫୋରଣରେ ଆହତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଦୁଇ ଦିନିଆ ଭୂଟାନ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଆଜି ଭାରତ ଫେରିଛନ୍ତି। ଆଉ ଦିଲ୍ଲୀରେ ପହଞ୍ଚିବା ମାତ୍ରେ ସିଧାସଳଖ ବାହାରିଥିଲେ ଏଲଏନଜେପି ହସ୍ପିଟାଲକୁ। ସେଠାରେ ଆହତଙ୍କୁ ଭେଟିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସେମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ଡାକ୍ତର ଟିମ୍‌ ସହ ଆଲୋଚନା କରିଥିଲେ ମୋଦି। ସଂଧ୍ୟା ସାଢ଼େ ୫ଟାରେ ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ୍‌ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀ ବ୍ଲାଷ୍ଟ ପରେ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ମୋଦି। ଏ ପର୍ଯ୍ୟନ୍ତ ଆକ୍ସନ ନେଇ କଅଣ ଅପଡେଟ୍ ରହିଛି, ସେ ନେଇ ଗୋଟି ଗୋଟି କରି ବୁଝିଥିଲେ। ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ସୁରକ୍ଷା ଏଜେନ୍ସି ସହ ସମୀକ୍ଷା ପରେ ଏହାର ତଦନ୍ତ ଭାର ଏନଆଇଏକୁ ଦେଇଥିଲେ। ବିସ୍ଫୋରଣରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ, ସବୁଦିନ ଲାଗି ବିକଳାଙ୍ଗ ହୋଇଯାଇଥିବା ବ୍ୟକ୍ତିଙ୍କୁ ୫ଲକ୍ଷ ଓ ଆହତଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ କ୍ଷତିପୂରଣ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା। ଯେଉଁ କାରରେ ବିସ୍ଫୋରଣ ହେଲା, ସେ କାର୍ ଚଳାଉଥିବା ଆତଙ୍କି ଡାକ୍ତର ଉମରଙ୍କ ମାଆଙ୍କ ଡିଏନଏ ନମୂନା ସଂଗ୍ରହ କରାଯାଇଛି। ଯାଞ୍ଚ ଲାଗି ତାଙ୍କୁ ଏମ୍ସର ଫରେନସିକ୍ ଲ୍ୟାବକୁ ପଠାଯାଇଥିଲା। ଫରିଦାବାଦର ଅଲ ଫଲାହ ୟୁନିଭରସିଟିରେ ପଶିଛି ତଦନ୍ତ ଏଜେନ୍ସି। ଏହି ୟୁନିଭରସିଟିର ଲ୍ୟାବରେ ବିସ୍ଫୋରକ ତିଆରି ହେଉଥିବାର ଚର୍ଚ୍ଚା ହୋଇଥିଲା। ଟେରର ମଡ୍ୟୁଲ୍ ନେଇ ତନାଘନା ଚାଲିଛି। ଏହି ୟୁନିଭରସିଟିରୁ ପ୍ରାୟ ୬ ଜଣଙ୍କୁ ଉଠାଇନେଇଛି ଏନଆଇଏ। ୟୁନିଭରସିଟି ଭିସି କହିଛନ୍ତି, କ୍ୟାମ୍ପସକୁ କୌଣସି କେମିକାଲ ଆଣିବା ତଥା ବିସ୍ଫୋଟକର ତିଆରି କଥା ମିଛ। ଏପରିକି ଗିରଫ ହୋଇଥିବା ଦୁଇ ଡାକ୍ତର ଓ ମୁଖ୍ୟ ସନ୍ଦିଗ୍ଧଙ୍କ ସହ ୟୁନିଭରସିଟି ସହ କୌଣସି ସମ୍ପର୍କ ନାହିଁ। ସେମାନେ ଏଠାରେ କେବଳ ନିଜର ଅଧିକାରୀକ ସ୍ୱୀକୃତି ବଳରେ କାମ କରୁଥିଲେ। ୟୁନିଭରସିଟିର ଲ୍ୟାବ୍‌ କେବଳ ଏମବିବିଏସ ଛାତ୍ରଙ୍କ ଲାଗି ବ୍ୟବହାର ହୁଏ। ସଂଖ୍ୟାଲଘୁ ଅନୁଷ୍ଠାନକୁ ଏଭଳି ଭାବେ ବଦନାମ କରାନଯାଉ। ଦିଲ୍ଲୀ ବିସ୍ଫୋରଣରେ ଗିରଫ ହୋଇଥିବା ୧୨ଜଣଙ୍କ ଭିତରେ ଅଛନ୍ତି ୬ ଡାକ୍ତର। ଡାକ୍ତର ସାହିନି ସାହିଦ ଓ ତାଙ୍କ ଭାଇ ପରଭେଜ ସାହିଦ ଏମାନଙ୍କ ଭିତରେ ସାମିଲ୍। ସାହିନିଙ୍କ ବାପା ସୟେଦ ଅହମ୍ମଦ ଅନସାରି କହିଛନ୍ତି, ତାଙ୍କର ୩ଟି ସନ୍ତାନ। ସାହିନି ଦ୍ୱିତୀୟ ଓ ପରଭେଜ ସାନ। ସାହିନି ଏମବିବିଏସ ସାରି ଆହ୍ଲାବାଦ ମେଡିକାଲ କଲେଜରୁ ସ୍ପେଶିଆଲିଟି ଥିଲେ। ସାହିନିଙ୍କ ପୂର୍ବତନ ସ୍ୱାମୀ ଡାକ୍ତର ଜାଫର ହୟାତ କହିଛନ୍ତି, ୧୨ ବର୍ଷ ତଳୁ ଉଭୟଙ୍କ ଭିତରେ ଛାଡ଼ପତ୍ର ହୋଇସାରିଛି। ସାଇନି କେବେ ବି ବୁର୍ଖା ପିନ୍ଧନ୍ତିନି। ଧାର୍ମିକ ପ୍ରତିବନ୍ଧକ ବିରୋଧୀ ଥିଲେ। ସାଇନି  ଅନେକ ସମୟରେ ୟୁରୋପକୁ ଚାଲିଯିବାକୁ ଚାପ ପକାଇଆସୁଥିଲେ। ଆଉ ଦିନେ ଛାଡ଼ିକି ଚାଲିଗଲେ। କୌଣସି ବିବାଦ ନଥିଲା। ତଦନ୍ତ ଏଜେନ୍ସି କହିଛି, ସାଇନି ଜୈସ-ଏ-ମହମ୍ମଦ ସଂଗଠନର ମହିଳା କମାଣ୍ଡର ଥିଲେ।ଏହି ବିସ୍ଫୋରଣ ମାମଲାରେ ନିରପେକ୍ଷ ତଦନ୍ତ ଜରୁରୀ। ଶ୍ରୀନଗରରେ ପିଡିପି ମୁଖ୍ୟ ମେହେବୁବା ମୁଫତି କହିଛନ୍ତି, ଏଭଳି ଘଟଣାରେ ଯେଉଁମାନଙ୍କ ଜୀବନ ଯାଇଛି ତାହା ବହୁ କଷ୍ଟଦାୟକ। କିନ୍ତୁ ଏହାଠୁ ବ୍ୟଥିତ କରୁଛି, ଏ ଘଟଣା ପଛରେ ମୁସଲିମ ସମ୍ପ୍ରଦାୟ ନିନ୍ଦିତ ହୋଇଛି। ଜମ୍ମୁକଶ୍ମୀର ଅପବାଦ ସହୁଛି। ଶିକ୍ଷିତ ଡାକ୍ତରଙ୍କ ସଂପୃକ୍ତି କେତେ ସତ, ତାହା ସଠିକ୍ ତଦନ୍ତ କରାଯାଉ ବୋଲି ଅପିଲ୍ କରିଛନ୍ତି ମେହେବୁବା ମୁଫତି। ଏଯାଏ ସଂପୃକ୍ତିର ପ୍ରମାଣ ହୋଇନି। ସନ୍ଦିଗ୍ଧଙ୍କୁ ଦୋଷୀ ଭାବି ସେମାନଙ୍କ ସହ ଜୁଲୁମ କରାନଯାଉ କି ପରିବାରକୁ ହଇରାଣ କରାନଯାଉ। ସଂଖ୍ୟାଲଘୁଙ୍କୁ ଅଯଥା ଟାର୍ଗେଟ କରାଯାଉଛି ବୋଲି ସପା ନେତା ଅବୁ ଆଜମି କହିଛନ୍ତି। ଏହାର ସତ୍ୟତା ପଦାକୁ ଆସିବା ଜରୁରୀ। ନିଜର ବିଫଳତାକୁ ଲୁଚାଇବାକୁ ନିରୀହ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରନ୍ତୁନି ସରକାର। ତଦନ୍ତକାରୀ ସଂସ୍ଥା ତଦନ୍ତରେ ଧର୍ମକୁ କାହିଁକି ଟାଣୁଛି। ପଲିଟିକ୍ସ ଆଗ ନା ରାଷ୍ଟ୍ରୀୟ ସୁରକ୍ଷା ଆଗ ବୋଲି ପଚାରିଛି କଂଗ୍ରେସ। ଦିଲ୍ଲୀ ବିସ୍ଫୋରଣକୁ ନେଇ ଯେତିକି ତନାଘନା ଜାରି ରହିଛି। ସେତିକି ରାଜନୀତି ବି ଚାଲିଛି। କିଏ ଷଡ଼ଯନ୍ତ୍ରକାରୀ, କିଏ ମାଷ୍ଟରମାଇଣ୍ଡ। ତାହାର ଚେରକୁ ଖୋଜିବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *