ଦିଲ୍ଲୀର ଲାଲକିଲ୍ଲା ପାଖରେ ହୋଇଥିବା ବିସ୍ଫୋରଣ ଥିଲା ଆତଙ୍କବାଦୀ ଆକ୍ରମଣ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ବସିଥିବା କ୍ୟାବିନେଟ୍ ସୁରକ୍ଷା କମିଟି ଲାଲକିଲ୍ଲା ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ କହି ଆତଙ୍କବାଦ ବିରୁଦ୍ଧରେ ଭାରତର ଶୂନ୍ୟସହନଶୀଳତା ନୀତିକୁ ଦୋହରାଇଛି। ଏନଆଇଏ ତଦନ୍ତ କରି ଏହାର ଚେରକୁ ବାହାର କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ୟୁଏସ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓ କହିଛନ୍ତି, ଲାଲକିଲ୍ଲା ବିସ୍ଫୋରଣ ଆତଙ୍କୀ ଆକ୍ରମଣ ବୋଲି ସ୍ପଷ୍ଟ ହୋଇଛି। ତଦନ୍ତ କରି ଏହାର ଖିଅକୁ ଧରିବାରେ ଭାରତ ବେଶ୍ ସକ୍ଷମ। ଭାରତର କାମ ବେଶ୍ ପ୍ରଶଂସନୀୟ। ତେବେ ଏହି ଘୋଷଣା ପଛରେ ଆଧାର ବି ସ୍ପଷ୍ଟ ହେବାରେ ଲାଗିଛି। ୪ ସହରରେ ୩୨ ଗାଡ଼ିରେ ସିରିଜ୍ ବିସ୍ଫୋରଣ କରି ଦେଶକୁ ଦୋହଲାଇବାକୁ ହୋଇଥିଲା ବଡ଼ ପ୍ଲାନ୍। ଏହାକୁ ସାକାର କରିଥାଆନ୍ତେ ୮ ଆତଙ୍କବାଦୀ। ଏମାନଙ୍କ ଟାର୍ଗେଟରେ ଥିଲା ଲାଲକିଲ୍ଲା, ଇଣ୍ଡିଆ ଗେଟ୍, କନଷ୍ଟିଚ୍ୟୁସନ କ୍ଲବ ଓ ଗୌରୀଶଙ୍କର ମନ୍ଦିର। ଦେଶର ବିଭିନ୍ନ ରେଳଷ୍ଟେସନ ଓ ସପିଂ ମଲକୁ ବି ଟାର୍ଗେଟ କରିଥିଲେ। ସିରିଜ୍ ବ୍ଲାଷ୍ଟ ପାଇଁ ୨୦ଲକ୍ଷ ନଗଦ ରାଶି ଏକାଠି କରିଥିଲେ। ଅଭିଯୁକ୍ତ ଡାକ୍ତର ମୁଜାମିଲ୍, ଡାକ୍ତର ଆଦିଲ, ଉମର ଓ ସାହିନି ଏହି ଟଙ୍କା ଯୋଗାଡ଼ କରିଥିଲେ। ଏ ଟଙ୍କା ଉମରକୁ ଦିଆଯାଇଥିଲା। ଉମର ସିଗନାଲ ଆପ୍ ରେ ବିଭିନ୍ନ ଗ୍ରୁପ୍ କରିଥିଲା। ଆଇଇଡି ତିଆରି ପାଇଁ ୩ ଲକ୍ଷ ଟଙ୍କାରେ ୨୦ କ୍ୱିଣ୍ଟାଲ୍ରୁ ଅଧିକ ନାଇଟ୍ରୋଜେନ୍, ଫସଫରସ ଓ ପୋଟାସିୟମ କିଣାଯାଇଥିଲା। ଏମିତିରେ ଉମର ଓ ମୁଜାମିଲ୍ ଭିତରେ ଟଙ୍କାକୁ ନେଇ ବିବାଦ ଥିଲା। ଦିଲ୍ଲୀ ବିସ୍ଫୋରଣରେ ସାମିଲ୍ ଥିଲା ଦୁଇଟି କାର୍। ହରିଆଣା ନମ୍ୱର ଥିବା କାରରେ ଥିଲା ଉମର। ଯାହା ବିସ୍ଫୋରଣ ହୋଇଥିଲା। ଆଉ ଅନ୍ୟ କାର ଲାଲ୍ ରଙ୍ଗର ଇକୋସ୍ପୋର୍ଟ କାର୍ ଥିଲା। ଯାହା ଦିଲ୍ଲୀ ନମ୍ୱର। ଫରିଦାବାଦର ଖନ୍ଦାଓ୍ୱାଲି ଗାଁରୁ ଲାଲ୍ ଇକୋସ୍ପୋର୍ଟସ କାରକୁ ଜବତ କରାଯାଇଛି। ଯାହା ଇଦଗାହ ପଛରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏ ଦୁଇଟି କାରରେ ଆତଙ୍କବାଦୀ ଏକାସାଙ୍ଗରେ ଦିଲ୍ଲୀରେ ପହଞ୍ଚିଥିଲେ ଓ ଚାନ୍ଦିନୀଚୌକ ପାର୍କିଂରେ ଏକାଠି ରହିଥିଲେ। ଦିଲ୍ଲୀ ପୁଲିସ ରାଡାରରେ ଏବେ ଏହି ଲାଲ କାରରେ କିଏ ଆସିଥିଲେ। ସେପଟେ ଅଲଫଲାହ ୟୁନିଭରସିଟି ଅଭିଯୁକ୍ତ ୩ ଡାକ୍ତର ମୁଜାମିଲ୍ ଶକିଲ, ସାହିନି ସାହିଦ୍ ଓ ଉମର ନବୀଙ୍କ ସହ କେବଳ ପ୍ରଫେସନାଲ ସମ୍ପର୍କ ଥିଲା କହି ଯେତେ ଦୋଷ ଝାଡ଼ିଲେ ବି ତଦନ୍ତ ଏଜେନ୍ସିର ରାଡାରରୁ ବାହାରିପାରିନି। କ୍ୟାମ୍ପସର ୭୦ ଏକରକୁ ଛାନଭିନ୍ କରିଛି ଏଜେନ୍ସି। ଶିକ୍ଷା ଆଳରେ ଧାର୍ମିକ କଟ୍ଟରପନ୍ଥୀଙ୍କ ସେଣ୍ଟର ସାଜିଛି ଅଲଫଲାହ ୟୁନିଭରସିଟି ବୋଲି ଆରୋପ ଲାଗିଛି। ସାହିନି ଓ ଉମରଙ୍କ କ୍ୟାରିଅରରେ ପୂର୍ବରୁ ଦାଗ ଲାଗିସାରିଥିଲା। ଡାକ୍ତର ନିସାର ଉଲ ହାସନଙ୍କ କ୍ୟାରିଅର ବି ବିବାଦରେ ଥିଲା। ଉମରଙ୍କୁ ଜମ୍ମୁକଶ୍ମୀରର ଏକ ମେଡିକାଲ କଲେଜରୁ ରେଡିକ୍ଲାଇଜେସନ ପାଇଁ ବିଦା କରାଯାଇଥିଲା। ୨୦୨୩ରେ ଡାକ୍ତର ନିସାରଙ୍କୁ ଜମ୍ମୁକଶ୍ମୀର ଉପରାଜ୍ୟପାଳ ଆତଙ୍କବାଦୀଙ୍କ ସହ ସମ୍ପର୍କ କାରଣରୁ ଚାକିରୀରୁ ବରଖାସ୍ତ କରିଥିଲେ। ସାହିନି ସାହିଦି ଅନେକ ବର୍ଷ ଧରି କାନପୁର ମେଡିକାଲ କଲେଜରେ ଅନୁପସ୍ଥିତି ଲାଗି ବିଦା କରାଯାଇଥିଲା। ତେବେ ଏମାନଙ୍କ ବ୍ୟାକଗ୍ରାଉଣ୍ଡ ଚେକ୍ ନ କରି ୩ଜଣଙ୍କୁ ଅଲଫଲାହ ୟୁନିଭରସିଟି କେମିତି ଚାକିରୀରେ ରଖିଥିଲା।ଅଭିଯୁକ୍ତ ଡାକ୍ତର ଉମରଙ୍କ ମୃତ୍ୟୁ ପୁଷ୍ଟି ହୋଇଛି। କାରଣ ତାଙ୍କ ମାଆର ଡିଏନଏ ନମୂନା ଶତ ପ୍ରତିଶତ ମ୍ୟାଚ୍ କରିଛି। ଡାକ୍ତର ଉମରର ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ସୋମବାର ସଂଧ୍ୟାରେ ବିସ୍ଫୋରଣ କରିବା ପୂର୍ବରୁ ସନ୍ଦିଗ୍ଧ ଉମର ତୁର୍କମ୍ୟାନ୍ ଗେଟ୍ ପାଖରେ ମସଜିଦ୍ ପାଖରେ ବୁଲୁଥିବା ଦେଖିବାକୁ ମିଳିଛି। ସେପଟେ ଏହା ଆତଙ୍କବାଦୀ ହମଲା ବୋଲି ଭାରତ ସରକାର ସ୍ପଷ୍ଟ କରିବା ପରେ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ସରକାର ନିଜର ବିଫଳତାକୁ ଲୁଚାନ୍ତୁନି ବୋଲି ଆରୋପ ଲଦିଥିବା ପିଡିପି, କଂଗ୍ରେସ ଦଳକୁ ଟାର୍ଗେଟ କରିଛି ଶାସକ ବିଜେପି। ମୁସଲମାନଙ୍କୁ ଅପରାଧୀ ସଜାଇବା ଚକ୍ରାନ୍ତ ସରକାର ବନ୍ଦ କରନ୍ତୁ ବୋଲି ବିରୋଧୀ ଅପିଲ୍ କରିଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now