ଗାଳି କରିବାରୁ ମର୍ଡର କରିଦେଲା ଚାକର। ମା ଓ ପୁଅକୁ ନିର୍ମମ ହତ୍ୟା କରିଛି। ଦିଲ୍ଲୀ ଡବଲ ମର୍ଡର ମାମଲାକୁ ନେଇ ସବୁଠି ହଇଚଇ। ଦିଲ୍ଲୀର ଲାଜପତ ନଗରରେ ହୋଇଛି ଡବଲ ମର୍ଡର। ଘରର କବାଟ ବାହାରୁ ବନ୍ଦ ଥିବାରୁ ଲୋକେ ପୁଲିସକୁ ଫୋନ୍ କରିଥିଲେ। ଆଉ ପୁଲିସ କବାଟ ଭାଙ୍ଗି ଦେଖିଲା ଯେ, ମହିଳାଙ୍କ ଶବ ବେଡରୁମରେ ପଡ଼ିଛି। ଆଉ ତାଙ୍କ ପୁଅର ଶବ ବାଥରୁମରେ ପଡ଼ିଥିଲା। ଉଭୟଙ୍କ ରକ୍ତ ଜୁଡୁବୁଡ଼ୁ ଶବ ପଡ଼ିଥିଲା। ବୁଧବାର ବିଳମ୍ୱିତ ରାତିରେ ଏ ଘଟଣା ଘଟିଛି। ହତ୍ୟାକାଣ୍ଡ ବେଳେ ମହିଳାଙ୍କ ସ୍ୱାମୀ କୁଲଦୀପ ଘରେ ନଥିଲେ। ମୃତକ ହେଲେ ୪୨ ବର୍ଷୀୟା ରୁଚିକା ଓ ତାଙ୍କ ୧୪ ବର୍ଷର ପୁଅ କୃଷ। କୁଲଦୀପ ଯେତେବେଳେ ଘରେ ପହଞ୍ଚିଥିଲେ, ଦେଖିଲେ ଯେ ଘରର କବାଟ ବନ୍ଦ ରହିଛି। ଆଉ ସିଡ଼ିରେ ରକ୍ତଛିଟା ଲାଗିଛି। ପୁଲିସକୁ ଫୋନ କରି ଅବଗତ କରାଇବା ପରେ ପୁଲିସ କବାଟ ଭାଙ୍ଗି ଶବକୁ ଜବତ କରିଛି। ଶବବ୍ୟବଛେଦ ଲାଗି ପଠାଇସାରିଛି। ସେପଟେ ଅଭିଯୁକ୍ତ ଚାକର ମୁକେଶକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ମୁକେଶ କହିଛି ଯେ, ତାକୁ ମାଲିକାଣୀ ଗାଳି ଦେବାରୁ ସେ ଏଭଳି କଲା। ମାଆ ପୁଅଙ୍କର ଗଳାକାଟି ମାରିଦେଲା। ମୁକେଶର ଘର ବିହାର। ସେ କୁଲଦୀପଙ୍କ ଘରେ ଡ୍ରାଇଭର କାମ କରିବା ସହ କପଡ଼ା ଦୋକାନରେ ହେଲପର ଭାବେ ସେବା କରୁଥିଲା। ହତ୍ୟା କରିବା ପରେ ଫେରାର୍ ହୋଇଯାଇଥିଲା ମୁକେଶ। ସିସିଟିଭି ଫୁଟେଜ୍ ଚେକ୍ କରିବା ସହ ଅଭିଯୁକ୍ତର ଲୋକେସନ ରେଲଓ୍ୱେ ଷ୍ଟେସନରେ ପାଇଥିଲା ପୁଲିସ। ମୁକେଶ ଟ୍ରେନରେ ବିହାର ପଳାଇବାକୁ ବାହାରିଥିଲା। ମୁକେଶକୁ ଧରିବାକୁ ରେଲଓ୍ୱ ପୁଲିସ, ଦିଲ୍ଲୀ ପୁଲିସ ଓ ୟୁପି ପୁଲିସ ମିଳିତ ଭାବେ ଅପରେସନ ଆରମ୍ଭ କରିଥିଲେ। ବିହାର ଯାଉଥିବା ଟ୍ରେନରେ ଫେରାର୍ ହେବାକୁ ବସିଥିଲା ବେଳେ ଦିନଦୟାଲ ଉପାଧ୍ୟାୟ ରେଲଓ୍ୱେ ଜଂକସନରୁ ପୁଲିସ କାବୁ କରିନେଇଥିଲା। ଦିଲ୍ଲୀ ଡବଲମର୍ଡରକୁ ନେଇ ରାଜନୀତି ବି ତେଜ୍ ହୋଇଛି। ଦିଲ୍ଲୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ବୋଲି କହିଛି ଆପ୍। ଆଇନଶୃଙ୍ଖଳା ନିୟନ୍ତ୍ରଣ, ପ୍ରଦୂଷଣ ରୋକିବା ବଦଳରେ ବେକାର କାମରେ ମାତିଛି ବିଜେପି ସରକାର। ଅପରାଧୀ ହାତରେ ଲୋକଙ୍କୁ ମାରିବାର କାମରେ ଲାଗିଛି ବିଜେପି। ଦିଲ୍ଲୀ ପୁଲିସ ଭିଆଇପି ସୁରକ୍ଷାରେ ମାତିଛି। ଶାସକ ଦଳ କହିଛି, ଅଭିଯୁକ୍ତକୁ ଗିରଫ କରାଯାଇଛି। ଆପ୍ ତୁଛା ରାଜନୀତିରେ ମାତିଛି।ଦିଲ୍ଲୀ ଡବଲମର୍ଡର। ସାମାନ୍ୟ ଗାଳିରୁ ଏତେବଡ଼ କାଣ୍ଡ ଭିଆଇଦେଲା ଚାକର ମୁକେଶ। ଯାହାକୁ ନେଇ ସମସ୍ତେ ସ୍ତବ୍ଧ।


Naxatra News is now on Whatsapp
Join and get latest news update delivered to you via whatsapp
Join Now