ବିହାରର ୪ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ଏନକାଉଣ୍ଟର। ଏମାନେ ମୋଷ୍ଟ ଓ୍ୱାଣ୍ଟେଡ୍ ଥିଲେ। ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ଓ ବିହାର ପୁଲିସର ଜଏଣ୍ଟ ଅପରେସନରେ ୪ ଗ୍ୟାଙ୍ଗଷ୍ଟର ସଫା ହୋଇଗଲେ। ଦିଲ୍ଲୀର ରୋହିଣୀରେ ଏହି ଏନକାଉଣ୍ଟର ହୋଇଥିଲା। ବିଳମ୍ୱିତ ରାତିରେ ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଗ୍ୟାଙ୍ଗଷ୍ଟର ହେଲେ ରଞ୍ଜନ ପାଠକ, ବିମଳେଶ ମହାତୋ, ମନିଷ ପାଠକ ଓ ଅମନ ଠାକୁର। ବାହାଦୂର ଶାହା ମାର୍ଗରେ ଏହି ଏନକାଉଣ୍ଟର ହୋଇଛି। ଏହି ୪ ଅପରାଧୀ ବିହାରରେ ଅନେକ ଜଘନ୍ୟ ହତ୍ୟାକାଣ୍ଡ, ଡକାୟତି ମାମଲାରେ ସଂପୃକ୍ତ ଥିଲେ। ଅମନ ଠାକୁରକୁ ଛାଡ଼ିଦେଲେ ବାକି ୩ ଗ୍ୟାଙ୍ଗଷ୍ଟର ବିହାରର। ଅମନ ଠାକୁରର ଘର ଦିଲ୍ଲୀର କରାବଲ ନଗରରେ। ବିହାର ନିର୍ବାଚନ ପୂର୍ବରୁ କୌଣସି ବଡ଼ ହିଂସା ଷଡ଼ଯନ୍ତ୍ରକୁ ସାକାର କରିବାକୁ ଯୋଜନା କରିଥିଲେ ଏମାନେ। କିନ୍ତୁ ତା ପୂର୍ବରୁ ସବୁଦିନ ଲାଗି ଏମାନଙ୍କୁ ରାସ୍ତାରୁ ହଟାଇଦେଇଛି ପୁଲିସ। ବିହାରର କୁଖ୍ୟାତ ଗ୍ୟାଙ୍ଗ ସିଗମା ଗ୍ୟାଙ୍ଗର ଏମାନେ ସଦସ୍ୟ ଥିଲେ। ଏହି ୪ ଅପରାଧୀଙ୍କ ଉପରେ ହତ୍ୟା, ଲୁଟ୍, ଦାଦାବଟି, ଅପହରଣ ଭଳି ସଙ୍ଗୀନ ମାମଲା ରହିଥିଲା। ଗ୍ୟାଙ୍ଗର ଲିଡର ଥିଲା ରଞ୍ଜନ ପାଠକ। ବିହାର ଅପରାଧ ଜଗତର ଜଣାଶୁଣା ନାଁ ହେଉଛି ରଞ୍ଜନ। ୨୫ ବର୍ଷୀୟ ରଞ୍ଜନର ଘର ବିହାରର ସୀତାମାଢ଼ିରେ। ସୀତାମାଢ଼ିରେ ଏକ ହାଇ ପ୍ରୋଫାଇଲ ମର୍ଡର ପରେ ଗଣମାଧ୍ୟମକୁ ନିଜର କ୍ରିମିନାଲ୍ ବାୟୋଡାଟା ପଠାଇଥିଲା ରଞ୍ଜନ। ଏହାର ଉଦେଶ୍ୟ ଥିଲା କି, ଲୋକଙ୍କ ଭିତରେ ତା ପ୍ରତି ଭୟ ଓ ପରିଚୟ ସୃଷ୍ଟି କରିବା। ବିହାର ପୁଲିସ ଅନୁସାରେ, ନିକଟରେ ଏହି ଗ୍ୟାଙ୍ଗର ଏକ ଅଡ଼ିଓ କଲ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ରଞ୍ଜନ ନିଜ ଗ୍ୟାଙ୍ଗ ସହ ମିଶି ବିହାର ନିର୍ବାଚନ ପୂର୍ବରୁ ବଡ଼ ଧରଣର ହତ୍ୟାକାଣ୍ଡ ଭିଆଇବାକୁ ଯୋଜନା କରୁଥିଲା। ବିମଳେଶ ଥିଲା ରଞ୍ଜନର ଡାହାଣ ହାତ। ଅମନ ଠାକୁର ଦିଲ୍ଲୀରେ ରହି ଏହି ଅପରାଧୀଙ୍କୁ ଲଜିଷ୍ଟିକ ସପୋର୍ଟ ଦେଉଥିଲା। ସିଗ୍ମା ଗ୍ୟାଙ୍ଗର କ୍ରାଇମ କୁଣ୍ଡଳୀ ସିଗମା ଆଣ୍ଡ କମ୍ପାନୀ ନାଁରେ ବିହାର-ନେପାଳ ସୀମା ଯାଏ ନିଜର ଗତିବିଧି ଜାରି ରଖିଥିଲା। ରଞ୍ଜନ ଏହାର ମାଷ୍ଟରମାଇଣ୍ଡ ଥିଲା। ଗ୍ୟାଙ୍ଗର ସଦସ୍ୟ ବିହାର, ଝାଡ଼ଖଣ୍ଡ ଓ ୟୁପିରେ ସୁପାରି କିଲିଂ, ହତିଆର ସପ୍ଲାଏ, ଦାଦାବଟି ଆଦାୟରେ ଲିପ୍ତ ଥିଲେ। ଏହି ଏନକାଉଣ୍ଟରକୁ ନେଇ ରାଜନୀତିକ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now