କାଶୀପୁର ମୌଜାର ୬୪୫ ଡିସିମିଲ୍ ପରିମିତ ମନ୍ଦିର ଜମିକୁ ରେଜିଷ୍ଟ୍ରେସନ ଜାଲିଆତିରେ ଆରମ୍ଭ ହେବ ବିଭାଗୀୟ କାର୍ଯାନୁଷ୍ଠାନ। ସତ୍ତ୍ୱ କେଳେଙ୍କାରୀକୁ କେମିତି ଜାଣିପାରିଲେନି ଖଣ୍ଡଗିରି ସବରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼। ମୁଖ୍ୟ କିରାଣୀ ଭିକାରୀ ଚରଣ ପୃଷ୍ଟି ଓ କିରାଣୀ ଉମେଶ ଚନ୍ଦ୍ର ଦାସ କେମିତି ଦଲିଲକୁ ଠିକ୍ ଭାବେ ଅନୁଧ୍ୟାନ କରିନଥିଲେ। କାହିଁକି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଭୂଲେଖରେ ଜମିର ସତ୍ତ୍ୱ ବାସ୍ତବରେ କଅଣ ଅଛି, ତଦାରଖ କଲେନି। ଭୂଲେଖରୁ ତଦନ୍ତ ନ କରି ଦୁଇ କିରାଣୀ ଯାହା ଦଲିଲ୍ ବଢ଼ାଇଦେଲେ, ତାକୁ ଆଖିକାନ ବୁଜି ମୋହର ମାରିଦେଲେ କେମିତି ଅର୍ଚ୍ଚନା। ଏହାକୁ ନେଇ ରାଜସ୍ୱ ବିଭାଗ ଏବେ ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯାନୁଷ୍ଠାନ ଲାଗି ଖୋର୍ଦ୍ଧା ରେଜିଷ୍ଟ୍ରାର ତଥା ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛି। ଅତିରିକ୍ତ ସଚିବ ଦିଗନ୍ତ ରାଉତରାୟ ଏହି ମର୍ମରେ ଚିଠି ଲେଖି ପ୍ରୋସିଡିଂ ଆଗେଇବାକୁ କହିଛନ୍ତି। ଏହା ସହ ହେଡ୍ କ୍ଲର୍କ ଭିକାରୀ ଚରଣ ପୃଷ୍ଟି ଓ କିରାଣୀ ଉମେଶ ଚନ୍ଦ୍ର ଦାଶଙ୍କ ବିରୁଦ୍ଧରେ ବିଭାଗୀୟ ପ୍ରୋସିଡିଂ ଲାଗି ନିର୍ଦେଶ ଦେଇଛି ରାଜସ୍ୱ ବିଭାଗ। ଯେହେତୁ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସ ସବୁବେଳେ ଭିଡ଼। ଆଉ ସବ-ରେଜିଷ୍ଟ୍ରାରଙ୍କ ଉପରେ କାମର ଚାପ ଅଧିକ ରହିଛି। ସେଥିଲାଗି ଏଭଳି ରେଜିଷ୍ଟ୍ରେସନ ଜାଲିଆତିରେ ଅର୍ଚ୍ଚନାଙ୍କ ତୃଟିକୁ ସୁପରଭାଇଜୋରି ଅବହେଳା ବୋଲି ବିବେଚନା କରାଯାଇଛି। ଯାହାଙ୍କର ଏ କେଳେଙ୍କାରୀରେ ସିଧା ସଂପୃକ୍ତି କୁହାଯାଇପାରିବନି। କିନ୍ତୁ ଦୁଇ କିରାଣୀ ଉମେଶ ଚନ୍ଦ୍ର ଦାଶ ଓ ଭିକାରୀ ଚରଣ ପୃଷ୍ଟିଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ନିର୍ଦେଶ ଦେବା ସହ ଅର୍ଚ୍ଚନାଙ୍କ ବିରୁଦ୍ଧରେ ବି ଶୃଙ୍ଖଳାଗତ କାର୍ଯାନୁଷ୍ଠାନ କରିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଡ୍ରାଫ୍ଟ ଚାର୍ଜ ସହ ସମସ୍ତ ତୃଟିଗତ ତଥ୍ୟ ଅର୍ଚ୍ଚନାଙ୍କ ବିରୁଦ୍ଧରେ ବିଭାଗକୁ ଦେବାକୁ ଏଡିଏମ ଖୋର୍ଦ୍ଧା ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ନିର୍ଦେଶ ଦେଇଛନ୍ତି ଅତିରିକ୍ତ ସଚିବ ଦିଗନ୍ତ ରାଉତରାୟ।
Naxatra News is now on Whatsapp
Join and get latest news update delivered to you via whatsapp
Join Now