ଧର୍ମସ୍ଥଳରେ ସାମୂହିକ ଶବସତ୍କାର, ଯୌନ ଉତ୍ପୀଡ଼ନ- ଏସଆଇଟି ଆରମ୍ଭ କଲା ଛାନଭିନ୍

କର୍ଣ୍ଣାଟକ ଧର୍ମସ୍ଥଳରେ ସାମୂହିକ ଶବ ପୋତା ଘଟଣାରେ ଚାରିଆଡ଼େ ହଇଚଇ ଖେଳିଛି। ଜଣେ ପୂର୍ବତନ ସଫେଇ କର୍ମଚାରୀ ୧୯୯୮ରୁ ୨୦୧୪ ଭିତରେ କର୍ଣ୍ଣାଟକର ମନ୍ଦିର ମାଳିନୀ ସହର ଧର୍ମସ୍ଥଳରେ ଶହ ଶହ ଶବ ପୋତା ଓ ଯୌନ ଉତ୍ପୀଡନର ଆରୋପ ଲଗାଇଛନ୍ତି। ଏହାକୁ ନେଇ ଜନତାଙ୍କ ଭିତରେ ଆକ୍ରୋଶ ଚରମସୀମାରେ ପହଞ୍ଚିଛି। ଅଭିଯୋଗ, ପ୍ରମାଣ ଓ ନୂଆ ଆରୋପ ପରେ ରାଜ୍ୟ ସରକାର ଏସବୁ ଦାବିରେ କେତେ ସତ୍ୟତା ଅଛି, ତାହାର ତଦନ୍ତ ଲାଗି ଏସଆଇଟି ଗଠନ କରିଛନ୍ତି। ଏ ସମ୍ପର୍କରେ ଏତଲା ରୁଜୁ ସହ କଙ୍କାଳର ଅବଶେଷ ଅଦାଲତରେ ହାଜର କରାଯାଇଛି। ମହିଳା ଓ ନାବାଳିକାଙ୍କୁ ଯୌନଅତ୍ୟାଚାର ହେଉଥିଲା। ୧୬ ବର୍ଷ ଧରି ଏମାନଙ୍କ ଅନ୍ତିମ ସଂସ୍କାର କରିବାକୁ ଅଭିଯୋଗକାରୀ ସଫେଇ କର୍ମଚାରୀଙ୍କୁ ବାଧ୍ଯ କରାଯାଉଥିଲା। ୨୦୦୩ରେ ଜଣେ ମହିଳାଙ୍କ ନିଖୋଜ ନେଇ ଏତଲା ପରେ ସରକାର ଏସଆଇଟି ଗଠନ କରିଛନ୍ତି। ଜୁନ୍ ୨୨ରେ ଏ ଘଟଣା ପଦାକୁ ଆସିଥିଲା। ଆଇନଜୀବି ଔଜସ୍ୱୀ ଗୌଡ଼ା ଓ ସଚିନ ଦେଶପାଣ୍ଡେ ଏହି ପୂର୍ବତନ ସଫେଇ କର୍ମଚାରୀଙ୍କୁ ଭେଟିଥିଲେ। ଯିଏ ଦାବି କରିଥିଲେ ଧର୍ମସ୍ଥଳରେ ଥିବା କବରକୁ ସେ ଚିହ୍ନଟ କରିପାରିବେ। ଆଉ ଏହା ସହ ଜଡ଼ିତ କଥିତ ଅପରାଧକୁ ଉଜାଗରରେ ସାହାଯ୍ୟ କରିବାକୁ ଇଛାପ୍ରକାଶ କରିଥିଲେ। ଜୁନ୍ ୨୭ରେ ବେଙ୍ଗାଲୁରୁସ୍ଥିତ ଏକ ଓକିଲ ପ୍ରତିନିଧି ଦଳ ଦକ୍ଷିଣ କନ୍ନଡ଼ ପୁଲିସ ଏସପିଙ୍କୁ ଭେଟି ଏହାର ଔପଚାରିକ ତଦନ୍ତ ଲାଗି ଅନୁରୋଧ କରିଥିଲେ। ଜୁଲାଇ ୩ରେ ପୂର୍ବତନ ସଫେଇ କର୍ମଚାରୀ ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଫଟୋଗ୍ରାଫିକ ପ୍ରମାଣ ବି ଯୋଡ଼ିଥିଲେ। ୧୬ ବର୍ଷ ଧରି କେମିତି ମହିଳା ଓ ନାବାଳିକାଙ୍କ ଶବକୁ ପୋତିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା ତାହାର ଅବତାରଣା କରିଥିଲେ। ଜୁଲାଇ ୪ରେ ଏତଲା ରୁଜୁ ହେଲା। ୧୦ ଜୁଲାଇରେ ଅଭିଯୋଗକାରୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇଦିଆଗଲା। ଜୁଲାଇ ୧୧ରେ ବେଲନ୍ଥାଗଡ଼ି କୋର୍ଟରେ ହାଜର ହୋଇ କଙ୍କାଳର ଅବଶେଷ ପ୍ରସ୍ତୁତ କରିଥିଲେ। ତାଙ୍କୁ କବରଖାନାରୁ ବାହାର କରାଯାଇଥିଲା। ଜୁଲାଇ ୧୧ରେ ଅଭିଯୋଗକାରୀଙ୍କ ଓକିଲ ପଓ୍ୱନ ଦେଶପାଣ୍ଡେ ଔପଚାରିକ ବୟାନ ଜାରି କରି କହିଥିଲେ, ଏହାର ସ୍ୱତନ୍ତ୍ର ଯାଞ୍ଚ ଜରୁରୀ। ଜୁଲାଇ ୧୩ରେ ପୁଲିସ ୟୁଟ୍ୟୁବର ସମୀର ଏମଡିଙ୍କ ବିରୁଦ୍ଧରେ ଏଆଇ ଜେନେରେଟେଡ୍ ଭିଡ଼ିଓ ମାଧ୍ୟମରେ ଏହା ଭୁଲ୍ ତଥ୍ୟ ଓ ଭ୍ରାମକ ବୋଲି କହିଥିବାରୁୁ ଏତଲା ରୁଜୁ କରିଥିଲା। ଜୁଲାଇ ୧୪ରେ ରାଜ୍ୟ ମହିଳା ଆୟୋଗ ନାଗଲକ୍ଷ୍ମୀ ଚୌଧୁରୀ ମୁଖ୍ୟମନ୍ତ୍ରାୀଙ୍କୁ ଚିଠି ଲେଖି ସନ୍ଦିଗ୍ଧ ମୃତ୍ୟୁର ତଦନ୍ତ ଲାଗି ଏସଆଇଟି ଗଠନ ଲାଗି ଅନୁରୋଧ କରିଥିଲେ। ଜୁଲାଇ ୧୫ରେ ଜଣେ ଏମବିବିଏସ ଛାତ୍ରୀ ତାଙ୍କ ମାଆ ୨୦୦୩ରୁ ଧର୍ମସ୍ଥଳରୁ ଗାଏବ ନେଇ ଏତଲା ଦେଇଥିଲେ। ଏହାର ନ୍ୟାୟିକ ତଦନ୍ତ ଓ ଏସଆଇଟି ହସ୍ତକ୍ଷେପ ଲୋଡ଼ିଥିଲେ। ଜୁଲାଇ ୧୬ରେ ଓକିଲ ପ୍ରତିନିଧି ଦଳ ଅଭିଯୋଗ କରିଥିଲେ ଯେ, ହ୍ୱିସିଲବ୍ଲୋୟର ଦ୍ୱାରା ଦିଆଯାଇଥିବା ଗୋପନୀୟ ବୟାନକୁ ଏକ ୟୁଟ୍ୟୁବର ଲିକ୍ କରିଦେଇଛନ୍ତି। ଯାହାକୁ ନେଇ ସାକ୍ଷୀଙ୍କ ସୁରକ୍ଷା ଓ ଯାଞ୍ଚର ନିରପେକ୍ଷତାକୁ ନେଇ ଚିନ୍ତା ବଢ଼ିଛି। ଜୁଲାଇ ୧୭ରେ ମନ୍ତ୍ରୀ ଦିନେଶ ଗୁଡୁ ରାଓ ଜନତାଙ୍କୁ ଆଶ୍ୱସ୍ତ କରିଥିଲେ ଯେ, ତଦନ୍ତ ସମ୍ପୂର୍ଣ୍ଣ ପାରଦର୍ଶିତାର ସହ କରାଯିବ। କୌଣସି ଦୋଷୀ ନିସ୍ତାର ପାଇବେନି। ୧୮ ଜୁଲାଇରେ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା କହିଥିଲେ, ସରକାର କୌଣସି ଚାପରେ ନାହାନ୍ଚି। ତଥ୍ୟ ଆଧାରରେ ଆଇନଗତ ଆକ୍ସନ ହେବ। ଜୁଲାଇ ୧୯ରେ ଡିଜିପି ପ୍ରଣବ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଏସଆଇଟି ଗଠନ ହୋଇଥିଲା। ଧର୍ମସ୍ଥଳ ସହ ଜଡ଼ିତ ସମସ୍ତ ଅସ୍ୱାଭାବିକ ମୃତ୍ୟୁ, ନିଖୋଜ ଓ ଯୌନ ଉତ୍ପୀଡ଼ନ ମାମଲାର ଯାଞ୍ଚ ଭାର ଦିଆଗଲା। ଜୁଲାଇ ୨୦ରେ ଧର୍ମସ୍ଥଳ ବି ବୟାନ ଜାରି କରି କହିଥିଲା ଯେ, ଏସଆଇଟି ତଦନ୍ତ ସ୍ୱାଗତଯୋଗ୍ୟ। ଉଚ୍ଚସ୍ତରୀୟ ତଦନ୍ତରେ ସମସ୍ତ ସହଯୋଗ ଓ ସମର୍ଥନ ଜାରି ରହିବ। ଜୁଲାଇ ୨୧ରୁ ଏସଆଇଟି ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *