ମିଛ କହି ଡାକ୍ତର ଏକ୍ସପୋଜ୍

ଧରାପଡ଼ିଲା ଡାକ୍ତରଙ୍କ ମିଛ। ଦିଲ୍ଲୀ ବିମାନବନ୍ଦରରେ ଘଣ୍ଟା ଚୋରି ଆରୋପ ଲଦିଥିଲେ ଡାକ୍ତର ତୁଷାର ମେହେଟ୍ଟା। ଏୟାର ଇଣ୍ଡିଆ ବିମାନରେ ଯିବାକୁ ବାହାରିଥିବା -ଡାକ୍ତର ତୁଷାର ଟର୍ମିନାଲ-୩ରେ ସିକ୍ୟୁରିଟି ଚେକ୍ ବେଳେ ଜଣେ ମୁସଲିମ ବ୍ୟକ୍ତି କୁଆଡ଼େ ତାଙ୍କ ଘଣ୍ଟା ଚୋରି କରିଥିଲେ। ଆଉ ଏହି ଚୋରୀରେ କୁଆଡ଼େ ଜଣେ ସୋ-ରୁମ୍ ମୁସଲିମ୍ କର୍ମଚାରୀ ହାତ ମିଳାଇଥିଲେ। ଘଣ୍ଟାଟି ଆପଲ୍ କମ୍ପାନୀର ଥିଲା। ଏଭଳି ଆରୋପ ଲଦି ନିଜ ଟ୍ୱିଟରରେ ପୋଷ୍ଟ କରିଥିଲେ ଡାକ୍ତର ଜଣକ। ସୋଏବ ଓ ସାକିବ୍ ବୋଲି ଦୁଇ ଜଣ ବ୍ୟକ୍ତିଙ୍କ ନାଁରେ ଆରୋପ ଲଦିଥିଲେ ଡାକ୍ତର। ଆଉ ଏହାର ଗମ୍ଭୀରତାକୁ ଦେଖି ସିଆଇଏସଏଫ ଯେତେବେଳେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଜଣାପଡ଼ିଲା ଯେ, ଡାକ୍ତର ମିଛ କହିଥିଲେ। ଏମିତି କୌଣସି ଘଟଣା ହିଁ ଘଟିନି। କାରଣ ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା ଯେ, ସିକ୍ୟୁରିଟି ଚେକ୍ ପରେ ସଂପୃକ୍ତ ଡାକ୍ତର ନିଜର ଘଣ୍ଟା ପିନ୍ଧି ବୋର୍ଡିଂ ଗେଟ୍ ଦେଇ ବାହାରିଥିଲେ। ବୋର୍ଡିଂ ଗେଟରେ ବି କୌଣସି ସିଆଇଏସଏଫ ଜବାନଙ୍କ ସହ ତାଙ୍କର କୌଣସି କଥାବାର୍ତ୍ତା ହୋଇନଥିଲା। ଏଭଳି କୌଣସି ନିରାଧାର ବାର୍ତ୍ତା କି ଆରୋପ ଯାତ୍ରୀଙ୍କ ଭିତରେ ଅନାବଶକୀୟ ଭୟର ସଞ୍ଚାର କରୁଛି। ସେଥିଲାଗି ଏହାର ଯେଭଳି ପୁନରାବୃତ୍ତି ନ ହୁଏ, ସେଥିଲାଗି ସଂପୃକ୍ତ ଡାକ୍ତରଙ୍କୁ ଅପିଲ୍ କରିଛି ସିଆଇଏସଏଫ। ଡାକ୍ତର ମିଛ କହୁଥିଲେ ବୋଲି ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷ ବି ପୋଷ୍ଟ କରିଛନ୍ତି। ସେପଟେ ସୋସିଆଲ ମିଡିଆରେ ସଂପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କଡ଼ା ଆକ୍ସନ ଲାଗି ଦାବି ଶାଣିତ ହେବାରେ ଲାଗିଛି। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ କରି ଡାକ୍ତରୀ ପେଶାରେ ଥିବା ଜଣେ ବ୍ୟକ୍ତି ଏଭଳି ସାମ୍ପ୍ରଦାୟିକ ବିଭେଦର ମଞ୍ଜି ବୁଣିବା କେତେଦୂର ଯଥାର୍ଥ ବୋଲି ଅଙ୍ଗୁଳି ଉଠିଛି। ଚାରିଆଡ଼ୁ ସମାଲୋଚନା ପରେ ନିଜ ଟ୍ୱିଟରେ କରିଥିବା ଆରୋପକୁ ଡିଲିଟ୍ କରିଦେଇଛନ୍ତି ଡାକ୍ତର। ଗୁରୁଗ୍ରାମର ଡାକ୍ତର ତୁଷାର ମେହେଟ୍ଟା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବଦନାମ କରିବାକୁ ଏଭଳି ମିଛ କାହାଣୀ କହିଥିଲେ ବୋଲି ସବୁଠି ଚର୍ଚ୍ଚା। ଏପରିକି ହିଂସା ଭିଆଇବା, ଭାଇଚାରା ନଷ୍ଟ ଲାଗି ଷଡ଼ଯନ୍ତ୍ର ରଚିବା ଆରୋପରେ ତୁଷାରଙ୍କ ବିରୁଦ୍ଧରେ ଦେଶଦ୍ରୋହ ମାମଲା ଚାଲିବା ଜରୁରୀ ବୋଲି ଅନେକ ମତ ଦେଇଛନ୍ତି। ଏଭଳି ଡାକ୍ତରଙ୍କ ମାନସିକ ଚିକିତ୍ସା ଜରୁରୀ। ଡାକ୍ତରୀ ଲାଇସେନ୍ସ ରଦ୍ଦ କରିବା ଜରୁରୀ। କାରଣ ଏଭଳି ଡାକ୍ତରଙ୍କ ପାଖରେ କୌଣସି ମୁସଲିମ ଚିକିତ୍ସିତ ହେଲେ, ସେମାନଙ୍କ ଜୀବନ ପ୍ରତି ବିପଦ ପଡ଼ିପାରେ ବୋଲି ଅନେକ ୟୁଜର୍ସ କହିଛନ୍ତି। ଏଭଳି ଡାକ୍ତରଙ୍କୁ ବଏକଟ୍ କରିବାକୁ ଆରେଷ୍ଟ ତୁଷାର ମେହେଟ୍ଟା ନାଁରେ ଟ୍ୱିଟରରେ ଟ୍ରେଣ୍ଡିଂ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *