ଡ୍ରଗ ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ : ମୁଖ୍ୟ ଅଭିଯୁକ୍ତ ସମେତ ୬ ଗିରଫ

Spread the love

ଖୋର୍ଦ୍ଧା : ଡ୍ରଗ ମାଫିଆ ସୋମନାଥ ଭୁଜବଳ ଓରଫ ପାକୁ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ଖୋର୍ଦ୍ଧା ପୋଲିସ । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଭାଲିଆବାଡିର ସଞ୍ଜୟ ପ୍ରଧାନ ଓରଫ ସଞ୍ଜୁ ସମେତ ୬ ଜଣଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ ।

ଅଭିଯୁକ୍ତଙ୍କ ଠାରୁ ୪ ପିସ୍ତଲ, ୧୧ ଜୀବନ୍ତ ଗୁଳି, ୧୦ମୋବାଇଲ ଏବଂ ୬ଟି ଗାଡ଼ି ଜବତ ହୋଇଛି । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିଲା । ଆଜି ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟରିଆ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡରେ ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏଥିରେ ଅନ୍ୟ କେଉଁ ମାନଙ୍କ ସଂପୃକ୍ତି ରହିଛି ତାହାର ମଧ୍ୟ ତଦନ୍ତ ଜାରି ରହିଛି ।

ପାକୁ ଓ ସଞ୍ଜୁ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା । ପାକୁକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ଲାଗି ଦୀର୍ଘ ଦିନ ହେବ ଷଡ଼ଯନ୍ତ୍ର କରିଥିଲା ସଞ୍ଜୁ । ତେବେ ପୂର୍ବରୁ ଥରେ ହତ୍ୟା ଯୋଜନା କରି ବିଫଳ ହୋଇଥିଲା । ଏନେଇ ସେ ଖୋର୍ଦ୍ଧା, ପୁରୀ ଓ ନୟାଗଡରେ ରହୁଥିବା ସହଯୋଗୀଙ୍କ ସହ ଆଲୋଚନା କରିଥିଲା । ଏଥିଲାଗି ଚୋରା ଗାଡି ଏବଂ ବନ୍ଧୁକ, ମାରଣାସ୍ତ୍ର ଯୋଗାଡ କରିଥିଲା । ଗତ ୭ ତାରିଖ ରାତିରେ ସୋମନାଥ ସାମନ୍ତରାପୁର ଠେଙ୍ଗାହାଟ ଛକରେ ମୋବାଇଲରେ କଥା ହେଉଥିବା ସମୟରେ ଦୁର୍ବୁତ୍ତ ମାନେ ବୋଲୋରୋ ପିକ୍‌ଅପରେ ଆସି ୪ ଜଣ ୮ରାଉଣ୍ଡ ଗୁଳି ମାଡ କରିଥିଲେ । ତେବେ ୪ଟି ଗୁଳି ତାଙ୍କ ହାତ, ଛାତି ଓ ପେଟରେ ବାଜିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧାର ପରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗତ ୯ତାରଖ ରାତିରେ ଚିକିତ୍ସାଧିନ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଏନେଇ ପରିବାର ଲୋକଙ୍କ ଅଭିଯୋଗ ଉପରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା । ସଦର ଏସଡିପିଓ ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ୩ ଜଣିଆ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା । ଗତ ଜୁଲାଇ ପହିଲାରେ ପୋଲିସ ଦୁଇ ଜଣଙ୍କୁ ଏହି ଘଟଣାରେ ଗିରଫ କରିଥିଲା ।

Leave a Reply

Your email address will not be published. Required fields are marked *