ଦୁର୍ଗାପୁର ଗଣଦୁଷ୍କର୍ମ- ପ୍ରଶ୍ନବାଚୀରେ ଦିଦିଙ୍କ ସମ୍ୱେଦନଶୀଳତା!

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଧରାପଡ଼ିଲେ। ୩ ଅଭିଯୁକ୍ତ ହେଲେ ଶେକ୍ ରିଆଜ୍ ଉଦ୍ଦିନ, ଶେକ ଫିର୍ଦ୍ଦୋସ ଓ ଆପୁ ବାଉରୀ। ଏମାନଙ୍କୁ ୧୦ ଦିନ ଲାଗି ରିମାଣ୍ଡରେ ନେଇଛି ପୁଲିସ। ଆଉ ଜଣେ ଅଭିଯୁକ୍ତ ସେକ୍ ସୋଫିକୁଲକୁ ଧରିବାକୁ ପୁଲିସ ତନାଘନା ଜାରି ରଖିଥିଲା ବେଳେ ପୀଡ଼ିତାଙ୍କୁ ବନ୍ଧୁ  ଓ୍ୱାସିଫ ଅଲ୍ଲୀ ବି ପୁଲିସ ସ୍କାନରରେ ରହିଛି। କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏକ ବୟାନ ବିବାଦ ସହ ଏଭଳି ସମ୍ୱେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ଶୋଭାପାଉନି ବୋଲି ବିରୋଧୀ ଦଳ ଆରୋପ ଲଦିଛନ୍ତି। ଏପରିକି ପୀଡ଼ିତାଙ୍କ ପରିବାର ବି ଦିଦିଙ୍କ ବିବୃତ୍ତିକୁ ନେଇ ଚକିତ ହୋଇଯାଇଛନ୍ତ। ଦିଦି କହିଥିଲେ, ଛାତ୍ରୀ କଲେଜ କ୍ୟାମ୍ପସ ବାହାରକୁ ଯିବା ଠିକ୍ ନଥିଲା। ଝିଅମାନେ ନିଜ ସୁରକ୍ଷା ନିଜ ହାତରେ କରନ୍ତୁ। ପ୍ରାଇଭେଟ କଲେଜରେ ରାତି ସାଢ଼େ ୧୨ଟା ଯାଏ ବାହାରେ ରହିବା ଉଚିତ୍ ନଥିଲା। କେବଳ ଏତିକି ନୁହେଁ। ଓଡ଼ିଶା, ୟୁପି ଭଳି ରାଜ୍ୟରେ ଏଭଳି ଦୁଷ୍କର୍ମ ମାମଲାରେ ନ୍ୟାୟ ଦେବାକୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଶୀଥିଳତାକୁ ନେଇ ବି ଟାର୍ଗେଟ କରିଛନ୍ତି ଦିଦି। ଦିଦିଙ୍କ ଏଭଳି ବୟାନକୁ ନେଇ ବିଜେପି ସାଂସଦ ବାଂସୁରୀ ସ୍ୱରାଜ କହିଛନ୍ତି, ଗଣଦୁଷ୍କର୍ମ ଘଟଣାକୁ ଜଷ୍ଟିଫାଏଡ୍ ବଦଳରେ ଜଷ୍ଟିସ ଦେବାକୁ ଚେଷ୍ଟା କରନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ମମତାଙ୍କ ଏଭଳି ବୟାନକୁ ନେଇ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ଆରଜି କର ଦୁଷ୍କର୍ମ ପୀଡ଼ିତାଙ୍କ ବାପା। ସେ କହିଛନ୍ତି, ତାହେଲେ ମମତା ଏକ ଫତଓ୍ୱା ଜାରି କରିଦିଅନ୍ତୁ। କୌଣସି ଝିଅ ଘର ଛାଡ଼ି କୁଆଡ଼େ ଯେମିତି ବାହାରକୁ ଯିବେନି। କୌଣସି ଝିଅ ବାହାରକୁ ନ ଗଲେ ଏଭଳି କୌଣସି ଅଘଟଣ ଘଟିବନି। ଯଦି ମହିଳାଙ୍କୁ ସୁରକ୍ଷା ଦେବାରେ ଦିଦି ଫେଲ୍, ତାହେଲେ ନିଜ ପଦରୁ ଇସ୍ତଫା ଦେଇଦେବା ଦରକାର। ସିପିଏମ କହିଛି, ପଶ୍ଚିମବଙ୍ଗରେ କଅଣ ତାଲିବାନି ଶାସନ ଚାଲିଛି କି। ରାତିରେ ମହିଳା ଏକାକୀ କୁଆଡ଼େ ଯିବେନି। ରାତିରେ ଚାକିରୀ କରିପାରିବେନି। ପୁରୁଷ ଓ ମହିଳା ସମାନ। ହେଲେ ଦିଦିଙ୍କ ଏଭଳି ମାନସିକତା ରାଜା ରାମମୋହନ ରାୟ ଓ ବିଦ୍ୟାସାଗରଙ୍କ ଆଦର୍ଶ ବିରୋଧୀ। ମହିଳାଙ୍କ ଉପରେ ଯେତେବେଳେ ଅତ୍ୟାଚାର ହୋଇଛି, ସବୁବେଳେ ମହିଳାଙ୍କ ଉପରେ ଦୋଷ ଥୋପିବାରେ ବ୍ୟସ୍ତ। ପାଲଟା ଅପରାଧୀଙ୍କ ସୁରକ୍ଷାରେ ବାହାରି ଆସିଛନ୍ତି। ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲଭିୟା କହିଛନ୍ତି, ମମତା ଡାକ୍ତରୀ ଛାତ୍ରୀଙ୍କ ବାବଦରେ ମିଛ କହିଲେ। ଆଇକ୍ୟୁ ସିଟି ମେଡିକାଲ କଲେଜ ଓ ହସ୍ପିଟାଲ ଅନୁସାରେ, ଛାତ୍ରୀ ଜଣକ ହଷ୍ଟେଲରୁ ରାତି ୮ଟାରେ ଯାଇଥିଲେ। ଯାହାକି ଷ୍ଟାଣ୍ଡାର୍ଡ ସମୟ। ମେଡିକାଲ କଲେଜକୁ ବଦନାମ କରିବା, ପୀଡ଼ିତାଙ୍କ ମନୋବଳକୁ ଦୁର୍ବଳ କରିବାକୁ ମମତା ଚକ୍ରାନ୍ତ କରି ଏହି ମୁଦ୍ଦାକୁ ରାଜନୈତିକ ମୁଦ୍ଦା କରିସାରିଲେଣି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ବି ଦିଦିଙ୍କ ଏଭଳି ବୟାନକୁ ନେଇ କଡ଼ା ଆପତ୍ତି ଜାହିର କରିଛନ୍ତି। ଏହା ପଶ୍ଚିମବଙ୍ଗର ପ୍ରତି ମହିଳାଙ୍କୁ ଅପମାନ ସଦୃଶ। ଏଭଳି ବୟାନ କେବଳ ଚକିତ କରୁନି, ବରଂ ବଙ୍ଗରେ ଥିବା ୪ କୋଟି ୯୦ଲକ୍ଷ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଛିଡ଼ା କରିଛି।  ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସେ ଅସମର୍ଥ ବୋଲି ଦିଦି କହିଦିଅନ୍ତୁ। ଓଡ଼ିଶା ସରକାରଙ୍କୁ ଲେଖିକି ଦେଇଦିଅନ୍ତୁ।  ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କଠୁ ଏଭଳି ବକ୍ତବ୍ୟ ଆଶା କରାଯାଉନଥିଲା। ଓଡ଼ିଶା ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ନେଇ ମୋହନ ସରକାର କେତେ ସମ୍ୱେଦଶୀଳ, ତାହା ସମସ୍ତେ ଜାଣନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ବି ମମତାଙ୍କ ଏଭଳି ବୟାନକୁ ନେଇ ନିନ୍ଦା କରିଛନ୍ତି। ଶାସକ ଟିଏମସି ନେତା କୁନାଲ ଘୋଷ କହିଛନ୍ତି, ମମତା ସବୁବେଳେ ମହିଳା ସଶକ୍ତିକରଣ, ସ୍ୱାଧୀନତା ସପକ୍ଷରେ କୁହନ୍ତି। ସେ କେବେ ବି କହିନାହାନ୍ତି, ଝିଅମାନେ ଘରୁ ପଦାକୁ ବାହାରିବା ଉଚିତ ନୁହେଁ। ଘରୋଇ ଅନୁଷ୍ଠାନ ଓ ହଷ୍ଟେଲରେ କଡ଼ା କଟକଣାକୁ ନେଇ କେବଳ କଥା ଉଠାଇଛନ୍ତି ଦିଦି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କଥାକୁ କଦର୍ଥ କରିବାରେ ଲାଗିଛନ୍ତି ବିରୋଧୀ ଦଳ। ମହିଳାଙ୍କ ସବୁଠି ଯିବାର ଅଧିକାର ଓ ସ୍ୱାଧୀନତା ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଏଭଳି ବୟାନକୁ ନେଇ ପୀଡ଼ିତାଙ୍କ ବାପା ବି ନ୍ୟାୟ ମିଳିବନି ବୋଲି ଆଶଙ୍କା କଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *