ନୀଳାଦ୍ରି ଭକ୍ତନିବାସ ନାଁରେ ନକଲି ଓ୍ୱେବସାଇଟ ଖୋଲି ୨ ଗିରଫ

ପୁରୀର ନୀଳାଦ୍ରି ଭକ୍ତନିବାସ ନାଁରେ ନକଲି ଓ୍ୱେବସାଇଟ୍ ଖୋଲି ଭକ୍ତଙ୍କଠୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ହେଲେ ଆଗ୍ରାର ଅଂଶୁମାନ ଶର୍ମା ଓ ସହଯୋଗୀ ପ୍ରୟାଗରାଜର ଅରବିନ୍ଦ କୁମାର। ଏଭଳି ଠକେଇ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଭିଯୋଗକ୍ରମେ ଏହାର ଯାଞ୍ଚ ହୋଇଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ନକଲି ଓ୍ୱେବସାଇଟ ଜରିଆରେ ଏହି ଠକ ମାନେ ଭକ୍ତଙ୍କୁ ମୋବାଇଲ ନମ୍ୱର ଓ ଓ୍ୱାଟସଅପ ଜରିଆରେ ଯୋଗାଯୋଗ କରୁଥିଲେ। ଏହି ଠକେଇ ପାଇଁ କାନାଡ଼ା ବ୍ୟାଙ୍କର ଏକ ଜମା ଆକାଉଣ୍ଟ ଖାତାର ବ୍ୟବହାର ହୋଇଥିଲା। ନୀଳାଦ୍ରି ଭକ୍ତ ନିବାସରେ ରହଣୀ ସୁନିଶ୍ଚିତ କରିବା ନାଁରେ ଅନଲାଇନ ଜରିଆରେ ଟଙ୍କା ଜମା କରିବାକୁ କହୁଥିଲେ।ଅଭିଯୁକ୍ତଙ୍କ ନିକଟରୁ ଲାପଟପ୍, ଫୋନ, ସିମ୍ କାର୍ଡ, ନୀଳାଦ୍ରି ଭକ୍ତ ନିବାସ ଓ୍ୱେବସାଇଟ୍ ବିବରଣୀ, ଆଧାର କାର୍ଡ, ପାନ୍ କାର୍ଡ ଜବତ ହୋଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେପଟେ ଏଭଳି ଠକଙ୍କୁ ଗିରଫ ପରେ ପୁରୀ ସେବାୟତ, ଦଇତାପତି, ବୁଦ୍ଧିଜୀବି ଓ ଶ୍ରଦ୍ଧାଳୁଙ୍କ ଭିତରେ ଭିନ୍ନ ପ୍ରତିକ୍ରିୟା ଦେଖାଦେଇଛି। ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତ ଶୋଷଣ ହେବା ନୂଆ କଥା ନୁହେଁ। ଅନଲାଇନ ଜରିଆରେ ଲୁଟିବା ଟ୍ରେଣ୍ଡ୍ ପାଲଟିଛି। ପୁରୀରେ ପ୍ରାୟ ହଜାରେରୁ ୧୫ଶହ ହୋଟେଲ, ଲଜିଂ ଓ ଧର୍ମଶାଳା ରହିଛି। ଦୈନିକ କୌଣସି ନା କୌଣସି ପର୍ଯ୍ୟଟକ ଫ୍ରଡ୍ ଅନଲାଇନ ହୋଟେଲ ବୁକିଂ ଜରିଆରେ ଠକାମୀର ଶୀକାର ହେଉଛନ୍ତି। ସାଇବର ଆଇନ କିଭଳି କଡ଼ାକଡ଼ି ହେବ, ସେ ନେଇ ଯୋଜନା କରିବା ଜରୁରୀ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର, ପୁରୀ ବାର୍ ଆସୋସିଏସନ ସମ୍ପାଦକ ଶରତ ରାୟଗୁରୁ ପ୍ରମୁଖ। ଏଭଳି ଘଟଣା ପରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତଙ୍କୁ କେବଳ ଅଧିକୃତ ଓ୍ୱେବସାଇଟ୍ ଜରିଆରେ ବୁକିଂ କରିବାକୁ ପରାମର୍ଶ ଦେଇଛି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ। shreejagannath.in ଓ୍ୱେବସାଇଟ୍ ମାଧ୍ୟମରେ କେବଳ ବୁକିଂ କରିବାକୁ କୁହାଯାଇଛି। ସତର୍କତା ଅବଲମ୍ୱନ କରିବାକୁ ଅପିଲ୍ ବି କରିଛି କ୍ରାଇମବ୍ରାଞ୍ଚ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *