ଶିକାରୀ ଗୁଳିରେ ଫରେଷ୍ଟର ମୃତ, ୬ ଅଟକ

Spread the love

ବାରିପଦା : ଶିମିଳିପାଳ ସାଉଥ ଡିଭିଜନରେ ପୁଣି ଜଣେ ଫରେଷ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଶିକାରୀ । ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେବାରୁ ଫରେଷ୍ଟର ମାଟି ହାଁସଦା (୪୫)ଙ୍କୁ ଗୁଳି କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ତନାଘନା ଚଳାଇଛି ପୋଲିସ ।

ଶୁକ୍ରବାର ବିଳମ୍ବିତ ରାତିରେ ଶିମିଳିପାଳ ସାଉଥ ଡିଭିଜନ କେନ୍ଦୁମୁଣ୍ଡି-ବାରାକାମୁଣ୍ଡା ସେକ୍ସନର ଗାମୁଛାଝରଣ ନିକଟରେ ବନପାଳ ମାଟି ହାଁସଦା ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଶିକାରୀଙ୍କ ଗୁଳିରେ ସେ ଟଳି ପଡିଥିଲେ । ଅନ୍ୟ କର୍ମଚାରୀ ମାନେ ତାଙ୍କୁ ତୁରନ୍ତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଛି ପୋଲିସ । ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ଦାୟର୍ ହୋଇଛି । ଫରେଷ୍ଟରଙ୍କ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଅଟକ ରଖାଯାଇଛି । ଶିକାରୀଙ୍କୁ ଖୋଜା ଚାଲିଛି । ଦୁଇ ଜଣଙ୍କୁ ସନ୍ଦେହ କରାଯାଉଛି ଖୁବ୍ ଶୀଘ୍ର ସେମାନଙ୍କୁ କାବୁ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି।

ପ୍ରକାଶ ଥାଉକି, ଗତ ମାସ ୨୨ ତାରିଖରେ ମଧ୍ୟ ଶିମିଳିପାଳରେ ଶିକାରୀଙ୍କ ଗୁଳିମାଡରେ ଫରେଷ୍ଟ ଗାର୍ଡ଼ ବିମଳ କୁମାର ଜେନାଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ତିନି ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *