ଗେଟ୍ ଆଗରେ ଗୁଳି କରି ବ୍ୟବସାୟୀଙ୍କୁ ମର୍ଡର- ବିହାରରେ ହଇଚଇ

ବିହାରର ବିଶିଷ୍ଟ ବ୍ୟବସାୟୀ ତଥା ଉଦ୍ୟୋଗପତି ଗୋପାଳ ଖେମକାଙ୍କୁ ହତ୍ୟା। ଗୋପାଳଙ୍କୁ ମାରିବାକୁ ତାଙ୍କ ଆପାର୍ଟମେଣ୍ଟ ଗେଟ୍ ଆଗରେ ହେଲମେଟ ଲଗାଇ ଅପେକ୍ଷା କରିଥିଲା ସୁଟର। ଆଉ ମାତ୍ର ୬ ସେକେଣ୍ଡରେ ଗୁଳି କରି ସ୍କୁଟି ଧରି ଚମ୍ପଟ ମାରିଛି ହତ୍ୟାକାରୀ। ପାଟଣାର ଗାନ୍ଧୀମୈଦାନ ଥାନାରୁ ମାତ୍ର ୫ଶହ ମିଟର ଦୂରରେ ଏଭଳି ହତ୍ୟା ହୋଇଛି। ଏ ହେଉଛି ତାହାର ସିସିଟିଭି ଫୁଟେଜ୍। ଶୁକ୍ରବାର ରାତି ୧୧ଟା୩୮ ମିନିଟରେ ଖେମକାଙ୍କୁ ଗୁଳି କରିଥିଲା ଦୁର୍ବୃତ୍ତ। ଖେମକାଙ୍କ ଗାଡ଼ି ପଛରେ ଆଉ ଏକ ଗାଡ଼ି ଲାଗିଥିଲା। କିନ୍ତୁ ଗାଡ଼ିରେ ବସିଥିବା ଲୋକ ବାହାରକୁ ବାହାରିବା ଭିତରେ କାମ ସାରିଦେଇଥିଲା ସୁଟର। ଭିଡିଓରେ ଦେଖାଯାଉଛି, ଗାର୍ଡ ଗେଟ୍ ଖୋଲିବା ଭିତରେ ଗୁଳି କରିସାରିଥିଲା ସୁଟର। ଗୋପାଳ ବାଙ୍କିପୁର କ୍ଲବର ନିର୍ଦେଶକ ଥିଲେ। ଆଉ କ୍ଲବରୁ ଘରକୁ ଫେରୁଥିଲେ। ଗୋପାଳ ନିୟମିତ କ୍ଲବ ଯାଆନ୍ତି। ଗୁଳିମାଡ଼ ପରେ ଗୋପାଳଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ପୁଲିସକୁ ସୂଚନା ଦେବା ପରେ ପୁଲିସ ଦେଢ଼ରୁ ଦୁଇ ଘଣ୍ଟା ଯାଏ ପହଞ୍ଚିନଥିଲା ବୋଲି ଆରୋପ ଲଦିଛନ୍ତି ଗୋପାଳଙ୍କ ଭାଇ ଶଙ୍କର ଖେମକା। ଗୋପାଳଙ୍କ ପୁଅ ଗୁଞ୍ଜନଙ୍କୁ ବି ୨୦୧୮ରେ ଠିକ୍ ଏମିତି ଢଙ୍ଗରେ ହତ୍ୟା କରାଯାଇଥିଲା। ହାଜିପୁରରେ ଥିବା ଫ୍ୟାକଟ୍ରି ଗେଟ୍ ଆଗରେ ଗୁଞ୍ଜନକୁ ମର୍ଡର କରାଯାଇଥିଲା। ଗୁଞ୍ଜନଙ୍କ ମର୍ଡର ପରେ ଗୋପାଳଙ୍କୁ କିଛି ଦିନ ଧରି ପୁଲିସ ସୁରକ୍ଷା ମିଳିଥିଲା। କିନ୍ତୁ ପରେ ସୁରକ୍ଷା ହଟାଇ ଦିଆଯାଇଥିଲା। ମର୍ଡରକୁ ନେଇ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିହାରରେ ଜଙ୍ଗଲରାଜ ଚାଲିଛି। ଅପରାଧୀଙ୍କ ସାହାସ ବଢ଼ିବା ପଛରେ ସରକାର ଦାୟୀ। ଘରୁ ମାତ୍ର ୫ଶହ ମିଟର ଦୂରରେ ଥାନା ଥିଲେ ବି ପୁଲିସକୁ ପହଞ୍ଚିବାକୁ ଦୁଇ ଘଣ୍ଟା ଲାଗିଗଲା। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଚୌକିରେ ବସିବାର ନୈତିକତା ହରାଇସାରିଛନ୍ତି। ଏ ସରକାର ବିଦାରୁ ହିଁ ବିହାରର ମଙ୍ଗଳ ହେବ ବୋଲି କହିଛନ୍ତି ବିହାର ପିସିସି ସଭାପତି ରାଜେଶ ରାମ। ଶାସକ ଦଳ କହିଛି, ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ହେବ। କାହାକୁ ଛଡ଼ାଯିବନି। ପୁଲିସ ସୁରକ୍ଷା ବଢ଼ାଇ ଦିଆଯାଇଛି। ପରିବାରରେ ଦୁଃଖର ମାହୋଲ ରହିଛି। ଜନସୁରାଜ ଦଳର ସଭାପତି ପ୍ରଶାନ୍ତ କିଶୋର କହିଛନ୍ତି, ଲାଲୁଙ୍କ ଅମଳରେ ଜଙ୍ଗଲରାଜ ଓ ନୀତିଶ କୁମାରଙ୍କ ଶାସନ ଭିତରେ କୌଣସି ଫରକ୍ ନାହିଁ। ଏହାର ସିବିଆଇ ତଦନ୍ତ ଦାବି କରି ପପ୍ପୁ ଯାଦବ ରାସ୍ତାକୁ ଓହ୍ଲାଇଛନ୍ତି। ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କହିଛନ୍ତି, ପୁଲିସର ଅବହେଳା ଜଳଜଳ କରି ଦେଖାଯାଉଛି। ପୁଲିସ ବିଭାଗରେ ବସିଥିବା ନିକ୍କମାଙ୍କ ବିରୁଦ୍ଧରେ ଆକ୍ସନ ହେବ। ଏଲଜେପି ବି ସ୍ଥାନୀୟ ପୁଲିସ ଓ ପ୍ରଶାସନ ଉପରେ ବର୍ଷିଛି। ଆଉ ନିଜ ସରକାରଙ୍କ ଉପରେ ବି ବର୍ଷିଛନ୍ତି ଚିରାଗ ପାଶଓ୍ୱାନ। ଡିଜିପି ବିନୟ କୁମାର କହିଛନ୍ତି, ଘଟଣାର ତଦନ୍ତ ଲାଗି ଏସଆଇଟି ଗଠନ ହୋଇଛି। ସିଟି ଏସପି ଏହାର ନେତୃତ୍ୱ ନେବେ। ଜଲଦି ଅପରାଧୀଙ୍କୁ ଗିରଫ କରାଯିବ। ପୁଲିସ କହିଛି, ଷଡ଼ଯନ୍ତ୍ରକାରୀଙ୍କୁ ଚିହ୍ନଟ ସରିଛି। ହତ୍ୟା ପଛର କାରଣ ପୁଲିସ ଶୀଘ୍ର ସ୍ପଷ୍ଟ କରିବ। ଶୁକ୍ରବାର ସକାଳେ ସିଓ୍ୱାନର ୫ଜଣ ରାଜପୁତଙ୍କୁ ଖଣ୍ଡାରେ ହାଣିଥିଲେ ଦୁର୍ବୃତ୍ତ। ଏମାନଙ୍କ ଭିତରୁ ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପୁରୁଣା ରାଗର ପ୍ରତିଶୋଧ ନେବାକୁ ଆକ୍ରମଣ କରିଥିଲେ। ଏହାକୁ ନେଇ ବିହାରର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ହଇଚଇ ଖେଳିଥିଲା ବେଳେ ଗୋପାଳଙ୍କ ମର୍ଡର ଘଟଣା ଏହାକୁ ଅଧିକ ଖୋରାକ ଯୋଗାଇଛି। ଗୋପାଳ ବିଜେପି ନେତା ଥିଲେ। ମଗଧ ହସ୍ପିଟାଲର ମାଲିକ ଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *