ଗୋପାଳ ଖେମକା ହତ୍ୟାକାଣ୍ଡ- ବ୍ୟବସାୟିକ ବିବାଦରୁ କଣ୍ଟ୍ରାକ୍ଟ କିଲିଂ- ସୁଟରକୁ ହତିଆର ଦେଇଥିବା ଅପରାଧୀକୁ ଏନକାଉଣ୍ଟର

ବିଶିଷ୍ଟ ବ୍ୟବସାୟୀ ଗୋପାଳ ଖେମକା ହତ୍ୟାକାଣ୍ଡରେ ପୁଲିସକୁ ସଫଳତା ମିଳିଛି। ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବ୍ୟବସାୟୀ ଅଶୋକ ସାଓକୁ ପୁଲିସ ଗିରଫ କରିଛି। ୪ଲକ୍ଷ ଟଙ୍କା ଦେଇ କଣ୍ଟ୍ରାକ୍ଟ କିଲର ନିୟୋଜିତ କରିଥିଲା ଅଶୋକ। ଅଶୋକଙ୍କ ଉପରେ ଆରମ୍ଭରୁ ପୁଲିସର ସନ୍ଦେହ ଥିଲା। ଆଉ ପକ୍କା ପ୍ରମାଣ ଓ ଲୋକେସନ ଆଧାରରେ ଅଶୋକଙ୍କୁ ଗିରଫ କରାଯାଇଛି। କଣ୍ଟ୍ରାକ୍ଟ କିଲର ଉମେଶ ଯାଦବଙ୍କୁ ୪ଲକ୍ଷ ଟଙ୍କା ସୁପାରି ଦେବାକୁ କହି ୫୦ହଜାର ଟଙ୍କା ଆଡ଼ଭାନ୍ସ ଦେଇଥିଲା ଅଶୋକ। ହତ୍ୟାକାରୀ ଉମେଶ ଯାଦବ ପାଖରୁ ହତ୍ୟାକାଣ୍ଡରେ ବ୍ୟବହୃତ ବାଇକ, ପିସ୍ତଲ, ୮୦ କାରତୁସ, ଦୁଇଟି ମୋବାଇଲ ଫୋନେ ଓ ୧ଲକ୍ଷ ଟଙ୍କା ଜବତ ହୋଇଛି। ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ ଉମେଶକୁ ଅସ୍ତ୍ର ସପ୍ଲାଏ କରିଥିବା ବିକାଶ ଓରଫ ରାଜାକୁ ପୁଲିସ ଆଜି ଏନକାଉଣ୍ଟରରେ ମାରିଦେଇଛି। ହତ୍ୟା କରିବା ପରେ ଅଶୋକ ସାଓ ଫ୍ଲାଟରେ ରହିଥିଲେ ଉମେଶ। ଏହି ପ୍ରମାଣ ହିଁ ପୁରା କାରସାଦିର ବଡ଼ ପ୍ରମାଣ ଥିଲା। ପୁଲିସ ସନ୍ଦେହ କରିଥିଲା ହତ୍ୟାକାଣ୍ଡ ପଛରେ ଗଭୀର ବ୍ୟବସାୟିକ ପ୍ରତିଶୋଧ ଥିଲା। ଯାହାକୁ ନେଇ ଅଶୋକ ସାଓ ଖେମକାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା। ଅଶୋକଙ୍କୁ ଗିରଫ କରିବା ପୂର୍ବରୁ ଏହି ମର୍ଡର ମାମଲାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା। ପାଟଣାରେ ଡିଜିପି ବିନୟ କୁମାର ପ୍ରେସମିଟ୍ କରି ପୁରା ଘଟଣା ଉପରୁ ପରଦା ହଟାଇଛନ୍ତି। ଗୋପାଳଙ୍କୁ ହତ୍ୟା ପଛରେ ଜମି ବିବାଦ ଥିଲା। ହତ୍ୟା ପାଇଁ ଡିଲ୍ ୪ଲକ୍ଷ ଟଙ୍କାରେ ହୋଇଥିଲା। ମାସେ ହେଲା ରେକି ଚାଲିଥିଲା। ପ୍ରେସମିଟରେ ଅଶୋକ ଓ ଗୋପାଳଙ୍କ ଭିତରେ ଗାଳିଗୁଲଜର ଫୋନ ରେକର୍ଡ ବି ଶୁଣାଇଥିଲା ପୁଲିସ। ବିହାରର ବଡ଼ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଶୁକ୍ରବାର ସକାଳେ ତାଙ୍କ ଆପାର୍ଟମେଣ୍ଟ ଆଗରେ ହିଁ ଗୁଳି କରି ହତ୍ୟା କରାଯାଇଥିଲା। ୭ ବର୍ଷ ପୂର୍ବରୁ ଗୋପାଳଙ୍କ ପୁଅ ଗୁଞ୍ଜନଙ୍କୁ ବି ସମାନ ଢଙ୍ଗରେ ହାଜିପୁରରେ ହତ୍ୟା କରାଯାଇଥିଲା। ଗଲା ବର୍ଷ ଗୋପାଳ ଖେମକା ପରିବାର ନିଜ ଆଡ଼ୁ ଅଙ୍ଗରକ୍ଷକ ହଟାଇଦେଇଥିଲେ ବୋଲି କହିଛନ୍ତି ଡିଜିପି। ପୁଅର ହତ୍ୟାକାଣ୍ଡ ପରେ ଅଶୋକ ଖେମକାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ବୋଲି କହିଛି ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *