ସ୍ତନକୁ ଧରିବା ଓ ପାଇଜାମାର ଡୋରି ଛିଡ଼ାଇବା ଦୁଷ୍କର୍ମ ଲାଗି ପ୍ରୟାସ ପାଇଁ ପର୍ଯ୍ୟାପ୍ତ ନୁହେଁ। ପୋକ୍ସୋ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଅଭିଯୁକ୍ତଙ୍କ ଉପରେ ଆରୋପକୁ ସଂଶୋଧିତ କଲା ଭଳି ଖବର ସାମ୍ନାକୁ ଆସିଛି। ମାର୍ଚ୍ଚ ୧୭ରେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ରା ଏଭଳି ରାୟ ଦେଇଛନ୍ତି। ଦୁଇ ଅଭିଯୁକ୍ତ ଆକାଶ ଓ ପବନ ଉପରେ ଲାଗିଥିବା ଆଇପିସିର ଧାରା ୩୭୬ ଓ ପୋକ୍ସୋର ଧାରା ୧୮ ଅନୁସାରେ ଲାଗିଥିବା ମାମଲାକୁ ହ୍ରାସ କରିଛନ୍ତି କୋର୍ଟ। ଏହା ବଦଳରେ ଅଶ୍ଳୀଳ ଆଚରଣ ଓ କପଡ଼ା ଓହ୍ଲାଇବାକୁ ପ୍ରୟାସ, ପୋକ୍ସୋ ଅଧିନିୟମର ଧାରା ୯ରେ ଗମ୍ଭୀର ଯୌନ ଉତ୍ପୀଡ଼ନ ମାମଲାକୁ କାଏମ ରଖିଛନ୍ତି। ଏହା ସହ ତଳ କୋର୍ଟକୁ ସଂଶୋଧିତ ସମନ ଜାରି କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଜାନୁଆରୀ ୧୨, ୨୦୨୨ରେ କାସଗଞ୍ଜର ପୋକ୍ସୋ କୋର୍ଟରେ ମାମଲା ହୋଇଥିଲା। ଘଟଣାଟି ନଭେମ୍ୱର ୧୦, ୨୦୨୧ର। ସଂଧ୍ୟା ୫ ଟାରେ ଆଶା ଦେବୀ ନାମକ ମହିଳା ନିଜ ୧୪ ବର୍ଷୀୟା ଝିଅ ଓ ନିଜ ଯାଆଙ୍କ ସହ କାସଗଞ୍ଜ ଫେରୁଥିଲେ। ସେତିକିବେଳେ ଗାଁର ପବନ, ଆକାଶ ଓ ଅଶୋକ ରାସ୍ତାରେ ଭେଟିଥିଲେ। ପବନ ସଂପୃକ୍ତ ନାବାଳିକାକୁ ନିଜ ବାଇକରେ ବସାଇ ଗାଁରେ ଛାଡ଼ିଦେବାକୁ କହିଥିଲା। ଏଥିରେ ଆଶା ଦେବୀ ଭରସା କରିଥିଲେ। କିନ୍ତୁ ରାସ୍ତାରେ ପବନ ଓ ଆକାଶ ନାବାଳିକାଟିର ସ୍ତନ ଧରିବା ସହ ତାକୁ ପୋଲ ତଳକୁ ଟେକିନେଇ ଟାଣିବାକୁ ପ୍ରୟାସ କରି ଝିଅଟିର ପାଇଜାମାର ଡୋରି ଛିଣ୍ଡାଇଥିଲେ। ତେବେ ନାବାଳିକାଟି ଚିତ୍କାର କରିବାରୁ ବାଟରେ ଯାଉଥିବା ଲୋକେ ତାକୁ ଉଦ୍ଧାର କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now