ଗୁହାଳ ଘରେ ଚାଲିଥିଲା ବନ୍ଧୁକ କାରଖାନା। କିଙ୍ଗପିନ୍ ଥିଲା କ୍ଷୀର ବାଲା। ଚାଳଛପର ଘର ପଛପଟେ କରିଥିବା ଗୁହାଳ ଘରେ ଅଭ୍ୟାସଗତ ଅପରାଧୀଙ୍କୁ ଆଣି ତିଆରି କରୁଥିଲା ବନ୍ଧୁକ ଉପକରଣ। ବେଶ୍ ସଂଗଠିତ ଭାବେ ଅତ୍ୟାଧୁନିକ ମେସିନ ସହଯୋଗରେ ପିସ୍ତଲର ବିଭିନ୍ନ ପାର୍ଟସ ତିଆରି କରି ବାହାର ରାଜ୍ୟକୁ ଚାଲାଣ କରୁଥିଲେ। କଟକ ୪୨ ମୌଜାରେ ଚାଲିଥିବା ବନ୍ଧୁକ କାରଖାନା ପଛରେ କିଙ୍ଗପିନ୍  ଓ ତାଙ୍କ ଟିମକୁ ଧରିଛି ଏସଟିଏଫ ଓ କମିଶନରେଟ ପୁଲିସ। ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘର ମାଲିକ ସୁରେଶ ଯାଦବଙ୍କ ସମେତ ପଶ୍ଚିମବଙ୍ଗର ମହମ୍ମଦ ଆଜମ, ବିହାରର ମହମ୍ମଦ ଆବିଦ୍ ଓ ମହମ୍ମଦ ସମସେର। ସୁରେଶ ଯିଏ ୟୁପିର ମୂଳ ବାସିନ୍ଦା। ସେ ୪୨ ମୌଜାରେ କ୍ଷୀର ବେପାର କରି ବିହାର ଓ ବଙ୍ଗରୁ ଅପରାଧୀଙ୍କୁ ଘରେ ରଖି ଏଭଳି ବେପାର ଚଳାଇଥିଲା ବୋଲି କହିଛନ୍ତି ଏସଟିଏଫ ଡିଆଇଜି ପିନାକ ମିଶ୍ର। ଆଜମ ମର୍ଡର କନଭିକ୍ଟ। ଆଉ ପୂର୍ବରୁ ଆର୍ମସ ଆକ୍ଟରେ ମାମଲା ହୋଇ ଗିରଫ ହୋଇଥିଲା ସମସେର। ଘରେ ରଖି ଏହି ଗ୍ୟାଙ୍ଗ ଅପରେଟ କରୁଥିଲା ସୁରେଶ। ଆଜମ, ଆବିଦ ଓ ସମସେର ବନ୍ଧୁକ ଉପକରଣ କରିବାରେ ସିଦ୍ଧହସ୍ତ। ଅନ ଫିନିସଡ ପ୍ରଡକ୍ଟକୁ ଏମାନେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ। ୧୫ହଜାରରୁ ୨୦ହଜାର ଟଙ୍କା ପର୍ଯ୍ୟନ୍ତ ନେଉଥିଲେ। ଆଉ ପୁରା ତିଆରି ପ୍ରଡକ୍ଟକୁ ୫୦ହଜାରରୁ ଅଧିକ ଦାମରେ ବିକୁଥିଲେ। ତେବେ ଏମାନେ ତିଆରି କରୁଥିବା ପିସ୍ତଲ ଲୋକାଲି କାହାକୁ ଦେଇଛନ୍ତି, କେତେ ପରିମାଣର ଦେଇଛନ୍ତି, ତାହାର ତଥ୍ୟ ବି ଏସଟିଏଫ ହାତରେ ଲାଗିଛି। ତଦନ୍ତ ନ ସରିବା ଯାଏ କୌଣସି ନିଷ୍କର୍ସରେ ପହଞ୍ଚିବା ଠିକ୍ ହେବନି ବୋଲି କହିଛନ୍ତି ଏସଟିଏଫ ଡିଆଇଜି। ବହୁ ପରିମାଣରେ ପିସ୍ତଲ, ପିସ୍ତଲ ତିଆରି ଉପକରଣ ଜବତ କରିଛି ପୁଲିସ। ଅଭିଯୁକ୍ତଙ୍କୁ ଜେରା କରିଛି। ଏ ସବୁ ପିସ୍ତଲ ଓଡ଼ିଶାରେ କେଉଁ କେଉଁ ଜାଗାକୁ ବିତରଣ ହୋଇଛି। କେଉଁମାନେ ଏମାନଙ୍କଠୁ ନେଉଥିଲେ ବନ୍ଧୁକ। ଏ ସବୁର ଖୋଳତାଡ଼ ଜାରି ରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *