ପଞ୍ଜାବ ଲୁଧିଆନାର ଆପ୍ ବିଧାୟକ ଗୁରପ୍ରୀତ ଗୋଗିଙ୍କ ମୃତ୍ୟୁ। ମୁଣ୍ଡରେ ଗୁଳି ବାଜିବାରୁ ଗୁରପ୍ରୀତଙ୍କ ମୃତ୍ୟୁ ହୋଇଛି। ଗୁଳିରେ ଗୁରୁତର ଆହତ ବିଧାୟକଙ୍କୁ ବିଳମ୍ୱିତ ରାତିରେ ଡିଏମସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ପୁଲିସର କହିବା କଥା, ଗୁରପ୍ରୀତ ନିଜକୁ ନିଜେ ଗୁଳି କରିଛନ୍ତି। ଶୁକ୍ରବାର ବିଳମ୍ୱିତ ରାତିର ଘଟଣା। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କିନ୍ତୁ ପୁଲିସ ସବୁ ଦିଗକୁ ନେଇ ତନାଘନା କରୁଛି। ବିଳମ୍ୱିତ ରାତିରେ ନିଜର ଲାଇସେନ୍ସପ୍ରାପ୍ତ ପିସ୍ତଲ ସଫା କରୁଥିବା ବେଳେ ଗୁଳି ଫୁଟିଥିଲା। କୋଠରୀରେ ଏକୁଟିଆ ଥିଲେ ଗୋଗି। ଗୁ଼୍ଳି ଶବ୍ଦ ଶୁଣି ପତ୍ନୀ ଓ ପୁଅ ପହଞ୍ଚିଥିଲେ। ସେତେବେଳକୁ ରକ୍ତ ଜୁଡୁବୁଡ଼ୁ ଶରୀର ତଳେ ପଡ଼ିଥିଲା।
ଗୋଗି ୨୦୨୨ରେ କଂଗ୍ରେସ ଛାଡ଼ି ଆମ୍ ଆଦମୀ ପାର୍ଟିରେ ସାମିଲ୍ ହୋଇଥିଲେ। ଲୁଧିଆନାରେ ପୂର୍ବତନ କଂଗ୍ରେସ ବିଧାୟକ ଭାରତ ଭୂଷଣ ଆଶୁଙ୍କୁ ହରାଇ ବିଧାୟକ ହୋଇଥିଲେ। ଗୋଗିଙ୍କ ପତ୍ନୀ ସୁଖଚୈନ୍ କୌର ନଗର ନିଗମ ନିର୍ବାଚନ ଲଢ଼ି କିନ୍ତୁ କଂଗ୍ରେସର ଇନ୍ଦ୍ରଜିତ୍ ସିଂଙ୍କଠୁ ହାରିଥିଲେ। ନିଜ ମୃତ୍ୟୁ ପୂର୍ବରୁ ଶୁକ୍ରବାର ପ୍ରାଚୀନ ଶିତଳା ମାତା ମନ୍ଦିରକୁ ଯାଇଥିଲେ ଗୋଗି। ଆଉ ଶ୍ରଦ୍ଧାଳୁଙ୍କୁ କଥା ଦେଇଥିଲେ ଯେ, ଦୁଇ ଦିନ ଆଗରୁ ମନ୍ଦିରରୁ ରୂପା ଅଳଙ୍କାର ଚୋରି କରିଥିବା ଚୋରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ତେବେ କୌଣସି ମାନସିକ ଅବସାଦରେ ଥିଲେ କି ବିଧାୟକ। କିନ୍ତୁ ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି ଯେ, ଦିନ ତମାମ ଗୋଗି କୌଣସି ଅବସାଦରେ ଥିବା ଭଳି ଲକ୍ଷଣ ନଥିଲା। ଗୋଗିଙ୍କ ଶେଷ ଦର୍ଶନ ଲାଗି ହସ୍ପିଟାଲକୁ ବହୁ ବିଶିଷ୍ଟ ବ୍ୟକ୍ତି ଯାଇଥିଲେ। ଗୋଗିଙ୍କ ଅକାଳ ବିୟୋଗ ଦଳ ଲାଗି ଅପୂରଣୀୟ କ୍ଷତି ବୋଲି କୁହାଯାଉଛି।
ଗୋଗିଙ୍କ ମୃତ୍ୟୁରେ ଲୁଧିଆନା ବଜାର ବନ୍ଦ ରହିଛି। ଗୋଗି ନିଜ ସରକାର ବିରୁଦ୍ଧରେ ଅନେକ ଥର ସ୍ୱର ଉଠାଇଆସୁଥିଲେ। ବିଧାୟକଙ୍କ ଏଭଳି ସନ୍ଦିଗ୍ଧ ମୃତ୍ୟୁକୁ ନେଇ ସବୁଠି ହଇଚଇ ଖେଳିଯାଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now