ହନିମୁନ ହତ୍ୟାକାଣ୍ଡ- ଟ୍ରାଞ୍ଜିଟ୍ ରିମାଣ୍ଡରେ ୫ ଅଭିଯୁକ୍ତ

ଜୁନ୍ ୧୦ରେ ବିବାହକୁ ମାସେ ପୁରିଥାଆନ୍ତା। ମେ ୧୦ରେ ସୋନମ ମଥାରେ ସିନ୍ଦୂର ଦେଇଥିଲେ ରାଜା ରଘୁବଂଶୀ। ବିବାହ ପୂର୍ବରୁ ରାଜାଙ୍କ ସମେତ ପୁରା ପରିବାର ଲୋକ କେତେ ଖୁସି ଥିଲେ, ଏ ଭିଡ଼ିଓ ତାହା ବୟାନ କରୁଛି। ବରଯାତ୍ରୀରେ ବି ନିଜ ସାଙ୍ଗ ସହ ମଜାଦାର ରିଲ୍ସ କରିଥିଲେ ରାଜା। ହେଲେ କିଏ ଜାଣିଥିଲା ଯାହାକୁ ଜୀବନସାଥୀ କରୁଛନ୍ତି, ସେ ହିଁ ନିଷ୍ଠୁର ସାଜି ତାଙ୍କ ଜୀବନ ଦୀପ ଲିଭାଇବାକୁ ଚକ୍ରାନ୍ତ କରିଛି। ମେଘାଳୟରେ ହନିମୁନ ପ୍ଲାନିଂ କରି ନିଜ ପ୍ରେମିକ ସହ ମିଶି ସୁପାରୀକିଲରଙ୍କୁ ନିୟୋଜିତ କରି ରାଜାଙ୍କୁ ମର୍ଡର କରିଥିବା ସୋନମ ଶେଷରେ ଧରା ପଡ଼ିଛି। ମେ ୨୩ରୁ ଅଚାନକ ଦମ୍ପତ୍ତି ନିଖୋଜ ହେବା, ଜୁନ୍ ୨ରେ ରାଜାଙ୍କ ଗଳିତ ଶବ ଉଦ୍ଧାର ପରେ ସୋନମ କୁଆଡ଼େ ଗଲେ ବୋଲି ଚର୍ଚ୍ଚା ଚାଲିଥିଲା। ୫ ବର୍ଷ ସାନ ପ୍ରେମିକ ରାଜ କୁଶଓ୍ୱାହା ସୋନମ ଘରେ ପ୍ଲାଏଉଡ୍ କାମ କରୁଥିଲା। କାରଣ ସୋନମଙ୍କ ବାପାଙ୍କ ପ୍ଲାଏଉଡ୍ ଫ୍ୟାକ୍ଟ୍ରି ଥିଲା। ଆଉ ଏଇଠାରୁ ହିଁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଅଭିଯୁକ୍ତମାନେ ହେଲେ ରାଜ କୁଶଓ୍ୱାହା, ବିଶାଳ ଚୌହ୍ୱାନ, ଆକାଶ ରାଜପୁତ ଓ ଆନନ୍ଦ କୁର୍ମୀ। କାରଣ ସୋନମଙ୍କ ଭାଇ ଗୋବିନ୍ଦଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ସନ୍ଦେହ ସୃଷ୍ଟି କଲାଣି। ସୋନମ ସମେତ ୫ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ମେଘାଳୟ ପୁଲିସ। ସୋନମକୁ ୩ ଦିନିଆ ଓ ବାକି ୪ ଅଭିଯୁକ୍ତଙ୍କୁ ୭ ଦିନ ଯାଏ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇଛି ଶିଲଂ ପୁଲିସ। ସୋନମର ସ୍ୱାସ୍ଥ୍ୟପରୀକ୍ଷା କରିବା ପରେ ସିଲଂ ପୁଲିସ ଜେରା କରିବାକୁ ନେଇଛି। ଚତୁର୍ଥ ଅଭିଯୁକ୍ତ ଆନନ୍ଦକୁ ବି ପୁଲିସ ଗିରଫ କରିବାରେ ସଫଳ ହୋଇଛି। ଜୁନ୍ ୧୬ ତାରିଖ ଯାଏ ୪ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ନେଇ ଶିଲଂ ପୁଲିସ ତଦନ୍ତ କରିବ। ରାଜ କୁଶଓ୍ୱାହାଙ୍କ ମାଆ କହିଛନ୍ତି, ତାଙ୍କ ଏକମାତ୍ର ପୁଅ ଏମିତି କଦାପି କରିପାରିବନି। ତାକୁ ମାତ୍ର ୨୦ ବର୍ଷ। ସୋନମଙ୍କ ଭାଇ ସହ ଫ୍ୟାକଟ୍ରିରେ କାମ କରୁଥିଲେ। ସେ ନିଇତି ଗୋଦାମ ଯାଉଥିଲେ। ଏହାର ତଦନ୍ତ ହେଉ। ପୁଲିସ ବି ସ୍ପଷ୍ଟ କରିଥିଲା, ସବୁ ଷଡ଼ଯନ୍ତ୍ର ଫୋନରେ ହିଁ ହୋଇଥିଲା। ସୋନମର ପ୍ରେମିକ ରାଜ୍ କେବେ ବି ଶିଲଂ ଯାଇନଥିଲା। ସେ ପ୍ରତି ମୂହୂର୍ତ୍ତରେ ପ୍ଲାନିଂକୁ ଫୋନ ଜରିଆରେ କରୁଥିଲା ଓ ସୋନମ ସହ ନିରନ୍ତର ସମ୍ପର୍କରେ ଥିଲା। ଶିଲଂ ପହଞ୍ଚିବା ମାତ୍ରେ ସେଠାରେ ପୂର୍ବରୁ ଥିବା କଣ୍ଟ୍ରାକ୍ଟ କିଲରଙ୍କୁ ଭେଟିବାକୁ ସୋନମକୁ କହିଥିଲା ରାଜ୍। ସେପଟେ ରାଜାର ଶେଷକୃତ୍ୟ ଦିନ ସୋନମଙ୍କ ବାପାଙ୍କ ସହ ଥିଲେ ସୋନମଙ୍କ ବୟଫ୍ରେଣ୍ଡ ରାଜ କୁଶଓ୍ୱାହା। କିନ୍ତୁ ରାଜ୍ ବାବଦରେ ସୋନମଙ୍କ ବାପା ମାଆ ଜାଣିନଥିବା କହିଥିଲେ। ଏହାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଝିଅ ଜ୍ୱାଇଁ ନିଖୋଜ ପରେ ମେଘାଳୟ ସରକାର, ମେଘାଳୟ ପର୍ଯ୍ୟଟନ ଓ ମେଘାଳୟ ଲୋକଙ୍କ ଉପରେ ଅପମାନଜନକ ଟିପ୍ପଣୀ ଦେଇଥିବା ସୋନମଙ୍କ ପରିବାରଠୁ କ୍ଷମାପ୍ରାର୍ଥନା ଦାବି କରିଛି କନଫେଡେରସନ ଅଫ ମେଘାଳୟ ସୋସିଆଲ ଅର୍ଗାନାଇଜେସନ। ଏକ ବ୍ୟକ୍ତିଗତ ଘଟଣାକୁ ରାଜନୀତିକରଣ କରିବା, ଗଣମାଧ୍ୟମରେ ମନଇଛା କହିବା ଓ ଦେଶତମାମ ମେଘାଳୟ ବିରୋଧୀ ଭାବନାକୁ ଉଜାଗର କରିବାରେ ସୋନମ ପରିବାର ପୁରା ଜୁଟିଥିଲେ ବୋଲି ଆରୋପ ଲଦିଛି ସଂଘ। ତଦନ୍ତ ସମ୍ପୂର୍ଣ୍ଣ ନ ହେଲା ଯାଏ କାହାକୁ ଆଗୁଆ ଦୋଷୀ ସଜାଇବାରୁ ଗଣମାଧ୍ୟମ ଓ ସାଧାରଣ ଜନତା ଦୂରେଇ ରୁହନ୍ତୁ ବୋଲି ପରାମର୍ଶ ଦେଇଛି ମେଘାଳୟ ପୁଲିସ। ରାଜାଙ୍କ ଭଉଣୀ ସ୍ରଷ୍ଟି ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର। ସେ ଏବେ ସୋସିଆଲ ମିଡିଆରେ ବେଶ୍ ସମାଲୋଚନାର ଶୀକାର ହେଉଛନ୍ତି। ନିଜ ଭାଇର ମୃତ୍ୟୁକୁ ନେଇ ଭ୍ୟୁ ଓ ଲାଇକ ଚକ୍କରରେ ଇନଷ୍ଟାଗ୍ରାମରେ ରିଲ୍ସ କରୁଛନ୍ତି। ସ୍ରଷ୍ଟି ରଘୁବଂଶୀଙ୍କ ଇନଷ୍ଟାଗ୍ରାମରେ ପ୍ରାୟ ୩.୭ଲକ୍ଷ ଫଲୋଅର ଅଛନ୍ତି। ୟୁଜର୍ସ ସମାଲୋଚନା କରି କହିଛନ୍ତି ଯେ, ଭାଇର ମୃତ୍ୟୁ ପରେ ଭଉଣୀ ଇନଷ୍ଟାଗ୍ରାମରେ ଟଙ୍କା କମାଇବାରେ ଲାଗିଛନ୍ତି। ପ୍ରେମିକ ସହ ମିଶି କଣ୍ଟ୍ରାକ୍ଟ କିଲରଙ୍କୁ ଲଗାଇ ରାଜାଙ୍କୁ ମର୍ଡର କରିଦେଲେ ସୋନମ। ତେବେ ଏହି ବହୁ ଚର୍ଚ୍ଚିତ ହନିମୁନ ହତ୍ୟାକାଣ୍ଡର ସବୁ ଦିଗକୁ ଉନ୍ମୋଚନ କରିବାକୁ ପୁଲିସ ରିମାଣ୍ଡରେ ନେଇଥିବା ଅଭିଯୁକ୍ତଙ୍କଠୁ କେଉଁ କଥା ଓଗାଳୁଛି, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *