ବାୟୁସେନା ଅଧିକାରୀଙ୍କୁ ମାଡ଼- ଘଟଣାରେ ନୂଆ ଟ୍ୱିଷ୍ଟ୍

ବେଙ୍ଗାଲୁରୁରେ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ମାଡ଼ ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ। ଅଧିକାରୀ ଯେଉଁ ଭିଡ଼ିଓ ଜାରି କରି ତାଙ୍କ ଉପରକୁ ମାଡ଼ ହୋଇଥିବାର ଦାବି କରୁଥିଲେ, ତାହା ପୁରା ସତ ନୁହେଁ। ଓ୍ୱିଙ୍ଗ କମାଣ୍ଡର ଅଭିଯୋଗ କରିଥିଲେ ଯେ, ତାଙ୍କ ଉପରକୁ ମାଡ଼ ହୋଇଛି। ପୁଲିସ ଯାଞ୍ଚରୁ ସାମ୍ନାକୁ ଆସିଲା ଯେ, ପ୍ରଥମେ ବାଇକ ଆରୋହୀକୁ ବାୟୁସେନା ଅଧିକାରୀ ପିଟିଥିଲେ। ଗଲା ସୋମବାର ଏହା ଭାଷା ବିବାଦର ରୂପ ନେଇଥିଲା। ଓ୍ୱିଙ୍ଗ୍ କମାଣ୍ଡର ବୋସ୍ ନିଜ ପତ୍ନୀ ସ୍କ୍ୱାଡ୍ରେନ ଲିଡର ମଧୁମିତାଙ୍କ ସହ କାରରେ ଯାଉଥିଲା ବେଳେ କୁଆଡ଼େ ମରଣାନ୍ତକ ଆକ୍ରମଣର ଶୀକାର ହୋଇଥିଲେ ବୋଲି ଅଭିଯୋଗ କରିଥିଲେ। ଲହୁଲୁହାଣ ଓ୍ୱିଙ୍ଗ୍ କମାଣ୍ଡର ଶିଲାଦିତ୍ୟ ବୋଷ ଭିଡ଼ିଓ ବନାଇଥିଲେ। ଏ ଦମ୍ପତ୍ତି ସିଭି ରମଣ ନଗରର ଡିଆରଡିଓ କଲୋନୀରୁ ବିମାନବନ୍ଦର ଯାଉଥିଲା ବେଳେ ଏଭଳି ଅଘଟଣ ଘଟିଥିଲା। ସେମାନଙ୍କ କାରରେ ଡିଆରଡିଓ ଷ୍ଟିକର ଦେଖି ବାଇକ ଆରୋହୀ କୁଆଡ଼େ କନ୍ନଡ଼ରେ ଗାଳିଗୁଲଜ କରିଥିଲେ। ଏହାକୁ ବୋଷ ବରଦାସ୍ତ କରିନପାରି ଏହାକୁ ମୁକାବିଲା ପାଇଁ କାର୍ ବାହାରକୁ ବାହାରିବା ମାତ୍ରେ ବାଇକ ଆରୋହୀ ଜଣକ ତାଙ୍କ ମୁଣ୍ଡକୁ ଚାବିରେ ଜୋରରେ କେଞ୍ଚିଦେଇ ଭୁଷିଥିଲେ। ଏଥିରେ ତାଙ୍କ ମୁଣ୍ଡରୁ ରକ୍ତ ବାହାରିଥିଲା। ତାପରେ ସଂପୃକ୍ତ ବ୍ୟକ୍ତି ପଥର ଉଠାଇ କାର୍ କୁ ପିଙ୍ଗିବାକୁ ପ୍ରୟାସ କରିଥିଲେ। ଆଉ ସେ ପଥର ତାଙ୍କ ମୁଣ୍ଡରେ ମାଡ଼ ହୋଇଥିଲା। ଥାନାକୁ ଯାଇ ଅଭିଯୋଗ କରିବୁ କଅଣ। ଥାନାରୁ କୌଣସି ଭରସା ଦିଆଗଲାନି। ଭଗବାନ ଆମକୁ ସାହାଯ୍ୟ କରନ୍ତୁ କହି ଭିଡ଼ିଓ ଜାରି କରିଥିଲେ ବୋଷ। ଯଦି ଆଇନ ଓ ବ୍ୟବସ୍ଥା ଆମର ସାହାଯ୍ୟ କରିବେନି। ତାହେଲେ ସେ ଜବାବୀ ପଦକ୍ଷେପ ନେବେ ବୋଲି ଭିଡ଼ିଓ ରେକର୍ଡିଂରେ କହିଥିଲେ। କିନ୍ତୁ ସିସିଟିଭି ଫୁଟେଜରେ ପୁରା ଘଟଣା କଏଦ ହୋଇଛି। ଏହା ସହ କିଛି ଭାଇରାଲ ଭିଡ଼ିଓରେ। ମଧୁମିତା କାରର ଡୋର୍ ଖୋଲିବା ବେଳେ ଭୁଲରେ ବାଇକ ଆରୋହୀ ବିକାଶଙ୍କ ଦେହରେ ବାଜିଥିଲା। ଏହାକୁ ନେଇ ବଚସା ଓ ପରେ ପରେ ହିଂସା ଆଡ଼କୁ ମୁହାଁଇଥିଲା ଘଟଣା। ଉଭୟଙ୍କ ଭିତରେ ବଚସା ପରେ ଆଗ ବୋଷ ହିଁ ବାଇକ ଆରୋହୀ ବିକାଶକୁ ପିଟିଥିଲେ। ତଳେ ପକାଇ ଲାତ ଗୋଇଠା ମାରିଥିଲେ। ବେଙ୍ଗାଲୁରୁ ପୁଲିସ କହିଛି, ଏ ଘଟଣା କୌଣସି ଭାଷା ବିବାଦ ନୁହେଁ କି ଆଞ୍ଚଳିକ ବୈଷମ୍ୟବାଦର ନୁହେଁ। ରାସ୍ତାରେ ବଚସାରୁ ହାତାହାତି ଘଟଣା। ଥାନାକୁ ବାୟୁସେନା ଅଧିକାରୀ ଦମ୍ପତ୍ତି ପହଞ୍ଚିବା ପରେ ଆଗ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଥିଲା। କାରଣ ବୋଷଙ୍କ ଶରୀରରୁ ରକ୍ତ ବାହାରୁଥିଲା। ଘଟଣା ଅଧିକ ନ ବଢ଼ିବ ବୋଲି ଅଭିଯୁକ୍ତ ବାଇକ ଆରୋହୀକୁ ପୁଲିସ ଗିରଫ କରିସାରିଛି। ବାଇକ ଆରୋହୀ ବିକାଶ ଏକ ସଫ୍ଟଓ୍ୱେର କମ୍ପାନୀରେ କଲସେଣ୍ଟର ଟିମ୍ ର ପ୍ରମୁଖ ଭାବେ କାମ କରନ୍ତି। ମଧୁମିତାଙ୍କ ଏତଲା କ୍ରମେ ବିକାଶକୁ ଗିରଫ କରିଥିଲା ପୁଲିସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *