ବଢ଼ିଲା ଅର୍ଚ୍ଚନାଙ୍କ ଅଡ଼ୁଆ। ସତ୍ତ୍ୱ ଜାଲିଆତି ମାମଲାରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି ଆଇଜିଆର୍। ସପ୍ତାହକ ଭିତରେ ଅର୍ଚ୍ଚନା ଗୌଡ଼ଙ୍କୁ ଜବାବ ଦେବାକୁ କହିଛନ୍ତି ଆଇଜିଆର୍। କାହିଁକି ଅର୍ଚ୍ଚନାଙ୍କ ବିରୁଦ୍ଧରେ ବିଭାଗୀୟ ଓ ଶୃଙ୍ଖଳାଗତ ଆକ୍ସନ ହେବନି। ଆଇଜିଆର ଏ କଥା ବି ଦର୍ଶାଇଛନ୍ତି, ଏଭଳି କେଳେଙ୍କାରୀ ଅର୍ଚ୍ଚନାଙ୍କ ଜାଣତରେ ହିଁ ହୋଇଛି। କାଶୀପୁର ମୌଜାରେ ୬୪୫ ଡିସିମିଲ ପରିମିତ ବ୍ରହ୍ମୋତ୍ତର ଟଙ୍କି ଜମିକୁ ଜାଲିଆତି କରି ପଟ୍ଟାରେ ସ୍ଥିତିବାନ କରି ବିକିଥିଲେ ଶିବାନୀ ଶଙ୍କର ରଥ।ସେ ଯେଉଁ ୮ ଜଣଙ୍କୁ ବିକିଥିଲେ, ସେମାନଙ୍କ ଭିତରେ ଥିଲେ ତାଙ୍କ ନିଜ ପତ୍ନୀ ଜୟନ୍ତୀ ପୁଷ୍ପାଳକ। ଏଭଳି କେଳେଙ୍କାରୀକୁ ନେଇ ନକ୍ଷତ୍ର ନ୍ୟୁଜରେ ଖବର ପ୍ରସାରଣ ପରେ ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ ଅର୍ଚ୍ଚନା ଗୌଡ଼। ଆଉ ପୁଲିସ ଏହାର ତଦନ୍ତ କରି ଏହି ଦମ୍ପତ୍ତିକୁ ଗିରଫ କରିଛି। ତେବେ ଏହି ଦମ୍ପତ୍ତିଙ୍କୁ ଗିରଫ ପୂର୍ବରୁ ଏ କେଳେଙ୍କାରୀରେ ସବ-ରେଜିଷ୍ଟ୍ରାରଙ୍କ ସଂପୃକ୍ତି ନେଇ ଅଙ୍ଗୁଳି ଉଠିଥିଲା। କେଉଁ ପରିସ୍ଥିତିରେ ବିନା ଚେକିଂରେ ଏଭଳି ରେଜିଷ୍ଟ୍ରେସନରେ ମୋହର ମାରିଲ ବୋଲି ପଚାରିଛନ୍ତି ଆଇଜିଆର ସୁମିତା ସରକାର। ଏ କେଳେଙ୍କାରୀ ଖବର ପ୍ରସାରଣ ପରେ ନିଜ ଆଡ଼ୁ ସଂଜ୍ଞାନ ନେଇଥିଲେ ରାଜସ୍ୱ ମନ୍ତ୍ରୀ। ଏମିତିକା ଆକ୍ସନ ହେବ ଯେ, ତାହା ସମସ୍ତଙ୍କ ପାଇଁ ଉଦାହରଣ ହୋଇ ରହିବ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ସେପଟେ କାଳେ ତାଙ୍କ ଉପରେ ଆକ୍ସନ ହୋଇଯିବ, ସେ ଭୟରେ ଆଗତୁରା ଟେକ୍ନୋଲୋଜି ପାର୍ଟନର ଟେରାସିସର ଜିଲ୍ଲା ସଂଯୋଜକ ପ୍ରଦୀପ୍ତ ନନ୍ଦଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ ଅର୍ଚ୍ଚନା। ଆରଓଆର ପ୍ରିଣ୍ଟ୍ ଲାଗି କୌଣସି ଷ୍ଟାଫ୍ ନିୟୋଜିତ କରିନଥିବାରୁ ଅର୍ଚ୍ଚନା ଦାଉ ସାଧିବାକୁ ବସିଥିଲେ ଆଉଟସୋର୍ସିଂ ଏଜେନ୍ସିର କର୍ମଚାରୀଙ୍କ ଉପରେ। ତେବେ ନକ୍ଷତ୍ର ନ୍ୟୁଜ୍ ପ୍ରଶ୍ନ କରିଥିଲା, ଏଭଳି ପଞ୍ଜୀକରଣ ଜାଲିଆତିରେ କଅଣ ସବ-ରେଜିଷ୍ଟ୍ରାରଙ୍କ କୌଣସି ଉତ୍ତରଦାୟିତ୍ୱ ନାହିଁ କି। ଭୂଲେଖ ଓ୍ୱେବସାଇଟକୁ ଯାଇ ଜମିର ସତ୍ତ୍ୱକୁ କାହିଁକି ନିରୀକ୍ଷଣ କଲେନି ଅର୍ଚ୍ଚନା ଗୌଡ଼ ବୋଲି ପଚାରିଛନ୍ତି ଆଇଜିଆର।ସବରେଜିଷ୍ଟ୍ରାର ଭାବେ ଜଏନ କରିବାର ୧୫ଟା ଦିନ ଯାଇନଥିଲା। ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ଙ୍କ ଏହି ସତ୍ତ୍ୱ କେଳେଙ୍କାରୀ ଲାଗି ବେଶ୍ ଦୁର୍ନାମ ମୁଣ୍ଡାଇଲାଣି ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସ୍। ସରକାର ବି ବଦନାମ ହେଲେଣି। ଏବେ ଦେଖିବାର କଥା, ଆଇଜିଆରଙ୍କ ଆଗରେ ଆତ୍ମରକ୍ଷା ଲାଗି ଅର୍ଚ୍ଚନା କି ସଫେଇ ରଖୁଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now