ପ୍ରତିଶୋଧ ନେବ ଭାରତ। ପହଲଗାମ ଆତଙ୍କି ଆକ୍ରମଣ ପରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିଆସୁଥିବା ପାକିସ୍ତାନ ବିରୁଦ୍ଧରେ ବଡ଼ ଧରଣର ପ୍ରତିଶୋଧ ନେବାକୁ ଅଣ୍ଟା ଭିଡ଼ିଲାଣି ଭାରତ। ଆଗ ଓ୍ୱାଟର ଷ୍ଟ୍ରାଇକ ପରେ ଏବେ ଡିଜିଟାଲ ଷ୍ଟ୍ରାଇକ୍ କରିଛି ଭାରତ। ଭାରତରେ ଏଣିକି ଚାଲିବଲି ପାକିସ୍ତାନର ପ୍ରୋପାଗାଣ୍ଡା। ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ପାକିସ୍ତାନର ୧୬ଟି ୟୁଟ୍ୟୁବ ଚାନେଲକୁ ବ୍ୟାନ୍ କରିଛନ୍ତି କେନ୍ଦ୍ର ସରକାର। ବିବିସି ଉପରେ ବି ବର୍ଷିଛନ୍ତି ଭାରତ ସରକାର। ଆତଙ୍କବାଦୀଙ୍କୁ ଯୋଦ୍ଧା କହିଥିଲା ବିବିସି। ବ୍ୟାନ୍ ହୋଇଥିବା ୟୁଟ୍ୟୁବ୍ ଚାନେଲ ଭିତରେ ରହିଛି, ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତାର, ବାସିତ୍ ଅଲ୍ଲୀ ଓ ତନବୀର ଅହମ୍ମଦଙ୍କ ଚ୍ୟାନେଲ। ଭାରତୀୟ ସେନା ଓ ସୁରକ୍ଷା ଏଜେନ୍ସିକୁ ବଦନାମ କରୁଥିବାରୁ ଏ ସବୁ ଚ୍ୟାନେଲକୁ ବ୍ଲକ୍ କରିଦିଆଯାଇଛି। ସେପଟେ ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ସାହିଦି ଆଫ୍ରିଦିଙ୍କ ୟୁଟ୍ୟୁବ ଚାନେଲ କିନ୍ତୁ ବ୍ଲକ୍ ହୋଇନି। ଏହାର ୧୨ଲକ୍ଷ ଅନୁଗାମୀ ଅଛନ୍ତି। ପାକିସ୍ତାନ ବଦଳରେ ଦୁବାଇରୁ ଆଫ୍ରିଦି ନିଜ ଚ୍ୟାନେଲ ଚଳାଉଛନ୍ତି। ଭାରତ ନିଜ ଲୋକଙ୍କୁ ମାରୁଛି। କିନ୍ତୁ ଅଯଥାରେ ପାକିସ୍ତାନ ଉପରେ ଦୋଷ ଲଦୁଛି ବୋଲି ସଙ୍ଗୀନ ଆରୋପ ଲଦିଛନ୍ତି ଆଫ୍ରିଦି। ନିଜ ଲୋକଙ୍କୁ ସୁରକ୍ଷା ଦେଇପାରୁନଥିବା ଭାରତ ତୁଛାରେ ପାକିସ୍ତାନ ଉପରେ ଦୋଷ ଲଦୁଛି। ପାକିସ୍ତାନକୁ ଦୋଷୀ ସଜାଇବା ଆଗରୁ ଭାରତକୁ ପ୍ରମାଣ ମାଗିଛନ୍ତି ସାହିଦି। ଭାରତ ସହ ପାକିସ୍ତାନ ସବୁବେଳେ ଭଲ ସମ୍ପର୍କ ରଖିବାକୁ ପ୍ରୟାସ କରୁଛି। ସେପଟେ ପାକିସ୍ତାନର ଅବସ୍ଥା ଅସମ୍ଭାଳ ହେଲାଣି। ଶତାଧିକ ସେନା ନିଜ ଚାକିରୀରୁ ଇସ୍ତଫା ଦେଇସାରିଲେଣି। ପରିବାର ଚାପ, ମାନସିକ ବିଦ୍ୱେଷ, ସୀମାରେ ଲାଗିଥିବା ଅନିଶ୍ଚିତତା ଓ ଅଶାନ୍ତି କାରଣରୁ ୨୫୦ ଅଫିସର ଓ ୧୨ଶହ ସୈନିକ ସାମୂହିକ ଚାକିରୀରୁ ଇସ୍ତଫା ଦେଇଛନ୍ତି। ପାକିସ୍ତାନକୁ ମୁହଁତୋଡ଼ ଜବାବ ଦେବାକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଜାରି ଥିବା ଅପରେସନ ଓ ସ୍ଥିତି ବାବଦରେ ଅବଗତ କରାଇଛନ୍ତି ପ୍ରଧାନମନ୍ତ୍ରୀଙ୍କୁ। ଦୁଇ ନେତାଙ୍କ ଭିତରେ ପ୍ରାୟ ୪୦ ମିନିଟ୍ ଧରି ଗହନ ମନ୍ତ୍ରଣା ହୋଇଥିଲା। ଦିଲ୍ଲୀରୁ ନେଇ ସୀମା ପର୍ଯ୍ୟନ୍ତ ସବୁଠି ହାଇଆଲର୍ଟ ସ୍ଥିତି ଜାରି ରହିଛି। କିଛି ବଡ଼ ଧରଣର ଅପରେସନ କରିପାରେ ଭାରତ ବୋଲି ଏଭଳି ଗତିବିଧିରୁ ଅନୁମାନ କରିହେଉଛି। ସେପଟେ ଜମ୍ମୁକଶ୍ମୀର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଆତଙ୍କି ଆକ୍ରମଣରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନିର୍ଦୋଷ ଓ ନିରୀହ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ବର୍ବରତା ଓ ଅମାନବୀୟ ଆକ୍ରମଣରେ ଗଭୀର ଶୋକବ୍ୟକ୍ତ ସହ କଡ଼ା ନିନ୍ଦା କରାଯାଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯିବାକୁ ଥିବା ସମସ୍ତ ପଦକ୍ଷେପକୁ ସମର୍ଥନ କରାଯିବ ବୋଲି ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି। ଭାବବିହ୍ୱଳ ହୋଇପଡ଼ିଥିଲେ ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲ୍ଲା। ଏହି ସମୟରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଗି କେନ୍ଦ୍ରକୁ କେଉଁ ମୁହଁରେ ଦାବି କରିବି ବୋଲି କହିଛନ୍ତି ଓମାର୍। ଆମେ ବନ୍ଧୁକ ଦ୍ୱାରା ଆତଙ୍କବାଦକୁ ନିୟନ୍ତ୍ରଣ କରିପାରିବା, କିନ୍ତୁ ସମାପ୍ତ କରିପାରିବାନି ବୋଲି କହିଛନ୍ତି ଓମାର୍। ସେପଟେ କଂଗ୍ରେସର କିଛି ନେତା ଯେମିତିକି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା, ମହାରାଷ୍ଟ୍ର କଂଗ୍ରେସ ବିଧାୟକ ବିଜୟ ଓ୍ୱାଟେଡିୟାର ପହଲଗାମ ଆତଙ୍କି ଆକ୍ରମଣ ଘଟଣାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଜରୁରୀ ନୁହେଁ ବୋଲି ସିଦ୍ଧରମେୟା କହିଥିଲେ। ଯଦି ଭାରତ ସରକାର ଏଥିଲାଗି ପ୍ରସ୍ତୁତ, ତେବେ କରନ୍ତୁ। ପାକିସ୍ତାନକୁ ପାଣି ଅଟକାଇବାକୁ ଭାରତ ସରକାର କହୁଛନ୍ତି। କିନ୍ତୁ ଏହା କରିବାକୁ ୨୦ବର୍ଷ ଲାଗିଯିବ। ବରଂ କଶ୍ମୀର ଘାଟିରେ ସୁରକ୍ଷାକୁ ମଝଭୁତ କରନ୍ତୁ। ଆଉ ବିଜୟ କହିଛନ୍ତି, ଆତଙ୍କବାଦୀଙ୍କ ପାଖରେ ଏତେ ସମୟ କୁଆଡ଼େ ଥିଲା ଯେ, ସେମାନେ ଧର୍ମ ପଚାରି ଗୁଳି କଲେ। ମୂଳ ପ୍ରସଙ୍ଗକୁ ଏଡ଼ାଇବାକୁ ସରକାରଙ୍କ ଏହା ଚାଲ୍ ବୋଲି କହିଛନ୍ତି ବିଜୟ। ଆଉ ଏଆଇସିସି ଅଧ୍ୟକ୍ଷ ଖଡ଼ଗେ ରାଜସ୍ଥାନରେ ଆୟୋଜିତ ସମ୍ୱିଧାନ ବଞ୍ଚାଅ ରାଲିରେ ପୀଡ଼ିତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦେବା ସହ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଗାନ୍ଧୀ ଶ୍ରୀନଗର ଯାଇ ପୀଡ଼ିତଙ୍କୁ ଭେଟିଲେ। କିନ୍ତୁ ମୋଦି ନା ସର୍ବଦଳୀୟ ବୈଠକକୁ ଆସିଲେ ନା କଶ୍ମୀର ଗଲେ। କେବଳ ବଡ଼ ବଡ଼ କଥା କହୁଛନ୍ତି। ୫୬ ଇଞ୍ଚର ଛାତି, ଲଢ଼ିବି ଓ ଘରେ ପଶିକି ମାରିବି। କିନ୍ତୁ କିଛି କରୁନାହାନ୍ତି। ଜମ୍ମୁକଶ୍ମୀର କଂଗ୍ରେସ ସଭାପତି କହିଥିଲେ, ଆପୋଷ ବୁଝାମଣାରେ ସମାଧାନ କରାଯାଉ। ବିଜେପି ଏହାର କଡ଼ କାଉଣ୍ଟର କରିଛି। ସର୍ବଦଳୀୟ ବୈଠକରେ ସରକାରଙ୍କୁ ସମର୍ଥନ କରିବାକୁ କହିଥିବା କଂଗ୍ରେସ ପାକିସ୍ତାନର ଭାଷା କହୁଛି। କଂଗ୍ରେସ ଏଭଳି ନେତାଙ୍କୁ ବହିଷ୍କାର କରିବା ଉଚିତ। ଯେମିତି ଅତୀତରେ ରାହୁଲ ଗାନ୍ଧୀ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିଥିଲେ। ପାକିସ୍ତାନ ରାହୁଲ, ସିଦ୍ଧରମେୟା ଓ ତିମାପୁରଙ୍କ ବୟାନକୁ ପାକିସ୍ତାନୀ ଟିଭିରେ ପ୍ରସାରଣ କରି ପାକିସ୍ତାନ ଏମାନଙ୍କୁ ସମବେଦନାକାରୀ ଭାବେ ଦର୍ଶାଉଛି। ରାଷ୍ଟ୍ରନୀତି ସବୁ ନୀତି ଉପରେ ରହିବା ଦରକାର ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ଓ ସେହେଜାଦା ପୁନାଓ୍ୱାଲା। ଆତଙ୍କି ଆକ୍ରମଣର ପ୍ରତିଶୋଧ ନିଆଁରେ ଜଳୁଛି ଭାରତ। ଆତଙ୍କବାଦ ବିରୁଦ୍ଧରେ ପୁରା ଦେଶ ଏକ୍ ବୋଲି ବାର୍ତ୍ତା ଦେଇସାରିଲାଣି। ଅପରାହ୍ନ ୩ଟାରେ ସଂସଦରେ ପ୍ରତିରକ୍ଷା ସଂସଦୀୟ ଷ୍ଟାଣ୍ଡିଂ କମିଟିର ବୈଠକ ବସିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now