ସୁଇସାଇଡ୍ ମିଷ୍ଟ୍ରି- ଜାତି ନା ଦୁର୍ନୀତି

ବରିଷ୍ଠ ଆଇପିଏସ ଓ୍ୱାଇ ପୁରନ କୁମାରଙ୍କ ଆତ୍ମହତ୍ୟାର ଅଷ୍ଟମ ଦିନରେ ରୋହତକ ପୁଲିସର ସାଇବର ସେଲରେ କାର୍ଯ୍ୟରତ ଏଏସଆଇ ସନ୍ଦୀପ ଲାଠେରଙ୍କ ଆତ୍ମହତ୍ୟା ମାମଲା ହରିଆଣାରେ ହଇଚଇ ଖେଳାଇଦେଇଛି। ଦୁଇଟି ଯାକ ଆତ୍ମହତ୍ୟା ମାମଲାରେ ଜାତିଆଣ ଭେଦଭାବ ଓ ଭ୍ରଷ୍ଟାଚାରକୁ ନେଇ ଗମ୍ଭୀର ଆରୋପ ପରେ ଏହା ଏବେ ଜାତୀୟ ମୁଦ୍ଦା ହୋଇସାରିଲାଣି। ସନ୍ଦୀପଙ୍କ ସୁଇସାଇଡ୍ ମାମଲା ସହ ପୁରନ କୁମାରଙ୍କ ସୁଇସାଇଡ୍ ମାମଲା ଜଡ଼ିତ ଥିବାର ସ୍ପଷ୍ଟତା ଆସିଛି। ପୁରନ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଥିବା ଅଭିଯୁକ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ  ନ ହେବା ଯାଏ ଶବ ବ୍ୟବଛେଦ ଓ ଅନ୍ତିମ ସଂସ୍କାର ଲାଗି ରାଜି ହେଉନଥିଲେ ଆଇଏଏସ ପତ୍ନୀ ଅମନିତ ପି କୁମାର। ତେବେ ହରିଆଣା ସରକାରଙ୍କ ପକ୍ଷରୁ ଅଭିଯୁକ୍ତ ଅଫିସରଙ୍କ ବିରୁଦ୍ଧରେ ଆକ୍ସନ ଓ ଚଣ୍ଡୀଗଡ଼ ପୁଲିସ ପକ୍ଷରୁ ନିରପେକ୍ଷ ତଦନ୍ତ ଲାଗି ପ୍ରତିଶୃତି ପାଇବା ପରେ ପୁରନଙ୍କ ଶବବ୍ୟବଛେଦ ଲାଗି ରାଜି ହୋଇଛନ୍ତି ଅମନିତ। ଚଣ୍ଡିଗଡ଼ କୋର୍ଟ ବି ଅମନିତଙ୍କୁ ନିର୍ଦେଶ ଦେଇଥିଲେ, ପୁରନଙ୍କ ଶବ ବ୍ୟବଛେଦ ଲାଗି ଶବକୁ ଚିହ୍ନଟ ପ୍ରକ୍ରିୟାରେ ସହଯୋଗ କରବାକୁ। ଚଣ୍ଡିଗଡ଼ ପିଜିଆଇ ହସ୍ପିଟାଲରେ ପୁରନଙ୍କ ଶବ ବ୍ୟବଛେଦ ହୋଇଛି। ମହାପଞ୍ଚାୟତ ବି ସର୍ବସମ୍ମତ ନିଷ୍ପତ୍ତି ନେଇ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଇଥିଲା। ଯିଏ ପୁରନଙ୍କ ଆତ୍ମହତ୍ୟା ଲାଗି ଦାୟୀ, ସେମାନଙ୍କ ବିରୁଦ୍ଧରେ ଆକ୍ସନ ନିଅ। ୪୮ ଘଣ୍ଟା ଭିତରେ ଆକ୍ସନ ନ ହେଲେ ଚଣ୍ଡିଗଡ଼ ରାଜ୍ୟପାଳଙ୍କୁ ଭେଟି ପରବର୍ତ୍ତୀ ପଦକ୍ଷେପ ନେବ ବୋଲି ଚେତାଇ ଦେଇଥିଲା ମହାପଞ୍ଚାୟତ। ଡିଜିଙ୍କୁ ଛୁଟିରେ ପଠାଇଦେଇଛନ୍ତି ସରକାର। ରୋହତକ ଏସପିଙ୍କ ବିରୁଦ୍ଧରେ ବି ଆକ୍ସନ ହୋଇସାରିଛି। ହରିଆଣା ସରକାର ନିଜ କାମ କରିଦେଲେ। ଏବେ ଚଣ୍ଡିଗଡ଼ ପ୍ରଶାସନ ଉପରେ ସବୁ ଫୋକସ୍। ଶିରୋମଣି ଅକାଳୀ ଦଳ ବି ପୁରନଙ୍କ ଆତ୍ମହତ୍ୟା ମାମଲାରେ ଠୋସ୍ କାର୍ଯାନୁଷ୍ଠାନ ନେବାକୁ ଦାବି କରିଥିଲା। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ୱାନ ବି ମଙ୍ଗଳବାର ପୁରନଙ୍କ ପରିବାରକୁ ଭେଟି ନ୍ୟାୟ ମିଳିବ ବୋଲି କହିଥିଲେ। ସେପଟେ ସନ୍ଦୀପଙ୍କ ଶବ ବ୍ୟବଛେଦ ଲାଗି ରାଜି ହେଉନାହାନ୍ତି ପରିବାର। ବିଳମ୍ୱିତ ରାତି ପର୍ଯ୍ୟନ୍ତ ରୋହତକ ଏସପି ପ୍ରତୀକ ଅଗ୍ରଓ୍ୱାଲ ପରିବାରକୁ ବୁଝାସୁଝା କରିଥିଲେ ସୁଦ୍ଧା ପରିବାର ଲୋକେ ମାନିନଥିଲେ। ଶବକୁ ସରକାରୀ ଗାଡ଼ିରେ ନେବା ବଦଳରେ ଟ୍ରାକ୍ଟର ଟ୍ରଲିରେ ରଖି ତାଙ୍କ ମାମୁଁଙ୍କ ଘରକୁ ନେଇଛନ୍ତି। ଯେ ପର୍ଯ୍ୟନ୍ତ ଅମନିତ ପି କୁମାରଙ୍କ ବିରୁଦ୍ଧରେ କେସ୍ ହୋଇନି। ଅମନିତଙ୍କୁ ଗିରଫ କରାଯାଇନି ସେ ପର୍ଯ୍ୟନ୍ତ ଶବବ୍ୟବଛେଦ କରିବାକୁ ଦେବେନି। ସନ୍ଦୀପ ମଙ୍ଗଳବାର ନିଜ ମାମୁଁଙ୍କ ଜମିରେ ସର୍ଭିସ ରିଭଲଭରରୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ସୁଇସାଇଡ୍ ପୂର୍ବରୁ ଭିଡ଼ିଓ ସହ ୪ ପୃଷ୍ଠାର ସୁଇସାଇଡ୍ ନୋଟରେ ଆଇପିଏସ ଓ୍ୱାଇ ପୁରନ କୁମାରଙ୍କ ଉପରେ ଭ୍ରଷ୍ଟାଚାରର ଗମ୍ଭୀର ଆରୋପ ଲଦିଥିଲେ ସନ୍ଦୀପ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସ୍ୱର୍ଗତ ଆଇପିଏସ ପୁରନ କୁମାରଙ୍କ ଗନମ୍ୟାନଙ୍କୁ ଲାଞ୍ଚ ମାମଲାରେ ଗିରଫ କରିବା ପରେ ସନ୍ଦୀପଙ୍କୁ ଟାର୍ଗେଟ କରିଥିଲେ ପୁରନ। ପୁରନଙ୍କ ଦୁର୍ନୀତି ମାମଲାର ଯାଞ୍ଚ କରନ୍ତୁ ସରକାର। ରୋହତକ ଏସପି ସୁରେନ୍ଦ୍ର ସଂ ଭୋରିଆ କହିଛନ୍ତି, ସନ୍ଦୀପ ଜଣେ କର୍ମଠ ଓ ସଚ୍ଚୋଟ ଅଫିସର ଥିଲେ। ସୁଇସାଇଡ୍ ମାମଲାର ତଦନ୍ତ ହେବ। ଜାତିଆଣ ଭେଦଭାବରୁ ନିର୍ଯାତନା, ଦୁର୍ନୀତି ଓ ସର୍ବୋପରି ବ୍ୟବସ୍ଥାଗତ ଭ୍ରଷ୍ଟାଚାର ଭିତରେ ଘୁରିବୁଲୁଛି ଏହି ଦୁଇଟି ଚର୍ଚ୍ଚିତ ସୁଇସାଇଡ୍ ଘଟଣା। ହରିଆଣା ପୁଲିସର ସ୍ୱଛତା ଓ ଉତ୍ତରଦାୟିତ୍ୱକୁ ନେଇ ଏବେ ଜନତା ଅଙ୍ଗୁଳି ଉଠାଇଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *