ଜଗନ୍ନାଥ ପ୍ରଧାନ ଜେଲରେ। ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଜଗାଙ୍କ ବିରୁଦ୍ଧରେ କଡ଼ା ଦଫା ଲଗାଇଛି ପୁଲିସ। ଅପରାଧିକ ଷଡ଼ଯନ୍ତ୍ରକାରୀ ଭାବେ ଦର୍ଶାଇଛି। ଘଟଣାକୁ ଉସୁକାଇବାରେ ଜଗାଙ୍କ ସିଧାସଳଖ ସଂପୃକ୍ତିକୁ ସ୍ପଷ୍ଟ କରି ଦଫା ଲଗାଇଛି ପୁଲିସ। ଜାମିନ ଆବେଦନ ଖାରଜ ପରେ ଜଗା ଜେଲରୁ ଏବେ ବାହାରିବା ମୁସ୍କିଲ ହୋଇପଡ଼ିଛି। ତାଙ୍କ ଜାମିନ ଆବେଦନ ଜିଲ୍ଲା ଜଜ କୋର୍ଟରେ ଆସନ୍ତା ୯ ତାରିଖରେ ଶୁଣାଣୀ ହେବ। ଆତ୍ମସମର୍ପଣ ପୂର୍ବରୁ ଜଗା କହିଥିଲେ, ସେ ନିର୍ଦୋଷ। ସରକାରଙ୍କ ସମ୍ମାନ ଓ ଜନତାଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସେ ଆଇନକୁ ସହଯୋଗ କଲେ। ବଡ଼ କଥା ହେଲା, ଜଗାଙ୍କ ଗିରଫଦାରି ପୂର୍ବରୁ ୩ ଦିନ ଧରି ଚାଲିଥିବା ହାଇଡ୍ରାମାକୁ ନାପସନ୍ଦ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଭୁଲ୍ କରି ଭୁଲ୍ ମାନିବାକୁ ସତସାହସ ଥିବା ଦରକାର। ତାଙ୍କ ପୁଅ ହୋଇଥିଲେ ପୁଲିସ ଡାକି ଗିରଫ କରାଇଥାଆନ୍ତେ ବୋଲି କହିଛନ୍ତି ଅପରାଜିତା। ଅପରାଜିତାଙ୍କ ଏହି ନିଶାନା କଅଣ କେବଳ ଜଗାଙ୍କୁ ନା ଜଗାଙ୍କ ସୁରକ୍ଷାରେ ବାହାରିଥିବା ଦଳୀୟ ନେତାଙ୍କୁ। ମୁଖ୍ୟମନ୍ତ୍ରୀ, ମନମୋହନ ସାମଲଙ୍କଠୁ ନେଇ ସର୍ବୋପରି ଦଳର ତୁଙ୍ଗ ନେତାଙ୍କୁ ଏଭଳି ବାର୍ତ୍ତା ଜରିଆରେ ଟାର୍ଗେଟ କରିଛନ୍ତି କି ଅପରାଜିତା। କାରଣ ପ୍ରଛଦପଟରେ କିଏ, ତାକୁ ପ୍ରମାଣିତ କରିବାକୁ ସମୟ ଲାଗିବ ବୋଲି କହିଥିଲେ ରାଜସ୍ୱ ମନ୍ତ୍ରୀ। ପାର୍ଟି ଅଫିସକୁ ଡାକି ଜଗାଙ୍କ ବିରୁଦ୍ଧରେ ଦଳୀୟ ଆକ୍ସନ ନେବା ବଦଳରେ ଦରଦ ଢାଳିଥିଲେ ମନମୋହନ। ଆଉ ଗିରଫ ପରେ ଦଳୀୟ ସଂଗଠନକୁ ଧକ୍କା ଲାଗିଛି ବୋଲି କହିଲେଣି ନଗର ଉନ୍ନୟନ ମନ୍ତ୍ରୀ। ବିଜେପିର ଅନେକ ନେତା ବି କହିଲେଣି ଜଗାଙ୍କ ସଂପୃକ୍ତି ନାହିଁ। କଥା ପଡ଼ିଛି। ଯଦି ଜଗାଙ୍କ ସଂପୃକ୍ତି ନାହିଁ। ତାହେଲେ ପୁଲିସ କେଉଁ ଆଧାରରେ ୧୧ଟି ସଙ୍ଗୀନ ଦଫା ଲଗାଇଲା। ବିଜେପିର ଶୀର୍ଷନେତୃତ୍ୱଙ୍କ ଚାପ ନା ସିଏମଓରୁ ନିର୍ଦେଶ ଆସିଥିଲା। ପୁଲିସ ଯଦି ଜଗାଙ୍କ ସଂପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ପାଇଥିଲା।ତାହେଲେ ୩ ଦିନ ଧରି ହାତବାନ୍ଧି ଚୁପ୍ ବସି କାହା କଥାରେ ଦେଖଣାହାରୀ ସାଜିଥିଲା ପୁଲିସ। ଯାହାକୁ କେନ୍ଦ୍ର କରି ବିରୋଧୀ କହିବାକୁ ବି ମଉକା ପାଇଲେ। ସତରେ ଯଦି ସରକାରଙ୍କ ସମ୍ମାନ, ଦଳର ସମ୍ମାନକୁ ଏତେ ଖାତିର୍ ଥିଲା। ଆଉ ଅଫିସରଙ୍କ କାମବନ୍ଦ ଆନ୍ଦୋଳନରୁ ଲୋକଙ୍କ ଦୁର୍ଦଶାକୁ ସହିପାରୁନଥିଲେ। ଆଉ ଏ ଘଟଣାରେ ସେ ନିର୍ଦୋଷ। ତାହେଲେ କାହା କଥାରେ ଆତ୍ମସମର୍ପଣ କଲେ ଜଗା। ଆତ୍ମସମ୍ମାନକୁ ଜଳାଞ୍ଜଳି ଦେବାକୁ ବାଧ୍ୟ ହେଲେ। ଅପରାଜିତାଙ୍କ ଖୁଣ୍ଟା ଜଗାଙ୍କ ସବୁ କାରସାଦିକୁ ପାଣିଫୋଟକା ଭଳି ମିଳାଇଦେଲା କି। ଜଗାଙ୍କ ପଲିଟିକାଲ କ୍ୟାରିଅରକୁ ଆଗକୁ ବିପଦ ଅଛି କି। କାରଣ ଭୁବନେଶ୍ୱର ମଧ୍ୟ ଆସନରୁ ମାତ୍ର ୩୭ ଖଣ୍ଡ ଭୋଟରେ ଅନନ୍ତ ଜେନାଙ୍କଠୁ ହାରିଥିଲେ ଜଗା। ଏଥିରୁ ଜଗାଙ୍କ ଲୋକପ୍ରିୟତା ବାରିହୋଇପଡ଼େ। ହେଲେ ବିଏମସି ଆଟାକ୍ ଘଟଣା ପରଠୁ ଦଳ ଏଭଳି ତୁଙ୍ଗ ନେତାଙ୍କ ଦେହରେ ହାତ ମାରିନି ସତ। କିନ୍ତୁ ତାଙ୍କ ଘନିଷ୍ଠ ସହଯୋଗୀ ଆକ୍ରମଣକାରୀଙ୍କୁ ସସପେଣ୍ଡ କରିଛି। ଦେଖିବାର କଥା, ଆଇନ ସିନା ଆକ୍ସନ ନେଲା। ଦଳ ଆକ୍ସନ ନେବ ନା ଜେଲ ଯାଇ ଜଗା ହରାଇଥିବା ସମ୍ମାନ ବଦଳରେ ପୁରଷ୍କୃତ କରିବ। ରାଜ୍ୟସଭା ଉପନିର୍ବାଚନରେ ଗଲା ଅଗଷ୍ଟରେ ଜଗନ୍ନାଥ ପ୍ରଧାନଙ୍କୁ ଡମି ପ୍ରାର୍ଥୀ ଭାବେ ଓହ୍ଲାଇଥିଲା ଦଳ। ସବୁଠି ଚର୍ଚ୍ଚା। ଏଭଳି କାଣ୍ଡ ପରେ ଜଗାଙ୍କ ରାଜନୀତିରେ କ୍ରେଜ୍ ବଢ଼ିଲା ନା କମିଲା। କାରଣ ରାଜନୀତିରେ ଅପରାଧକୁ କଦାପି ପ୍ରଶ୍ରୟ ଦେଇନାହାନ୍ତି ଜଗା ବୋଲି ତାଙ୍କ ସମର୍ଥକ କୁହନ୍ତି।


Naxatra News is now on Whatsapp
Join and get latest news update delivered to you via whatsapp
Join Now