ଅପହରଣର ୬ଦିନ- ନାଳରେ ନାବାଳିକାଙ୍କ ମୃତଦେହ

ଗାଁ ଦାଣ୍ଡରେ ଘର ସାମ୍ନାରେ ଛିଡ଼ା ହୋଇଥିଲା ବେଳେ ୯ ବର୍ଷର ନାବାଳିକାକୁ ମୋଟର ସାଇକେଲରେ ଟେକିନେଇଥିଲେ ଦୁଇ ଦୁର୍ବୃତ୍ତ। ବାସୁଦେବପୁର ପୌରପାଳିକା ୧ ନମ୍ୱର ଓ୍ୱାର୍ଡରେ ରାଧାକାନ୍ତପୁର ଆଡ଼ିଆ ଗାଁରେ ଏଭଳି ଅପହରଣ ଘଟଣା ଘଟିବା ପରେ ପରିବାର ଲୋକେ ବହୁ ଖୋଜାଖୋଜି ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏସପିଙ୍କୁ ବି ଭେଟି ନ୍ୟାୟ ଲାଗି ଗୁହାରି କରିଥିଲେ ପରିବାର। ଭଦ୍ରକ ଏସପି ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରି ଅପହୃତାର ପରିବାର ସହ ଆଲୋଚନା କରିଥିଲେ। ଆଖପାଖରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ବୁଧବାର ବି ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଆଉ ଘଟଣାର ୬ ଦିନ ପରେ ଅର୍ଥାତ୍ ଆଜି ସକାଳୁ ନାବାଳିକାର ମୃତ ଦେହ କୋଷ୍ଟକେନାଲ ନାଳରୁ ଉଦ୍ଧାର କରିଛି ପୁଲିସ। ଓଡ୍ରାଫ ଓ ଦମକଳ ବାହିନୀ ବହୁ ଖୋଜାଖୋଜି ପରେ ନାଳରୁ ମୃତ ଦେହକୁ ଠାବ କରିଛି। ଏସପି ମନୋଜ ରାଉତ କହିଛନ୍ତି, ଯିଏ ବି ଦୋଷୀ ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ବି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କେଉଁ ପରିସ୍ଥିତିରେ ଅପହରଣ ହୋଇଥିଲେ। ନାବାଳିକା ଜଣକ ଏଠାକୁ କେମିତି ଆସିଲେ। ସବୁର ତନାଘନା ଜାରି ରହିଛି। ଶବ ବ୍ୟବଛେଦ ପରେ ସବୁ ଜଣାପଡ଼ିବ। ପରିବାର ଓ ଗ୍ରାମବାସୀ କହିଛନ୍ତି, ନିଖୋଜ ହେବା ଦିନଠୁ ପୁଲିସ ଓ ପ୍ରଶାସନକୁ ନ୍ୟାୟ ମାଗି ଦ୍ୱାରସ୍ଥ ହୋଇଥିଲୁ। ହେଲେ ଝିଅର ମୃତ ଦେହ ମିଳିଲା। କିନ୍ତୁ ଏବେ ନ୍ୟାୟ କେମିତି ଦେବ ପ୍ରଶାସନ, ତାହା ପ୍ରଶାସନର କାମ। ଅପହରଣକାରୀ ହିଁ ହତ୍ୟା କରି ଫିଙ୍ଗିଦେଲେ। କିନ୍ତୁ ପୁଲିସ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ ହୁଏତ ଝିଅକୁ ଆଜି ଏଭଳି ଅବସ୍ଥାରେ ପାଇନଥାାନ୍ତୁ। ନିଖୋଜର ୬ ଦିନ ପରେ ନାବାଳିକାଟିର ମୃତଦେହ ନାଳରେ ମିଳିଲା। ତେବେ କେମିତି ମୃତ୍ୟୁ ହେଲା। କିଏ ମର୍ଡର କଲା। ଏତେ ଦିନ ଧରି କେଉଁଠି ଥିଲେ। ଏ ସବୁର ରହସ୍ୟ ଓଗାଳିବା ଏବେ ପୁଲିସ ଲାଗି ବଡ଼ ଆହ୍ୱାନ ସାଜିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *