ଆଇଏଏସ ଅଧିକାରୀ ପତ୍ନୀଙ୍କ ଯୌନ ନିର୍ଯାତନାର ଅଭିଯୋଗ ;ପାଲଟା ଅଭିଯୋଗପତ୍ରକୁ ଟାମ୍ପରିଂ କରିଦେଲା ପୁଲିସ

ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ। ତା ପୁଣି ଏମିତି ସେମିତି ଘଟଣା ନୁହେଁ। ଯୌନ ନିର୍ଯାତନାର ଅଭିଯୋଗ। ଅଭିଯୋଗକାରିଣୀ ଥିଲେ ଜଣେ ଆଇଏଏସ ଅଧିକାରୀଙ୍କ ପତ୍ନୀ। ହେଲେ ପୁଲିସ ନ୍ୟାୟ ଦେବ କଅଣ। ପାଲଟା ଅଭିଯୋଗପତ୍ରକୁ ଟାମ୍ପରିଂ କରିଦେଲା ପୁଲିସ। ଅଭିଯୋଗକାରିଣୀଙ୍କ ପ୍ରତି ଦୁର୍ବ୍ୟବହାର କଲା। ଏହାର ଶୁଣାଣୀ କରି କୋଲକାତା ହାଇକୋର୍ଟ ୬ଜଣ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋଲକାତା ପୁଲିସ କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିରେ ୩ ମହିଳା ପୁଲିସ ବି ସାମିଲ୍। ଯେଉଁମାନେ ନିଜର ଦାୟିତ୍ୱ ତ ଠିକରେ ତୁଲାଇଲେନି। ପାଲଟା ଅଭିଯୋଗପତ୍ରକୁ ବି ଟାମ୍ପରିଂ କରିଥିଲେ। ଜଷ୍ଟିସ ରାଜର୍ଶି ଭରଦ୍ୱାଜଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଜୁଲାଇ ୧୪ ଓ ୧୫ରେ ଯୌନଶୋଷଣ ନେଇ ପୀଡ଼ିତା ଗମ୍ଭୀର ଆରୋପ ଲଦିଥିଲେ। ତାଙ୍କ ବାସଭବନରେ ଜଣେ ବ୍ୟକ୍ତି ତାଙ୍କୁ ଏଭଳି ନିର୍ଯାତନା ଦେଇଥିବା ନେଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଅଧିକାରୀମାନେ ମାମଲା ରୁଜୁ କଲେ ସତ। କିନ୍ତୁ ସେକ୍ସନ ୬୨ ଓ ୬୪ ଲଗାଇବା ବଦଳରେ ହାଲୁକା ସେକ୍ସନ ଲଗାଇଥିଲେ। ଭାରତୀୟ ନ୍ୟାୟ ସଂହିତାର ସେକ୍ସନ ୭୪, ୭୫,୭୬, ୭୯, ୧୧୫ ଓ ୩୫୧ରେ କେସ୍ ପଞ୍ଜୀକରଣ କଲେ। କୋଲକାତାର ଲେକ୍ ପୁଲିସ ଷ୍ଟେସନରେ ଯେହେତୁ ଅଭିଯୋଗପତ୍ର ପୁଲିସ ଲେଖିଥିଲା, ଜାଣିଶୁଣି ଟାମ୍ପରିଂ କରିଥିଲା। ଆରମ୍ଭରୁ ସଠିକ ଧାରା ଲଗାଇଲାନି। ଘଟଣାକୁ ଯେଭଳି ଢଙ୍ଗରେ ହ୍ୟାଣ୍ଡେଲ୍ କରିବା କଥା। ସେଭଳି ନ କରାଯିବାରୁ ତଦନ୍ତ ଶୈଳୀକୁ ନେଇ ଅଙ୍ଗୁଳି ଉଠୁଛି କହି କୋର୍ଟ ଉପଲବ୍ଧି କରିଛନ୍ତି। ସେଥିଲାଗି ମାମଲାକୁ ଲାଲବଜାର ମହିଳା ଡିସିପିଙ୍କୁ ହସ୍ତାନ୍ତର କରିଛନ୍ତି। ଆଉ ମାଜିଷ୍ଟ୍ରେଟ କୋର୍ଟ ଦ୍ୱାରା ଜାମିନ୍ ପାଇଥିବା ଅଭିଯୁକ୍ତର ବେଲ୍ କୁ ରଦ୍ଦ କରିଦେଇଛନ୍ତି। ଜୁଲାଇ ୧୫ରେ ଏତଲା ପରେ ପୀଡ଼ିତାଙ୍କୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ଥାନା ଭିତରେ ଆକ୍ରମଣ କରାଯାଇଥିଲା। ଆଉ ତଦନ୍ତ ପ୍ରକ୍ରିୟାରେ ବି ବିଭ୍ରାଟ ବାରିଥିଲେ କୋର୍ଟ। ଜଣେ ପୁରୁଷ ଅଧିକାରୀଙ୍କୁ ତଦନ୍ତ ଅଧିକାରୀ ଦାୟିତ୍ୱ ଦିଆଯାଇଥିଲା। ଯିଏ ସହଯୋଗୀ ମହିଳା ଅଧିକାରୀଙ୍କ ସହ ମିଶି ଅରିଜିନାଲ ଅଭିଯୋଗପତ୍ରକୁ ଟାମ୍ପରିଂ କରିଥିଲେ। ଏହା ସହ ଲେକ୍ ପୁଲିସ ଷ୍ଟେସନରେ ଥିବା ସିସିଟିଭି ଫୁଟେଜକୁ ବି ତଦନ୍ତ ପରିସରକୁ ନିଆଯାଇନଥିଲା। ସିସିଟିଭି ଫୁଟେଜ୍ ସିଜ୍ କରାଯାଇନଥିଲା। ଅଭିଯୋଗକାରିଣୀଙ୍କୁ ଧମକ ଦେଇ ଅଭିଯୋଗକୁ ପ୍ରତ୍ୟାହାର ଲାଗି ଯେଉଁଠି ବାଧ୍ୟ କରିଥିଲେ ଅଭିଯୁକ୍ତଙ୍କ ପରିବାରବର୍ଗ। ଏପରିକି ବାରମ୍ୱାର ଅନୁରୋଧ ସତ୍ତ୍ୱେ ପୀଡ଼ିତାଙ୍କର କୌଣସି ମେଡିକାଲ ପରୀକ୍ଷା ବି କରାଗଲାନି। ଏତିକିରେ ସରିନଥିଲା ପୁଲିସର କାରସାଦି। ଅଭିଯୁକ୍ତର ଜାମିନ୍ ଆବେଦନ ଉପରେ ଅଭିଯୋଗକାରିଣୀଙ୍କୁ କୌଣସି ଅବଗତ କରିନଥିଲା ପୁଲିସ। ଯାହା ଫଳରେ ଅଭିଯୁକ୍ତ ଜୁଲାଇ ୧୬ରେ ହିଁ ବେଲ୍ ପାଇଗଲେ। ତଦନ୍ତକାରୀ ଅଧିକାରୀଙ୍କ ନିଲ୍ ଚେକଲିଷ୍ଟ ରିପୋର୍ଟ ଆଧାରରେ ବେଲ୍ ପାଇବାକୁ ସକ୍ଷମ ହୋଇଯାଇଥିଲେ ଅଭିଯୁକ୍ତ। ଏହି ଚେକ୍ ଲିଷ୍ଟରେ  ନା ଥିଲା ଉପଯୁକ୍ତ ପ୍ରମାଣ ଓ କାରଣ। ବରଂ ଥିଲା ପ୍ରୋସିଡ୍ୟୋର ଅନୁପାଳନର ଚରମ ଅବହେଳା ଓ ଜାମିନ ଆବେଦନ ବେଳେ ଜୁଡ଼ିସିଆଲ ସ୍କ୍ରୁଟିନି ଲାଗି ଯାହା ଜରୁରୀ, ତାହାର ଅଭାବ ଥିଲା। ଏଭଳି ଅବହେଳା ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ପାଲଟା ଗଭୀର ଆଘାତକୁ ଠେଲିଦେଇଥିଲା। ଏଭଳି ଘଟଣାକୁ ବିରଳ ଓ ଅସାଧାରଣ ବୋଲି ଅଭିହିତ କରିଛନ୍ତି ଅଦାଲତ। ପୀଡ଼ିତାଙ୍କୁ ନିରନ୍ତର ନିର୍ଯାତନା ଦିଆଯାଇଥିଲା। ଆଉ ଶେଷରେ ଅଭିଯୁକ୍ତର ଜାମିନକୁ ରଦ୍ଦ ସହ କର୍ତ୍ତବ୍ୟରେ ଅବହେଳା କରିଥିବା ୬ ପୁଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦେଇଛନ୍ତି ଅଦାଲତ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *