ଷ୍ଟାଣ୍ଡଅପ୍ କମେଡିଆନ କୁନାଲ କାମରାଙ୍କ କଲରେକର୍ଡ ଓ ଟଙ୍କା ନେଣଦେଣକୁ ନେଇ ହେବ ତଦନ୍ତ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବିରୁଦ୍ଧରେ ଟିପ୍ପଣୀ ଦେଇଥିବା କୁନାଲଙ୍କ ଅଡ଼ୁଆ ବଢ଼ିଛି। ଗୃହ ରାଷ୍ଟ୍ର ମନ୍ତ୍ରୀ ଯୋଗେଶ କଦମ କହିଛନ୍ତି ଯେ, କୁନାଲଙ୍କ ଲୋକେସନ ଠାବ କରାଯାଉଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। କୁନାଲଙ୍କ ପଛରେ କେହି ମାଷ୍ଟରମାଇଣ୍ଡ ଅଛନ୍ତି କି ନାହିଁ, ଯାଞ୍ଚ ହେବ। ତେବେ କୁନାଲଙ୍କ ଟିପ୍ପଣୀକୁ କେନ୍ଦ୍ର କରି ମୁମ୍ୱାଇ ଷ୍ଟଡିଓରେ ଭଙ୍ଗାରୁଜା ଘଟଣାକୁ ଶିବସେନା ସମର୍ଥନ କରେନା ବୋଲି କହିଛନ୍ତି ମନ୍ତ୍ରୀ କଦମ। ତେବେ ଶିବସୈନିକଙ୍କ କ୍ରୋଧକୁ ବି ବୁଝିବାକୁ ପଡ଼ିବ। ଘଟଣା ଥିଲା ଏମିତି। ମୁମ୍ୱାଇର ଖାର୍ ଅଞ୍ଚଳରେ ୟୁନିକଣ୍ଟିନେଣ୍ଟାଲ ହୋଟେଲର ହ୍ୟାବିଟାଟ୍ ଷ୍ଟୁଡ଼ିଓରେ କୁନାଲ କାମରାଙ୍କ କମେଡି ସୋ ହୋଇଥିଲା। ସୋ ରେ ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଏକନାଥଙ୍କୁ ଗଦ୍ଦାର କହି ବ୍ୟଙ୍ଗ କରିଥିଲେ କୁନାଲ। ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ୨୦୨୨ରେ ସିନ୍ଦେଙ୍କ ବିଦ୍ରୋହର କଥା କହି ଫିଲ୍ମ ଦିଲ୍ ତୋ ପାଗଲ ହୈ ଗୀତ ଗାଇ ଏମିତି ବ୍ୟଙ୍ଗ କରିଥିଲେ କୁନାଲ। ଏଥିରେ ଉତକ୍ଷିପ୍ତ ହୋଇ ରବିବାର ରାତିରେ ଅନେକ ଶିବସେନା କର୍ମୀ ଷ୍ଟଡ଼ିଓରେ ପଶି ହୋଟେଲରେ ଭଙ୍ଗାରୁଜା କରିଥିଲେ। ପୁଲିସ ଏହି ମାମଲାପେ ଶିବସେନା ପଦାଧିକାରୀ ରାହୁଲ କନାଲଙ୍କ ସମେତ ୧୧ ଜଣଙ୍କ ବିରୁଦ୍ଧରେ ଏତଲା କରି ଗିରଫ କରିସାରିଛି। କାମରାଙ୍କ ବିରୁଦ୍ଧରେ ବି ଏଭଳି ଆପତ୍ତିଜନକ ଟିପ୍ପଣୀ ଲାଗି ବି ମାମଲା ହୋଇଛି। ସେପଟେ କୁନାଲଙ୍କ ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ରାଜନୀତି ବି ତେଜ୍ ହୋଇଛି। ଉଦ୍ଧବ କହିଛନ୍ତି, ଜଣେ ଦେଶଦ୍ରୋହୀକୁ ଗଦ୍ଦାର କହିବା ବିଲକୁଲ ଭୁଲ୍ ନୁହେଁ। କୁନାଲ କିଛି ବି ଭୁଲ୍ କହିନାହାନ୍ତି। ମୁମ୍ୱାଇ ଷ୍ଟଡିଓରେ ଆକ୍ରମଣ ଗଦ୍ଦାର ସେନା ଦ୍ୱାରା ହୋଇଛି। ଏଥିରେ ଅସଲ ଶିବସୈନିକଙ୍କ କୌଣସି ଭୂମିକା ନାହିଁ। ଯାହାର ରକ୍ତରେ ଗଦ୍ଦାରୀ ଅଛି, ସେମାନେ କଦାପି ଶିବସୈନିକ ହୋଇପାରିବେନି।

Naxatra News is now on Whatsapp
Join and get latest news update delivered to you via whatsapp
Join Now