ଲାମ୍ୱରଗିନି ଆକ୍ସିଡେଣ୍ଟ ମାମଲା- ଗିରଫର ୭ଘଣ୍ଟାରେ ଜାମିନ୍ ପାଇଲେ ଅରବପତିଙ୍କ ପୁଅ ଶିବମ ମିଶ୍ରା

କାନପୁରର ବହୁ ଚର୍ଚ୍ଚିତ ଲାମ୍ୱରଗିନି ଆକ୍ସିଡେଣ୍ଟ ଘଟଣା। ଅରବପତି କେକେ ମିଶ୍ରାଙ୍କ ପୁଅ ଶିବମ ମିଶ୍ରାଙ୍କୁ ପୁଲିସ ଗିରଫ କରିଥିଲା। ହେଲେ ଗିରଫର ୭ଘଣ୍ଟାରେ ଜାମିନ ପାଇଗଲେ ଶିବମ। ପୁଲିସ ତାଙ୍କୁ ୧୪ଦିନିଆ ରିମାଣ୍ଡରେ ନେବାକୁ ଅଦାଲତକୁ ଅନୁମତି ମାଗିଥିଲେ। କିନ୍ତୁ ରିମାଣ୍ଡରେ କାହିଁକି ପୁଲିସ ନେବ ବୋଲି ପଚାରିଥିଲେ ବିଚାରପତି। କାରଣ ପୁଲିସ ଯେଉଁ ସବୁ ଧାରା ଲଗାଇଥିଲା, ସେ ସବୁ ଥିଲା ଜାମିନଯୋଗ୍ୟ। ଏହା ଉପରେ ତଦନ୍ତକାରୀ ଅଧିକାରୀ କୌଣସି ଠୋସ୍ ଜବାବ ଦେଇପାରିନଥିଲେ। ସେଥିଲାଗି କୋର୍ଟ ରିମାଣ୍ଡ ଆବେଦନକୁ ଖାରଜ କରିଦେବା ସହ ୨୦ହଜାର ଟଙ୍କାର ବେଲ୍ ବଣ୍ଡରେ ତାଙ୍କୁ ଛାଡ଼ି ଦେଇଛନ୍ତି। ପୁଲିସ ସକାଳ ୮ଟାରେ ଶିବମଙ୍କୁ ତାଙ୍କ ଘରୁ ଗିରଫ କରିଥିଲା। ପୁଲିସ ଦାବି କରିଥିଲା, ଶିବମ ଯାଞ୍ଚରେ ସହଯୋଗ କରୁନି। ଡାକ୍ତରୀ ପରୀକ୍ଷା ପରେ ଶିବମକୁ ଏଜେସିଏମ କୋର୍ଟରେ ହାଜର କରିଥିଲା ପୁଲିସ। ଶିବମ ଗାଡ଼ି ଚଲାଉଥିଲେ ବୋଲି କହିଥିଲେ କାନପୁର ସିପି। ତଦନ୍ତରେ ଏହାକୁ ପୁଷ୍ଟି କରିଥିଲା। କମିଶନରଙ୍କ ଏହି ବିବୃତ୍ତି ପରେ ଶିବମ ମିଶ୍ରାଙ୍କ ବାପା ବିଶିଷ୍ଟ ତମାଖୁ ବ୍ୟବସାୟୀ କେକେ ମିଶ୍ରା ରାଗି ଯାଇଥିଲେ। କମିଶନର ମିଛ କହୁଛନ୍ତି ବୋଲି କହିଥିଲେ। ତାଙ୍କ ପୁଅ ଗାଡ଼ିରେ ବସିଥିଲେ। ଡ୍ରାଇଭର ଚଳାଉଥିଲା। ବୁଧବାର କାନପୁର କୋର୍ଟରେ ମୋହନ ନାମକ ବ୍ୟକ୍ତି ଏ ଘଟଣାରେ ସରେଣ୍ଡର କରିବାକୁ ପହଞ୍ଚିଥିଲେ। ସେ ଦାବି କରିଥିଲେ, ଦୁର୍ଘଟଣା ବେଳେ ସେ ନିଜେ ଲାମ୍ୱରଗିନି ଚଳାଉଥିଲେ। କିନ୍ତୁ କୋର୍ଟ ମୋହନଙ୍କ ପିଟିସନ ଖାରଜ କରିଦେଇଥିଲେ। ଆଉ ଲାମ୍ୱରଗିନି କେସରେ ତାଙ୍କୁ ଅଭିଯୁକ୍ତ ଭାବେ ସ୍ୱୀକାର କଲେନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *