ପଞ୍ଚାୟତରେ କଳାକନା ବୁଲାଇଲେ ଲୁଟେରା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

Spread the love

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅଞ୍ଚଳରେ ମାତିଛନ୍ତି ଲୁଟେରା । ପଞ୍ଚାୟତ କାର୍ଯ୍ୟାଳୟ ତାଲା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର କମ୍ପୁଟର ସାମଗ୍ରୀ ।

ଖବର ଅନୁଯାୟୀ, ଗତ ବୁଧବାର ବିଳମ୍ବିତ ରାତିରେ ଜାମୁଯୋଡ଼ି ଗ୍ରାମପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରୁ ବଡଧରଣର ଚୋରି ହୋଇଛି । ଗୁରୁବାର ସକାଳେ ସରପଞ୍ଚ କୌଶଲ୍ୟା ନାୟକ ଏହା ଜାଣିବା ପରେ ହରିଚନ୍ଦନପୁର ଥାନାଧିକାରୀ ଓ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଲୁଟେରା ମାନେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ତାଲା ଭାଙ୍ଗି ଗ୍ରାମ ରୋଜଗାର ସେବକଙ୍କ କାର୍ଯ୍ୟାଳୟରୁ ୩ଟି ପ୍ରିଂଟର, ୨ଟି ବ୍ୟାଟେରୀ, ୧ଟି ଇନଭର୍ଟର ଚୋରି ହୋଇଛି । ଉକ୍ତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରକୁ ଲାଗିଥିବା ସାମାଜିକ ଶିକ୍ଷା ସାଧନ କେନ୍ଦ୍ରର ତାଲା ଭାଙ୍ଗି ୨ଟି ବ୍ୟାଟେରୀ, ୧ଟି ଇନଭେଟର, ୨ଟି ମନିଟର, ୧ଟି ସିପିୟୁ, ୨ଟି ୟୁପିଏସ ଏବଂ ୭ ଟି କିବୋର୍ଡ଼ ଚୋରି ହୋଇଛି । ଏଥିସହ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ଭଙ୍ଗାରୁଜା ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଠିକ୍ ସେହିପରି ସାମାଜିକ ଶିକ୍ଷା ସାଧନ କେନ୍ଦ୍ର କମିଟି ତରଫରୁ ସମାନ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ ଜାମୁଯୋଡ଼ି ଗ୍ରାମ ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଆସ୍ପାୟାର ଓ ପଞ୍ଚାୟତ ମିଳିତ କ୍ରମେ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର କରି ମାଗଣାରେ ପଞ୍ଚାୟତ ବାସୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରି ଆସୁଥିବା ବେଳେ କେହି ଦୁର୍ବୃତ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ସାମଗ୍ରୀ ଲୁଟି ନେଇଥିବା ଜଣାପଡିଛି । ତେବେ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରୁ କିଛି ଦୂରରେ ଦୁର୍ବୃତ ମାନେ କିଛି ସାମଗ୍ରୀ ଫୋପାଡ଼ି ଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ତାଲା ଭାଙ୍ଗିବା ନିମନ୍ତେ ବ୍ୟବହାର ହୋଇଥିବା ଆରିପାତ, ଶାବଳ ଛାଡି ଦୁର୍ବୃତ ମାନେ ପଳାଇ ଥିବା ଦେଖିବାକୁ ମିଳିଛି । ଥାନାରେ ଦୁଇଟି ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଡ଼ିଥିବା ଜିନିଷ ଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଉକ୍ତ ଘଟଣାରେ ସ୍ଥାନୀୟ ଲୋକେ ସମ୍ପୃକ୍ତ ଥିବା ସନ୍ଦେହ ସହ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

Leave a Reply

Your email address will not be published. Required fields are marked *