ମହାକୁମ୍ଭ ମେଳାକୁ ଟ୍ରେନରେ ଯାଉଥିଲା ବେଳେ ପଥର ମାଡ଼। ଅନେକ କୋଚ୍ର କାଚ ଭାଙ୍ଗିଲେ ଦୁର୍ବୃତ୍ତ। ଆଉ ଭୟରେ ଥରିଲେ ଯାତ୍ରୀ। ଦିନ ଦ୍ୱିପ୍ରହରରେ ଏଭଳି ଆକ୍ରମଣରେ ଯାତ୍ରୀ ସୁରକ୍ଷା ଚିନ୍ତାରେ ପଡ଼ିଛି। ଏପରିକି ରେଲଓ୍ୱେ ହେଲ୍ପଲାଇନରେ ଜଣାଇବା ପରେ ବି ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି କହି କ୍ଷୋଭ ଝାଡ଼ିଛନ୍ତି ଶ୍ରଦ୍ଧାଳୁ। ଏମିତି ସ୍ଥିତିରେ ଧାର୍ମିକ ସ୍ଥଳ ଯିବା କେତେ ବିପଜ୍ଜନକ ବୋଲି କ୍ଷୋଭ ଝାଡ଼ିଥିଲେ ଅନେକ ଶ୍ରଦ୍ଧାଳୁ। ସୁରାଟରୁ ଛାପରା ଯାଉଥିବା ତାପ୍ତି ଗଙ୍ଗା ଏକ୍ସପ୍ରେସରେ ରବିବାର ଏହି ଘଟଣା ଘଟିଥିଲା। ଅପରାହ୍ନ ୩ଟା ୨୦ରେ ଯେତେବେଳେ ଟ୍ରେନ୍ ଜଲଗାଁଓ ଷ୍ଟେସନରୁ ବାହାରୁଥିଲା। ସେତିକିବେଳେ ଅଚାନକ ପଥର ମାଡ଼ କରାଯାଇଥିଲା।
ଏହି ଟ୍ରେନ୍ ଛପରାରୁ ସୁରାଟ ଦେଇ ପ୍ରୟାଗରାଜ ଯାଉଥିଲା। ଜଲଗାଁଓ ଷ୍ଟେସନରୁ ୩ କିଲୋମିଟର ଦୂରରେ କିଛି ଅସାମାଜିକ ତତ୍ତ୍ୱ ଟ୍ରେନ୍ ଉପରକୁ ପଥରମାଡ଼ କରିଥିଲେ। ତେବେ ପଥରମାଡ଼ରେ କେହି ଆହତ ହୋଇନାହାନ୍ତି। ଏହା ଟାର୍ଗେଟ ଆଟାକ୍ ବୋଲି ଅନେକ ଯାତ୍ରୀ ସନ୍ଦେହ କରିଛନ୍ତି। ଯେହେତୁ ଟ୍ରେନ୍ ମହାକୁମ୍ଭ ମେଳା ଯାଉଥିଲା। ଏଭଳି ଘଟଣାକୁ ନେଇ ଦୁଃଖ ପ୍ରକାଶ ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ରେଳ କର୍ତ୍ତୃପକ୍ଷ। ଭୁସବାଲ ଡିଭିଜନ ଡିଆରଏମ କହିଛନ୍ତି, ଅନ-ଡ୍ୟୁଟି ଚେକିଂ ଷ୍ଟାଫ୍ ତୁରନ୍ତ ଯାତ୍ରୀଙ୍କ ନିରାପତ୍ତାକୁ ନିଶ୍ଚିତ କରିଥିଲେ। ପରବର୍ତ୍ତୀ ଷ୍ଟେସନରେ ଭଙ୍ଗା ପାନେଲକୁ ସଜାଡ଼ି ଦିଆଯାଇଛି। ଆଉ ଆରପିଏଫ ଏହାର ଛାନଭିନ୍ କରୁଛି।
ଅଜ୍ଞାତ ଦୁର୍ବୃତ୍ତଙ୍କୁ ଠାବ କରିବାକୁ ଛାନଭିନ୍ ଆରମ୍ଭ ହୋଇଛି। ମହାକୁମ୍ଭ ମେଳା ଟ୍ରେନକୁ ଟାର୍ଗେଟ କରିବା ପଛର ରହସ୍ୟ ଓଗାଳିବା ଓ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ଆରପିଏଫ ପ୍ରୟାସ ଜାରି ରଖିଛି। ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନ ହେବ, ସେ ଦିଗରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବ ବୋଲି କହିଛନ୍ତି ରେଲଓ୍ୱେ କର୍ତ୍ତୃପକ୍ଷ।

Naxatra News is now on Whatsapp
Join and get latest news update delivered to you via whatsapp
Join Now