ଡନ୍ ପ୍ରେମରେ ମମତା- ସପକ୍ଷରେ ଓକିଲାତି କରି ସମାଲୋଚିତ- ଏବେ ସ୍ପଷ୍ଟିକରଣ ରଖିଲେ

ଦାଉଦ୍ ଇବ୍ରାହିମ୍ ମୁମ୍ୱାଇରେ ବିସ୍ଫୋରଣ କରିନଥିଲା। ସେ ଆତଙ୍କବାଦୀ ବି ନୁହେଁ। କୁଖ୍ୟାତ ଅଣ୍ଡରଓ୍ୱାର୍ଲଡ ଡନ ଦାଉଦ୍ ଇବ୍ରାହିମଙ୍କ ସପକ୍ଷରେ ବାହାରି ଏଭଳି କହିଥିବା ସାଧ୍ୱୀ ତଥା ପୂର୍ବତନ ଫିଲ୍ମ ଅଭିନେତ୍ରୀ ମମତା କୁଲକର୍ଣ୍ଣି ଏବେ ବିବାଦରେ। ମମତାଙ୍କ ମନ୍ତବ୍ୟ ଭାଇରାଲ ପରେ ସବୁଠି ଏହାକୁ ନେଇ ହଇଚଇ ସୃଷ୍ଟି କରିଛି। ବଲିଉଡର ସବୁଠୁ ଗ୍ଲାମରସ ଅଭିନେତ୍ରୀଙ୍କ ଭିତରେ ଅନ୍ୟତମ ଥିଲେ ମମତା। ୯୦ଦଶକରେ କରଣ ଅର୍ଜୁନ, ବାଜି, ସବସେ ବଡ଼ା ଖିଲାଡ଼ି, ଚାଇନା ଗେଟ୍ ଭଳି ଅନେକ ସଫଳ ଫିଲ୍ମରେ କାମ କରିଛନ୍ତି ସେ। ଯେହେତୁ ଦାଉଦଙ୍କ ସହ ମମତାଙ୍କ ନାଁକୁ ଯୋଡ଼ି ଲମ୍ୱାସମୟ ଧରି ଗୁଜବ ହେଉଥିଲା। ଏ ସନ୍ଦର୍ଭରେ ମମତା କହିଛନ୍ତି, ଦାଉଦଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ କି ତାଙ୍କ ସହ କୌଣସି ଲେନଦେନ ନାହିଁ। ତେବେ ଦାଉଦ୍ କୌଣସି ବୋମା ବିସ୍ଫୋରଣ କରିନାହାନ୍ତି। ସେ କୌଣସି ରାଷ୍ଟ୍ରବିରୋଧୀ କାମ କରିନାହାନ୍ତି। ସେ ଆତଙ୍କବାଦୀ ନୁହଁନ୍ତି ବୋଲି ଦାଉଦଙ୍କ ସପକ୍ଷରେ କହିଛନ୍ତି ମମତା। ତେବେ ସୋସିଆଲ ମିଡିଆରେ ମମତାଙ୍କ ବୟାନକୁ ଡି-କମ୍ପାନୀ ସହ ଜଡ଼ିତ ଲୋକଙ୍କୁ ଠିକ୍ ଦର୍ଶାଇବାକୁ ପ୍ରୟାସ କରୁଛନ୍ତି ବୋଲି ସମାଲୋଚନା ହୋଇଥିଲା। ଆଉ ଆଜି ସ୍ପଷ୍ଟିକରଣ ଭିଡ଼ିଓ ଜାରି କରିଛନ୍ତି ମମତା। ସେ ଲୋକଙ୍କୁ ଅପିଲ୍ କରିଛନ୍ତି ଯେ, ତାଙ୍କ ବୟାନକୁୁ ନେଇ ଭିନ୍ନ ଅର୍ଥରେ ପ୍ରକାଶ କରାନଯାଉ। ଲୋକେ ତାଙ୍କ ମନ୍ତବ୍ୟକୁ ଧ୍ୟାନ ସହକାରେ ଶୁଣିବା ଦରକାର। ଋଷି ମୁନୀଙ୍କ ଭଳି ନିଜ ଜ୍ଞାନର ଉପଯୋଗ କରିବା ଦରକାର। ମମତା ପୁଣି ଥରେ ଦୋହରାଇଛନ୍ତି, ଦାଉଦଙ୍କ ସହ ନା ବ୍ୟକ୍ତିଗତ ନା ବ୍ୟବସାୟିକ ସମ୍ପର୍କ ତାଙ୍କର କେବେ ଥିଲା। ତାଙ୍କ ନାଁ ସହ ଦାଉଦଙ୍କ ନାଁ କେବେ ବି ଯୋଡ଼ା ଯାଇନି। ନିଜର ସ୍ପଷ୍ଟିକରଣରେ ଭିକ୍କି ଗୋସ୍ୱାମୀଙ୍କ ନାଁ ଉଠାଇଛନ୍ତି ମମତା। ଗୋଟିଏ ସମୟ ଥିଲା, ସେ ଭିକ୍କିଙ୍କ ସହ ଜଡିତ ଥିଲେ। ଗୋସ୍ୱାମୀ ବି କଦାପି ରାଷ୍ଟ୍ରବିରୋଧୀ ଗତିବିଧିରେ ସାମିଲ ନଥିଲେ। ତେବେ ଭିକ୍କି ଗୋସ୍ୱାମୀ ଜଣେ କଥିତ ଡ୍ରଗ ତସ୍କର ଥିଲେ। ଲମ୍ୱା ସମୟ ଧରି ତାଙ୍କର ଡି-କମ୍ପାନୀ ସହ ସମ୍ପର୍କ ଥିଲା। ଗୋସ୍ୱାମୀ ଓ ମମତା ଦୁହେଁ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ଖବର ସାମ୍ନାକୁ ଆସିଥିଲା ଯେ, ଦୁବାଇ ଓ ପରେ କେନିଆରେ କିଛି ବର୍ଷ ସମୟ ବିତାଇବା ପରେ ଉଭୟ ବିବାହ କରିଥିଲେ। କିନ୍ତୁ ଭିକ୍କି ଗୋସ୍ୱାମୀ ଏ କଥାକୁ ଖଣ୍ଡନ କରିଥିଲେ। ମମତାଙ୍କ ସହ ତାଙ୍କର ବିବାହ ଖବର ଗୁଜବ ବୋଲି କହିଥିଲେ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *