ଅନର କିଲିଂ: ମାଆ ଓ ଭାଇ ଗଳା ଚିପିଲେ- ମୁଣ୍ଡ ଗଣ୍ଡି ଅଲଗା କଲା ମାମୁଁ

ମାଆ ଓ ଭାଇ ଗଳା ଚିପିଲେ। ଆଉ ମାମୁଁ ଗଳା କାଟିଲା। ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା। ଆଉ ନାଳରେ ଶବକୁ ଫଙ୍ଗିଦେଲେ। ଏଭଳି ଅନରକିଲିଂ ଘଟଣା ମିରଟରୁ ଆସିଛି। ମୃତ ଝିଅର ସଲଓ୍ୱାର ପକେଟରୁ ବୟଫ୍ରେଣ୍ଡର ନମ୍ୱର ମିଳିବା ପରେ ପୁଲିସ ଏ ଘଟଣା ପଛରେ ଅନରକିଲିଂ ବୋଲି ସ୍ପଷ୍ଟ କରିଥିଲା। ପ୍ରେମିକ ସହ କଥା ହେବାକୁ ନେଇ ନାବାଳକ ପୁଅ ସହ ମିଶି ମାଆ ଗଳା ଚିପି ଆଗ ମାରିଦେଲା। ଆଉ ଶବକୁ ଠିକଣା ଲଗାଇବାକୁ ଝିଅର ମାମୁଁ, ମାମୁଁ ପୁଅ ଓ ମାଉସୀକୁ ଡକାଇଥିଲେ। ମାମୁଁ ଓ ମାଉସୀ ଓ ମାମୁଁ ପୁଅ ଭାଇ ଶବକୁ ଚାଦରରେ ଘୋଡ଼େଇ କାରରେ ନେଇ ମହରୌଲିର ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ମାମୁଁ ଝିଅର ମୁଣ୍ଡ ଗଣ୍ଡି କାଟି ଅଲଗା କରିଦେଲା। ଆଉ ଅଲଗା ଅଲଗା ପ୍ଲାଷ୍ଟିକ ଅଖାରେ ପୁରାଇଥିଲା। ମାମୁଁ ଘରୁ ୧୩ କିଲୋମିଟର ଦୂର ବହାଦୁରପୁର ନାଳରେ ମୁଣ୍ଡକୁୁ ଫିଙ୍ଗିଦେଇଥିଲା। ତା ପର ଦିନ ଶବକୁ ଦେଖି ପୁଲିସ ସୂଚନା ଦେଇଥିଲା। ପୁଲିସ ମୁଣ୍ଡ ବିହୀନ ଶବକୁ ବ୍ୟବଛେଦ ଲାଗି ପଠାଇଥିଲା। ଶବ ବ୍ୟବଛେଦ ଗୃହରେ ଝିଅର ସାଲଓ୍ୱାର କମିଜର ପକେଟରୁ ଏକ ପର୍ଚ୍ଚା ମିଳିଥିଲା। ଯେଉଁଥିରେ ଦୁଇଚି ମୋବାଇଲ ନମ୍ୱର ଲେଖାଥିଲା। ଆଉ ମୋବାଇଲ ନମ୍ୱର ହିଁ ପୁଲିସକୁ ବଡ଼ ସୁରାକ ଦେଇଥିଲା। ମୋବାଇଲ ନମ୍ୱର ତନିଷ୍କାର ପ୍ରେମିକ ଅମନର ବାପା ଓ ଭଉଣୀଙ୍କର ଥିଲା। ପୁଲିସ ଅମନର ବାପାଙ୍କୁ ଝିଅର ଫଟୋ ପଠାଇ ଜାଣିବାକୁ ଚାହିଁଥିଲେ। ଆଗ ଅମନଙ୍କ ବାପା ଶବକୁ ଚିହ୍ନି ନଥିବା କହିିଥିଲେ। ଆଉ ଦ୍ୱିତୀୟ ନମ୍ୱର ଭଉଣୀକୁ ଫୋନ କଲାବେଳେ ଏହା ଅମନ ଧରିଥିଲା। ଆଉ ପ୍ଲସ-ଟୁ ରେ ପଢ଼ୁଥିବା ତନିଷ୍କା ସହ ତାହାର ପ୍ରେମସମ୍ପର୍କ ଥିବା କଥା କହିଥିଲା ଅମନ। ଶବ ତନିଷ୍କାଙ୍କ ଜାଣିବା ପରେ ପୁଲିସ ଦାଦରି ଗାଁ ପହଞ୍ଚିଥିଲା। ଝିଅ ଘରକୁ ପହଞ୍ଚିବାରୁ ମାଆ କହିଥିଲେ, ଝିଅ ବୁଧବାରରୁ ନିଖୋଜ ଅଛି। ଏ କଥାରୁ ପୁଲିସର ସନ୍ଦେହ ହୋଇଥିଲା। ମାଆ ଓ ନାବାଳକ ଭାଇକୁ ହେପାଜତକୁ ନେଇ ଜେରା କରିବାରୁ ମାଆ ସବୁ କଥା ଓଗାଳିଥିଲା। ଏହା ପରେ ମାମୁଁ, ମାଉସୀ ଓ ମାମୁଁ ପୁଅକୁ ପୁଲିସ ହେପାଜତକୁ ନେଇଛି। ଏଯାଏଁ ତନିଷ୍କାଙ୍କ ମୁଣ୍ଡ ମିଳିନି। ତନିଷ୍କାଙ୍କ ବାପା ଛତିଶଗଡ଼ରେ ସିଆରପିଏଫରେ ଚାକିରୀ କରନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *