ନାବାଳକକୁ ଅପହରଣ ଓ ହତ୍ୟା ମାମଲା ବେଙ୍ଗାଲୁରୁରେ ହଇଚଇ ଖେଳାଇଦେଇଛି। ଟ୍ୟୁସନରୁ ଫେରୁଥିବା ବେଳେ ୧୩ ବର୍ଷର ନିଶ୍ଚୟକୁ ଅପହରଣ କରିନିଆଯାଇଥିଲା। ଆଉ ତା ପର ଦିନ ସଂଧ୍ୟାରେ ନାବାଳକର ଅର୍ଦ୍ଧଦଗ୍ଧ ଶବକୁ ବନ୍ନେରଘଟା ପାଖରୁ ପୁଲିସ ଜବତ କରିଛି। ବିଳମ୍ୱିତ ରାତିରେ ନିଶ୍ଚୟର ବାପା ମାଆକୁ ଫୋନ କର୍ ୫ଲକ୍ଷ ଟଙ୍କା ମାଗିଥିଲେ ଅପହରଣକାରୀ। କଲେଜ ପ୍ରଫେସର ଥିବା ଜେସି ଅଚିତଙ୍କ ପୁଅକୁ ଏଭଳି ଅପହରଣ ଓ ହତ୍ୟାକାଣ୍ଡକୁ ନେଇ ସମସ୍ତେ ସ୍ତବ୍ଧ। କ୍ରାଏଷ୍ଚ ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଥିଲା ନିଶ୍ଚୟ। ତେବେ ଏହି ଅପହରଣ ଓ ହତ୍ୟାକାଣ୍ଡରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରି ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଗୁରୁମୂର୍ତ୍ତି ଓ ଗୋପାଳକୃଷ୍ଣ। ପୁଲିସର କହିବା କଥା, ଅଭିଯୁକ୍ତଙ୍କୁ ଧରିବା ବେଳେ ସେମାନେ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଆଉ ଆତ୍ମରକ୍ଷା ଲାଗି ପୁଲିସ ସେମାନଙ୍କ ଉପରକୁ ଗୁଳି କରିଥିଲା। ଏପରିକି ଆଗ ଫାଙ୍କା ଗୁଳିଚାଳନା କରି ଭୟଭୀତ କରିବା ସତ୍ତ୍ୱେ ଅଭିଯୁକ୍ତମାନେ ଆକ୍ରମଣ ଜାରି ରଖିଥିଲେ। ଗୁରୁମୂର୍ତ୍ତିର ଦୁଇଟି ଯାକ ଗୋଡ଼ରେ ଗୁଳି ବାଜିଥିଲା ବେଳେ ଗୋପାଳକୃଷ୍ଣର ଡାହାଣ ଗୋଡ଼ରେ ଗୁଳି ଲାଗିଛି। ଗୁରୁମୂର୍ତ୍ତି ନିଶ୍ଚୟଙ୍କ ଘରେ ସ୍ପେୟାର ଡ୍ରାଇଭର ଭାବେ କାମ କରୁଥିଲା। ଯିଏ ଅପହରଣ ଓ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲା। ଗୁରୁମୂର୍ତ୍ତିର ଅପରାଧିକ ପୃଷ୍ଠଭୂମି ବି ରହିଛି। ଆଉ ଅପହରଣ କଥା ପୁଲିସକୁ ପରିବାର ଲୋକେ ଜଣାଇବା ପରେ ଧରାପଡ଼ିଯିବା ଭୟରେ ନିଶ୍ଚୟର ଗଳାକାଟି ହତ୍ୟା କରିଥିଲେ ଗୁରୁ ଓ ଗୋପାଳ। ଆଉ ମାରିବା ପରେ ଜଙ୍ଗଲକୁ ଶବ ନେଇ ସେଠାରେ ନିଆଁ ଲଗାଇଦେଇଥିଲେ। ବୁଧବାର ସଂଧ୍ୟା ୫ଟା ବେଳେ ନିଶ୍ଚୟକୁ ଅପହରଣ କରାଯାଇଥିଲା। ସାଢ଼େ ୭ଟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ନିଶ୍ଚୟର ମା ଟ୍ୟୁସନ ଶିକ୍ଷକଙ୍କୁ ଫୋନ୍ କରି ଜାଣିବାକୁ ପାଇଥିଲେ ଯେ, ସେ ଠିକ୍ ସମୟରେ ଫେରିଯାଇଛି। ଏହା ପରେ ଅଭିଭାବକ ପୁଲିସରେ ଏତଲା ଦେଇଥିଲେ। ନିଶ୍ଚୟ ଘରେ ଡ୍ରାଇଭର ଭାବେ କାମ କରୁଥିବା ଗୁରୁକୁ ତାଙ୍କ ଘର ବାବଦରେ ପୁରା ଜଣାଥିଲା। ହତ୍ୟା କରିବା ପରେ ପରିବାରକୁ ୫ଲକ୍ଷ ଟଙ୍କା ଫୋନରେ ମାଗିଥିଲା। ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପୁରା ଘଟଣା ଜଣାପଡ଼ିବ। ଏହା ସହ ଅନ୍ୟାନ୍ୟ ଦିଗକୁ ବି ଛାନଭିନ୍ କରୁଛି ପୁଲିସ।

Naxatra News is now on Whatsapp
Join and get latest news update delivered to you via whatsapp
Join Now