ବିଜୁଳି ଚୋରି କରିଛନ୍ତି ସାଂସଦ । ବିଜୁଳି ମିଟରରେ ଟାମ୍ପରିଂ କରିଛନ୍ତି। ସମ୍ଭଲରେ ସକାଳୁ ସକାଳୁ ସପା ସାଂସଦ ଜିୟାଉର୍ ରେହେମାନଙ୍କ ଘରେ ରେଡ୍ ହୋଇଛି। ପୁରା ଅଞ୍ଚଳ ଯେମିତି ସେନା ଛାଉଣୀ ହୋଇଯାଇଥିଲା। ପୁଲିସ-ଆରପିଏଫର କଡ଼ା ପ୍ରହରାରେ ସାଂସଦଙ୍କ ଘରେ ରେଡ୍ ହୋଇଥିଲା। ବିଜୁଳି ବିଭାଗର ଅଧିକାରୀ ପୁରା ପୁଲିସ ଫୋର୍ସ ସହ ସାଂସଦଙ୍କ ଘରେ ପହଞ୍ଚିଥିଲେ। ସମ୍ଭଲ ହିଂସା ପରେ ଚେକିଂ ଅଭିଯାନ ଏମିତି ଜୋରଦାର ହୋଇଆସୁଛି। ଏ ଯାଏଁ ବିଜୁଳି ଚୋରୀ ନେଇ ହଜାରେରୁ ଅଧିକ ମାମଲା ପୁଲିସ ରୁଜୁ କରିସାରିଛି। ସାଂସଦଙ୍କ ଘରେ ପୁରୁଣା ମିଟର ହଟାଇ ନୂଆ ମିଟର ଲଗାଯାଇଥିଲା। କିନ୍ତୁ ଶକ୍ତି ବିଭାଗର ଅଧିକାରୀ ଯାଇ ଦେଖିଥିଲେ ଯେ, ନୂଆ ମିଟର ଆଉ ନାହିଁ। ସାଂସଦଙ୍କ ଘରେ ସାଉଣ୍ଡପ୍ରୁଫ୍ ଜେନେରେଟର, ୫.୫ କିଲୋଓ୍ୱାଟ କ୍ଷମତା ବିଶିଷ୍ଟ ଡିଜିଟାଲ ମିଟର ଲାଗିଛି। ସେଥିଲାଗି ବିଜୁଳି ଚୋରି ହୋଇଛି ବୋଲି କହିଛି ଶକ୍ତି ବିଭାଗ।
ସାଂସଦ ଜିୟାଉର୍ ରେହେମାନଙ୍କ ଘରେ ଲାଗିଥିବା ମିଟର ଯାଞ୍ଚରୁ ଜଣାପଡ଼ିଛି ଯେ, ମିଟର ହିଁ ଉଠୁନି। ସେଥିଲାଗି ବିଲ୍ ବି ଜିରୋ। ସାଂସଦଙ୍କ ଘରେ ଦୁଇଟି କନେକ୍ସନ ଅଛି। ପ୍ରତି କନେକ୍ସନ ୪ କିଲୋଓ୍ୱାଟର। ଗଲା ବର୍ଷେ ହେଲା ଦୁଇଟି ସଂଯୋଗରୁ ମାତ୍ର ୧୪ହଜାର ଟଙ୍କାର ବିଲ୍ ଆସିଥିଲା। ଯାଞ୍ଚରୁ ଏ କଥା ବି ସ୍ପଷ୍ଟ ହୋଇଛି ଯେ, ଦୁଇଟି ଯାକ କନେକ୍ସନର ମିଟର ଅଲଗା ଅଲଗା ସମୟରେ ଲମ୍ୱା ସମୟ ଧରି ବନ୍ଦ ରହିଛି। ଗୋଟିଏ ମିଟର ୫ ମାସ ଓ ଅନ୍ୟଟି ୭ ମାସ ହେଲା ବନ୍ଦ ରହିଛି। ଆଉ ଯାଞ୍ଚରୁ ଏ କଥା ବି ଧରାପଡ଼ିଛି ଯେ, ଗୋଟିଏ ମିଟରରେ ଜିରୋ ଥିଲା ବେଳେ ଅନ୍ୟଟିରେ ୫.୯ କିଲୋଓ୍ୱାଟ୍ ଲୋଡ୍ ଦର୍ଶାଯାଇଛି। ସେପଟେ ସାଂସଦଙ୍କ ଓକିଲ କାମିସ ଜଲାଲଙ୍କ କହିବା କଥା, ଘରେ ୧୦ କିଲୋଓ୍ୱାଟର ସୋଲାର ପ୍ୟାନେଲ ଓ ୫ କିଲୋଓ୍ୱାଟର ଜେନେରେଟର ଲାଗିଛି। ଘରେ ଦୁଇଟି ଏସି, ୬ଟି ପଙ୍ଖା, ଗୋଟିଏ ଫ୍ରିଜ୍ ଓ ବଲବ ଲାଗିଛି। ଘରେ କେବଳ ୪ଜଣ ରୁହନ୍ତି। ବିଜୁଳି କନେକ୍ସନର ସର୍ବନିମ୍ନ ଧାର୍ଯ୍ୟ ଚାର୍ଜ ନିୟମାନୁସାରେ ଜମା ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now