ମୁମ୍ୱାଇକୁ ବୋମା ଧମକ: ଗିରଫ ହେଲେ ଜ୍ୟୋତିର୍ବିଦ୍-ମୁସଲିମ ସାଙ୍ଗଠୁ ପ୍ରତିଶୋଧ ନେବାକୁ ଷଡ଼ଯନ୍ତ୍ର

ଧରାପଡ଼ିଲା ମୁମ୍ୱାଇକୁ ବୋମା ବିସ୍ଫୋରଣରେ ଉଡ଼ାଇବାକୁ ଧମକ ଦେଇଥିବା ଅଭିଯୁକ୍ତ। ଅଭିଯୁକ୍ତର ନାଁ ଅଶ୍ୱିନୀ କୁମାର ସୁପ୍ରା। ବିହାରର ମୂଳ ବାସିନ୍ଦା। ବୟସ ୫୦। ଆଉ ଗଲା ୫ ବର୍ଷ ହେଲା ନୋଏଡାରେ ରହୁଥିଲା। ପେଶାରେ ଜଣେ ଜ୍ୟୋତିର୍ବିଦ୍। ନିଜ ମୁସଲିମ୍‌ ସାଙ୍ଗ ଫିରୋଜ ନାଁରେ ଅଶ୍ୱିନୀ ମୁମ୍ୱାଇ ପୁଲିସକୁ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲା। ଟ୍ରାଫିକ୍ ପୁଲିସର ଓ୍ୱାଟସଅପ ନମ୍ୱରରେ ମେସେଜ୍ ଦେଇ ଅଶ୍ୱିନୀ ଧମକ ଦେଇଥିଲା ଯେ, ଗଣେଶ ଭଷାଣୀ ବା ଅନନ୍ତ ଚତୁର୍ଦ୍ଦଶୀ ବେଳେ ମୁମ୍ୱାଇରେ ବଡ଼ ଧରଣର ବିସ୍ଫୋରଣ ହେବାକୁ ଯାଉଛି। ୩୪ଟି ଗାଡ଼ିରେ ୪ଶହ କେଜି ଆରଡିଏକ୍ସ ଖଞ୍ଜାଯାଇଛି। ଲସ୍କର-ଇ- ଜିହାଦିର ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ଭାରତରେ ପ୍ରବେଶ କରିସାରିଛନ୍ତି। ଏହି ବିସ୍ଫୋରଣ ପୁରା ମୁମ୍ୱାଇକୁ ଦୋହଲାଇଦେବ। ତେବେ ଧମକ ଦେବାର ରହସ୍ୟ ପଛର କଥା ଓଗାଳିବାକୁ ପୁଲିସ ତାକୁ ଜେରା କରିଥିଲା। ଆଉ ଅଶ୍ୱୀନି କହିଛି, ସେ ତାଙ୍କ ସାଙ୍ଗ ଫିରୋଜଠୁ ପ୍ରତିଶୋଧ ନେବାକୁ ଏଭଳି କରିଥିଲା। ୨୦୨୩ରେ ଫିରୋଜ ଲାଗି ସେ ଜେଲ୍ ଯାଇଥିଲା। ୨୦୨୩ରେ ଅଶ୍ୱିନୀ ବିରୁଦ୍ଧରେ ପାଟଣାରେ ପୁଲଓ୍ୱାରୀ ଥାନାରେ ଏତଲା ଦେଇଥିଲା ଫିରୋଜ। ଏହି କେସ କାରଣରୁ ୩ ମାସ ଜେଲ ଯାଇଥିଲେ ଅଶ୍ୱିନୀ। ଆଉ ଜେଲରୁ ଫେରି ଫିରୋଜକୁ ପାନେ ଚଖାଇବାକୁ ମୁମ୍ୱାଇ ପୁଲିସକୁ ଫିରୋଜ ନାଁରେ ମିଛ ବୋମା ଧମକ ଦେଇଥିଲା। ଏମିତିରେ ଫିରୋଜ ଫସିବ ବୋଲି ଭାବିଥିଲା। ନିଜକୁ ମୁସଲିମ ବୋଲି ପରିଚୟ ଦେଇ ଫିରୋଜ ପ୍ରତି ପୁଲିସର ନଜର ଯିବ ବୋଲି ଖେଳ ଖେଳିଥିଲା ଅଶ୍ୱିନୀ। ଅଭିଯୁକ୍ତ ଅଶ୍ୱିନୀର ମୋବାଇଲ ଓ ସିମ୍‌କାର୍ଡକୁ ଜବତ କରିଛି ପୁଲିସ। ଅଶ୍ୱିନୀ ପାଖରୁ ୭ଟି ମୋବାଇଲ ଫୋନ୍, ତିନୋଟି ସିମ୍ କାର୍ଡ, ୬ଟି ମେମୋରି କାର୍ଡ ହୋଲଡର, ଦୁଇଟି ଡିଜିଟାଲ କାର୍ଡ ଓ ଗୋଟିଏ ମେମୋରି ଜବତ ହୋଇଛି ନିଜ ଷଡ଼ଯନ୍ତ୍ରକୁ ସାକାର କରିବାକୁ ପୁରା ଯୋଜନା କରିଥିଲା ଅଶ୍ୱିନୀ। ଏ ସବୁ ଡିଭାଇସ୍ ଜରିଆରେ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲା ଅଶ୍ୱିନୀ। ଅଭିଯୁକ୍ତ ଅଶ୍ୱିନୀର ମୋବାଇଲ ଓ ସିମ୍‌କାର୍ଡକୁ ଜବତ କରିଛି ପୁଲିସ। ଆଜି ଭୋରରୁ ତାକୁ ନୋଏଡାର ସେକ୍ଟର ୧୧୩ରୁ ଗିରଫ କରି ମୁମ୍ୱାଇ କ୍ରାଇମବ୍ରାଞ୍ଚ ମୁମ୍ୱାଇକୁ ଆଣିଛି। ଏଭଳି କୌଣସି ଧମକକୁ ମୁକାବିଲା କରିବାକୁ ମୁମ୍ୱାଇ ପୁଲିସ ସିଦ୍ଧହସ୍ତ। ସେଥିଲାଗି କେହି ଅଯଥାରେ ଭୟଭୀତ ନ ହେବାକୁ ଅପିଲ୍ କରିଛି ମୁମ୍ୱାଇ ପୁଲିସ। ଏହା ସହ କୌଣସି ସନ୍ଦେହଜନକ ଗତିବିଧି ଦେଖିଲେ ତୁରନ୍ତ ପୁଲିସକୁ ହେଲ୍ପଲାଇନରେ ଯୋଗାଯୋଗ କରିବାକୁ ପୁଲିସ କହିଛି। ଭଷାଣି ଉପରେ ନଜର ରଖିବ ୧୦ହଜାର ସିସିଟିଭି । ୪ଶହରୁ ଅଧିକ ପାଟ୍ରୋଲିଂ ଟିମ୍ ମୁତୟନ କରାଯାଇଛି। ଏଆଇର ବି ବ୍ୟବହାର କରି ବେଶୀ ଭିଡ଼ ଥିବା ପଏଣ୍ଟକୁ ଚିହ୍ନଟ ସହ ଲୋକଙ୍କ ଲୋକେସନକୁ ଟ୍ରାକ୍ କରିହେବ। ଆତଙ୍କବାଦୀଙ୍କ ନାଁରେ ଅଯଥା ଭୟସଞ୍ଚାର କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ସବୁ ମହଲରେ ଦାବି ହେଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *