ଭାଇ ହାତ ଗୋଡ଼କୁ ଜାବୁଡି ଧରିଲା। ଆଉ ସ୍ୱାମୀ ଧାରୁଆ ଅସ୍ତ୍ରରେ ଗଳାକୁ କାଟିଲା। ନବ ବିବାହିତାଙ୍କୁ ଏଭଳି ବୀଭତ୍ସ ହତ୍ୟାକାଣ୍ଡରେ ପୁରା ସାମିଲ୍ ହୋଇଗଲା ପରିବାର। ଅନର କିଲିଂର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ବାଗପତର ବିନୋଲିରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। ମୃତକ ହେଲେ ସୁମନ। ବୈବାହିକ ଜୀବନ ଆରମ୍ଭ କରିଥିଲେ ମାତ୍ର ଦେଢ଼ ମାସ ତଳୁ। କିନ୍ତୁ ପଡ଼ୋଶୀ ପ୍ରେମିକ ନୀରଜ ସହ ବାପ ଘରୁ ଫେରାର୍ ହୋଇଯାଇଥିଲେ ସୁମନ। ଆଉ ଶେଷରେ ଦୁଇ ପରିବାରର ସମ୍ମାନ ଉପରେ ଆଞ୍ଚ ଆସିଥିବାରୁ ସବୁଦିନ ଲାଗି ସୁମନକୁ ରାସ୍ତାରୁ ହଟାଇବାକୁ କରିଥିଲେ ଯୋଜନା। ବାହାନା କରି ସୁମନଙ୍କୁ ଘରକୁ ଡାକିଥିଲେ। ଆଉ ଘରେ ସୁମନଙ୍କ ଭାଇ, ଭିଣୋଇ ଓ ସ୍ୱାମୀ ମିଳିମିଶି ନିର୍ମମ ହତ୍ୟା କରିଛନ୍ତି ସୁମନକୁ। ଆଉ ଶବକୁ ଆଖୁ କ୍ଷେତରେ ପୋତି ବି ଦେଇଥିଲେ। କିନ୍ତୁ ପ୍ରେମିକ ନୀରଜ ପୁଲିସକୁ ସୁମନର ଜୀବନ ବିପଦରେ କହି ସୂଚନା ଦେବା ପରେ ଖୋଳତାଡ଼ରୁ କଥା ପଦାକୁ ଆସିଥିଲା। ହତ୍ୟାକାଣ୍ଡରେ ସାମିଲ୍ ସୁମନର ନିଜ ଭାଇ ରୋହିତ, ସ୍ୱାମୀ କୃଷ୍ଣ, ଭିଣୋଇ ଜିତେନ୍ଦ୍ର ଓ ପଡୋଶୀ ରାଜୀବଙ୍କୁ ଗିରଫ କରିଛି ପୁଲିସ। ବିନୋଲିର ୨୨ ବର୍ଷୀୟା ସୁମନଙ୍କ ସହ ନୀରଜଙ୍କ ପ୍ରେମ ସମ୍ପର୍କ ଥିଲା। ପରିବାର ଏ କଥା ଜାଣିବା ପରେ ଏହାକୁ ବିରୋଧ କରିଥିଲେ। ଏହା ସହ ହରିଆଣାର ସୋନିପତରେ ସୁମନଙ୍କ ବିବାହ କରାଇଦେଇଥିଲେ। ନଭେମ୍ୱର ୨୩ରେ ସୁମନଙ୍କ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ମାଆ ଘରକୁ ବୁଲିବାକୁ ଆସି ପ୍ରେମିକ ସହ ଫେରାର୍ ହୋଇଯାଇଥିଲେ ସୁମନ। ସମ୍ପର୍କୀୟଙ୍କ ସହ ମିଶି ପରିବାରର ସମ୍ମାନର ଦ୍ୱାହି ଦେଇ ଗାଁକୁ ଡାକି ଏଭଳି ହତ୍ୟା କରିଛନ୍ତି। ଗାଁର ଚୌକିଦାରଙ୍କ ଅଭିଯୋଗ କ୍ରମେ ପୁଲିସ ଏତଲା ରୁଜୁ କରି ତଦନ୍ତ କରି ହତ୍ୟାକାରୀଙ୍କୁ ଗିରଫ କରିଛି। ଶବକୁ ମାଟି ତଳୁ ଖୋଳି ବ୍ୟବଛେଦ ଲାଗି ପଠାଇଛି ପୁଲିସ।
ସେପଟେ ପରକୀୟା ପ୍ରୀତିର କରୁଣ ପରିଣତି ଓଡ଼ିଶାର କେନ୍ଦୁଝର ଜିଲ୍ଲା ହାଣ୍ଡିଭଙ୍ଗା ଗାଁରେ ଦେଖିବାକୁ ମିଳିଛି। ସ୍ୱାମୀର ତୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ ହୋଇଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏଭଳି ଜଘନ୍ୟକାଣ୍ଡ ଘଟାଇଛି ସ୍ୱାମୀ ଦଶରା ମୁଣ୍ଡା। ମୃତକ ହେଲେ ଚିନି ମୁଣ୍ଡା। ଯେଉଁ ଯୁବକ ସହ ଚିନିଙ୍କ ପ୍ରେମସମ୍ପର୍କ ଥିଲା, କୁଆଡ଼େ ସେ ବ୍ଲାକମେଲିଂ କରୁଥିବା କଥା ଚିନି କହିବା ପରେ ମୁଣ୍ଡକୁ ପିତ୍ତ ଚଢିଯାଇଥିଲା। ଆଉ ରାଗରେ ହିତାହିତ ଜ୍ଞାନ ହରାଇ ତୀର ମାଡ଼ କରି ମାରିଦେଇଥିଲା ଚିନିଙ୍କୁ। ରାତିଯାକ ତୀରବିଦ୍ଧ ଅବସ୍ଥାରେ ଛଟପଟ ହେଉଥିଲେ ସୁଦ୍ଧା ସକାଳୁ ଚିନିଙ୍କୁ ଝୁମ୍ପୁରା ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର। କିନ୍ତୁ ସେତେବେଳକୁ ଆଉ ଜୀବନରେ ନଥିଲେ ଚିନି। ଅଭିଯୁକ୍ତ ସ୍ୱାମୀ ଦଶରାକୁ ଗିରଫ କରିଛି ପୁଲିସ। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ପ୍ରେମ ପାଇଁ ଜୀବନ ଗଲା। କେଉଁଠି ସମ୍ମାନର ଦ୍ୱାହି ଦେଇ ନବ ବିବାହିତାଙ୍କୁ ମିଳିମିଶି ମାରିଦେଲେ ତ କେଉଁଠି ଚରିତ୍ର ସନ୍ଦେହରେ ପତ୍ନୀଙ୍କୁ ତୀର ମାରି ହତ୍ୟା କରିବାକୁ ପଛାଇଲାନି ସ୍ୱାମୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now