ଓ୍ୱାକଫ ଆଇନ ବିରୋଧୀ ଝଡ଼- ବଙ୍ଗରେ ହିଂସା- ତେଜିଲା ରାଜନୀତି

ଓ୍ୱାକଫ ଆଇନକୁ ରଦ୍ଦ ଦାବିରେ ପଶ୍ଚିମବଙ୍ଗରେ ହିଂସା। ମୁର୍ସିଦାବାଦରେ ବ୍ୟାପକ ହିଂସା ହୋଇଛି। ଉପଦ୍ରବୀ ବୋମମାଡ଼ କରିବା ସହ ଅନେକ ସରକାରୀ ଗାଡ଼ିକୁ ଜାଳି ଦେଇଛନ୍ତି। ଟ୍ରେନ୍ ଉପରେ ବି ଆକ୍ରମଣ କରିଛନ୍ତି। ଆନ୍ଦୋଳନକାରୀଙ୍କ ଏଭଳି ରୂପ ଦେଖି ଦୁଇଟି ଟ୍ରେନକୁ ବି ବାତିଲ୍ କରିବା ସହ ୫ଟିର ରୁଟ୍ ପରିବର୍ତ୍ତନ କରାଯାଇଥିଲା। ପୁଲିସ ଉପରେ ପଥରମାଡ଼ ହୋଇଛି। ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଲାଠିଚାର୍ଜ କରିଥିଲା। ଲୁହବୁହା ଗ୍ୟାସ ପ୍ରୟୋଗ ସହ ରବର ବୁଲେଟ ମାଡ଼ କରିଥିଲା। ପ୍ରଦର୍ଶନକାରୀଙ୍କ ସହ ଧସ୍ତାଧସ୍ତିରେ ଅନେକ ପୁଲିସ କର୍ମୀ ବି ଆହତ ହୋଇଛନ୍ତି। ମୁର୍ସିଦାବାଦର ଜଙ୍ଗିପୁରରେ ହିଂସା ପରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଉପଦ୍ରବୀଙ୍କୁ ଚିହ୍ନଟ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ଦ୍ଦେଶ ଦେଇଛନ୍ତି। ଅଲଇଣ୍ଡିଆ ପର୍ସନଲ ଲ ବୋର୍ଡ ନୂଆ ଓ୍ୱାକଫ ଆଇନ ବିରୁଦ୍ଧରେ ଓ୍ୱାକଫ ବଞ୍ଚାଅ ଅଭିଯାନ ଡାକରା ଦେଇଥିଲା। ଏହାକୁ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭରୁ କରିବାକୁ ଘୋଷଣା ହୋଇଥିଲା ସତ। କିନ୍ତୁ ଏହା ଏବେ ହିଂସାର ରୂପ ନେଇଛି। ପୁଲିସ ଗୁଳିରେ ୩ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଛି। ହିଂସା ଘଟିଥିବା ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ମୁର୍ସିଦାବାଦ ହିଂସାକୁ ନେଇ ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲଓ୍ୱାଲ ମମତା ସରକାରଙ୍କୁ ଘେରିଛନ୍ତି। ପଶ୍ଚିମବଙ୍ଗ ସରକାର ଅରାଜକତାକୁ ରୋକିବାକୁ ଅସମର୍ଥ ନା ଅନିଛୁକ ବୋଲି ପଚାରିଛନ୍ତି ପ୍ରବୀଣ। ରାଜ୍ୟ ସରକାର ହିଂସା ଭିଆଇଥିବା ଲୋକଙ୍କ ବିରୁଦ୍ଧରେ ଜଲଦି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛି ବିଜେପି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠିଲାଣି। ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜି ଏଭଳି ଗତିବିଧିକୁ ପ୍ରଶ୍ରୟ ଦେଉନାହାନ୍ତି ତ ବୋଲି ପଚାରିଛନ୍ତି ପ୍ରବୀଣ। ପଶ୍ଚିମବଙ୍ଗ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ବି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟପାଳ ସିଭି ଆନନ୍ଦ ବୋଷ ବି କହିଛନ୍ତି, ଏମିତି ଗଡ଼ବଡ଼ି ହେବ ବୋଲି ସେ ଆଗରୁ ଜାଣିଥିଲେ। ସେଥିଲାଗି ଆଗୁଆ ଏ ବାବଦରେ ଆଶଙ୍କା କରି ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ସେୟାର କରିଥିଲେ। ପ୍ରଦର୍ଶନ ଆଢୁଆଳରେ କେହି କାହାର ଜୀବନ ସହ ଖେଳିପାରିବେନି। ଲୋକଙ୍କ ସହାୟତା ପାଇଁ ହେଲ୍ପଲାଇନ ନମ୍ଲରକ ୦୩୩-୨୨୦୦୧୬୪୧ ସହ ୨୪ ଘଣ୍ଟିଆ କଣ୍ଚ୍ରୋଲ ରୁମ ଖୋଲାଯାଇଛି। କାରଣ ମୁର୍ସିଦାବାଦ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ଅଛି। ସେଥିଲାଗି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ବି ସବୁ କଥା ଅବଗତ କରାଇଛନ୍ତି ରାଜ୍ୟପାଳ ବୋଷ। ପୁଲିସ କହିଛି, ସୁତି ଓ ଶମସେରଗଞ୍ଜରେ ସ୍ଥିତି ନିୟନ୍ତ୍ରଣରେ ଅଛି। ଜାତୀୟ ରାଜପଥରେ ଯାତାୟତ ସ୍ୱାଭାବିକ ହୋଇସାରିଛି। ଗୁଜବ ଖେଳାଉଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରି ଆକ୍ସନ ଆରମ୍ଭ ହେଲାଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *