ନବ ଦାସ ହତ୍ୟାକାଣ୍ଡ ମାମଲା ସିବିଆଇ ତଦନ୍ତ ନେଇ ଝିଅ ଦିପାଲୀ ଦାସ ଦାବି କରିବା ପରେ ଜାରି ରହିଛି ରାଜନୈତିକ ବୟାନବାଜି। କିଛି ଦିନ ଧରି ନବଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏ ଭିତରେ ଆଜି ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏକ ବଡ଼ ବୟାନ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟା କଣ ହେବ, ସେନେଇ ସରକାର ଆଗକୁ ନିଷ୍ପତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ ଖୋଲୁନଥିଲେ। ଏପରିକି ତାଙ୍କ ପରିବାର ଲୋକ ମଧ୍ୟ ମୁହଁ ଖୋଲିବାକୁ ସାହାସ କରୁନଥିଲେ, ଏବେ ସେ ଭୟ ଦୁରେଇ ଯାଇଛି । ତେଣୁ ଅନେକ ତଥ୍ୟ ଧୀରେ ଧୀରେ ସାମ୍ନାକୁ ଆସିବା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ଆଉ ସେହି ସବୁ ତଥ୍ୟକୁ ହୁଏତ ଆଗାମୀ ଦିନରେ ତଦନ୍ତ ପରିସରଭୁକ୍ତ କରାଯିବ । ଜଣେ ବିଶିଷ୍ଟ ଲୋକଙ୍କ ମୃତ୍ୟୁ କାହିଁକି ହେଲା, କିଏ କଲା, ଷଡ଼ଯନ୍ତ୍ରରେ କିଏ ଭାଗୀଦାର ଥିଲେ । ଏ ସବୁ କଥା ଆଗାମୀ ଦିନରେ ନିଶ୍ଚିତ ଭାବେ ଆସିବ ବୋଲି ଆଶା ଥିବା ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି ।
କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସ କହିଛନ୍ତି, ବିଜେଡି ଏବଂ ବିଜେପି ଗୋଟିଏ ଦଳ। ନବ ଦାସଙ୍କ ମହତ ଆକାଂକ୍ଷାକୁ ଦମନ କରିବାକୁ ତାଙ୍କୁ ହତ୍ୟା କରାଯାଇଛି। ପୋଲିସ ହତ୍ୟା କରିବାର ଅର୍ଥ ସରକାର ଏହି ହତ୍ୟା କରିଛନ୍ତି। ଏହି ହତ୍ୟାକାଣ୍ଡକୁ ସଠିକ ଭାବରେ ନିରୀକ୍ଷଣ କରାଯାଉ। କିଏ ଦୋଷୀ ତାଙ୍କୁ ଦଣ୍ଡିତ କରାଯାଉ। ସେପଟେ ହତ୍ୟା ଘଟଣାରେ ପ୍ରମାଣ ନଷ୍ଟ କରାଯାଇଥିବା ପ୍ରସଙ୍ଗକୁ ଖଣ୍ଡନ କରିଛି ବିଜେଡି । ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି ଯେ , ସରକାରୀ ଦଳ ଏଭଳି କହିବା ଠିକ୍ ନୁହେଁ । ସେମାନେ ଯଦି କହୁଛନ୍ତି ପ୍ରମାଣ ନଷ୍ଟ ହୋଇଛି ବୋଲି କେଉଁ ସ୍ତର ରେ ପ୍ରମାଣ ନଷ୍ଟ ହୋଇଛି ତାହା କୁହନ୍ତୁ ବା ବିଚାରକୁ ନିଅନ୍ତୁ । ତାହା ନକରି କେବଳ ଭାଷଣବାଜି ରେ କହିବା ଠିକ୍ ହେବ ନାହିଁ । ସିବିଆଇ ତଦନ୍ତ ହେଉ, ଯିଏ ଦୋଷୀ ନିଶ୍ଚିତ ଭାବରେ ଦଣ୍ଡିତ ହେବା ଦରକାର । ଏ ଘଟଣା ରେ ବିଜେଡି ନେତା ମାନଙ୍କୁ ଆକ୍ଷେପ କରିବା ଠିକ ନୁହେଁ । ନବ ଦାସଙ୍କ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଆଶଙ୍କା କରାଯାଉଛି। ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ ବୋଲି ସଭିଁଙ୍କ ମନରେ ଆଶା ଅଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now