ନକ୍ସଲଙ୍କ ଟାର୍ଗେଟରେ ଶିକ୍ଷାଦୂତ..

ରକ୍ତମୁଖା ଲାଲବାହିନୀ। ଛତିଶଗଡ଼ର ନକ୍ସଲ ପ୍ରଭାବିତ ଅଞ୍ଚଳରେ ରକ୍ତର ହୋଲି ଖେଳୁଛନ୍ତି ନକ୍ସଲ। ଜଣକ ପରେ ଜଣେ ଶିକ୍ଷାଦୂତଙ୍କୁ ଅପହରଣ କରି ନିର୍ମମ ହତ୍ୟା କରିଚାଲିଛନ୍ତି ନକ୍ସଲ। ଗଙ୍ଗାଲୁର କ୍ଷେତ୍ରର ନେନ୍ଦ୍ରାରେ ଥିବା ଜଣେ ଶିକ୍ଷାଦୂତଙ୍କୁ ଶୁକ୍ରବାର ସଂଧ୍ୟାରେ ନିର୍ମମ ହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ମାହୋଲ ଖେଳିଯାଇଛି। ବନ୍ଦ ସ୍କୁଲ ପୁନର୍ବାର ଖୋଲିବା ପରଠୁ ନକ୍ସଲଙ୍କ କ୍ରମାଗତ ଟାର୍ଗେଟରେ ଅଛନ୍ତି ଶିକ୍ଷାଦୂତ। ସ୍କୁଲରୁ ଫେରୁଥିବା ବେଳେ ଅପହରଣ କରି ହତ୍ୟା କରୁଛନ୍ତି ନକ୍ସଲ। ଏଯାଏଁ ୯ ଜଣ ଶିକ୍ଷାଦୂତଙ୍କୁ ହତ୍ୟା କଲେଣି ମାଓବାଦୀ। ମୃତ ୯ ଶିକ୍ଷାଦୂତଙ୍କ ଭିତରୁ ବିଜାପୁର ଜିଲ୍ଲାରେ ସର୍ବାଧିକ ୫ ଜଣଙ୍କୁ ହତ୍ୟା ହେଲାଣି। ଆଉ ୪ ଜଣ ହେଉଛନ୍ତି ସୁକମା ଜିଲ୍ଲାର। ଗଲା ୩ ଦିନରେ ୨ଜଣଙ୍କୁ ହତ୍ୟା କରାଯାଇଛି। ୫୦ରୁ ଅଧିକ ଧମକ ମିଳିଲାଣି। ଶିକ୍ଷାଦୂତଙ୍କୁ ଅପହରଣ ପରେ ନିର୍ମମ ହତ୍ୟାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ପିଲାମାନେ ସ୍କୁଲ ଯିବାକୁ ଡରିଲେଣି। ଅଭିଭାବକ ବି ପିଲାଙ୍କୁ ସ୍କୁଲ ଶିକ୍ଷାରୁ ଦୂରେଇ ରଖିବାକୁ ବାଧ୍ୟ ହେଉଛନ୍ତି। ନକ୍ସଲ ଭୟରେ ବନ୍ଦ ପଡ଼ିଥିଲା ୭୬ ସ୍କୁଲ। ଏଠାରେ ପ୍ରଥମ ଥର ପୁଣି ସ୍କୁଲ ଖୋଲି ନିୟମିତ ପାଠ ପଢ଼ାହେବ ବୋଲି ନିଷ୍ପତ୍ତି ନେଇଥିଲେ ସରକାର। ଗୁଣ୍ଡାପୁର, ମୁଦବେଣ୍ଡି, ହିରମଗୁଣ୍ଡା, ମୁରକିପାଡ଼, ଡିଡ଼ପଲ୍ଲୀ ସମେତ ଅତି ସମ୍ୱେଦନଶୀଳ ଅଞ୍ଚଳରେ ଶିକ୍ଷାଦୂତ ନିଯୁକ୍ତି ଦିଆଯାଇଥିଲା। ପ୍ରାୟ ଦୁଇ ଦଶନ୍ଧି ପରେ ଏ ସବୁ ଅଞ୍ଚଳରେ ଶିକ୍ଷାର ବିକାଶ ଲାଗି ପଦକ୍ଷେପ ନିଆଯାଉଥିଲା। ସୁକମା ଓ ବିଜାପୁରରେ ପୁଣିଥରେ ଚାଲୁ ହୋଇଥିବା ସ୍କୁଲରେ ମୋଟ୍ ୪୬୪ ଶିକ୍ଷାଦୂତ ନିଯୁକ୍ତି ହୋଇଥିଲେ। ଶିକ୍ଷାଦୂତଙ୍କ ମାସିକ ଭତ୍ତା ୧୨,୫୦୦ ଟଙ୍କା ସ୍ଥିର ହୋଇଥିଲା। କିନ୍ତୁ ଏହାକୁ ହ୍ରାସ କରି ୧୦ହଜାର କରିଦିଆଯାଇଛି। ୨୦୧୮ରୁ ଆଜିଯାଏଁ ୫୫ ଶିକ୍ଷାଦୂତଙ୍କୁ ମାଓବାଦୀ ଧମକ ଦେଉଥିଲେ। ଶିକ୍ଷାଦୂତଙ୍କ ଦାବି ହେଉଛି, ହତ୍ୟା କରୁଥିବା ମାଓବାଦୀଙ୍କ ପୁନର୍ବାସ ନୀତି ବନ୍ଦ ହେଉ। ଯେଉଁ ଶିକ୍ଷାଦୂତଙ୍କୁ ମାଓବାଦୀ ହତ୍ୟା କରିଛନ୍ତି, ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ସହ ପରିବାରର ଜଣକୁ ନିଯୁକ୍ତି ମିଳୁ।ବିଏସଏଫ ଓ ସୁରକ୍ଷା କର୍ମୀ କ୍ରମାଗତ ଅପରେସନ ଜାରି ରଖିଛନ୍ତି। ଶିକ୍ଷାଦୂତଙ୍କୁ ହତ୍ୟା କରି ଲୋକଙ୍କ ଭିତରେ ଭୟସଞ୍ଚାର ସହ ଶିକ୍ଷାର ଦୀପ ଆଦିବାସୀ ଅଞ୍ଚଳରେ ନ ପହଞ୍ଚୁ ଆଉ ନିଜର କାୟା ଅତୁଟ ରହୁ ବୋଲି ନକ୍ସଲ ଚାହୁଁଥିଲା ବେଳେ ପ୍ରଶାସନ ଏହାକୁ କେମିତି ପ୍ରତିହତ କରୁଛି, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *