ନେପାଳ ହିଂସା- ସ୍ଥିତି ସମ୍ଭାଳିଲା ସେନା

ନେପାଳରେ ହିଂସା ଅଣାୟତ୍ତ ହୋଇଗଲାଣି। ସାମ୍ୱିଧାନିକ ସଂକଟ ସୀମା ପାର କରିଗଲା। ସଂସଦରୁ ନେଇ ସୁପ୍ରିମକୋର୍ଟ ଯାଏ, ରାଷ୍ଟ୍ରପତି ଭବନରୁ ନେଇ ପ୍ରଧାନମନ୍ତ୍ରୀଙ୍କ ଘର। ନିଆଁ ଲଗାଇଦେଲେ ବିକ୍ଷୋଭକାରୀ। ନେତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ, ବିମାନସେବା ବନ୍ଦ ଓ ଜେଲରୁ କଏଦୀ ଫେରାର। ଗୁଳିକାଣ୍ଡରେ ଅନେକଙ୍କ ମୃତ୍ୟୁ। ପୂର୍ବତନ ପ୍ରଧାନମନ୍ତ୍ରୀ ଝଲାନାଥ ଖନଲଙ୍କ ପତ୍ନୀ ରାଜ୍ୟଲକ୍ଷ୍ମୀ ଚିତ୍ରକାରଙ୍କୁ ଘରେ ବନ୍ଦ କରି ନିଆଁ ଲଗାଇଦେବାରୁ ମୃତ୍ୟୁ ଘଟଣା। କର୍ଫ୍ୟୁ ଲାଗିଥିବା ସତ୍ତ୍ୱେ ଭିଡ଼କୁ ସମ୍ଭାଳିପାରିଲେନି କେହି। ନେପାଳରେ ସୋସିଆଲ ମିଡିଆ ବ୍ୟାନ୍ ବିରୁଦ୍ଧରେ ଆରମ୍ଭ ଆନ୍ଦୋଳନ କେମିତି ୪୮ ଘଣ୍ଟା ଭିତରେ ବେକାବୁ ହୋଇଗଲା। ତାହା ଦେଖି ସମସ୍ତେ ତାଜୁବ୍। ୪୮ ଘଣ୍ଟା ଭିତରେ ହିଂସା, ଅରାଜକତା ଓ କ୍ଷମତାଚୌକି ପରିବର୍ତ୍ତନର ବଡ଼ ସାକ୍ଷୀ ରହିଗଲା ନେପାଳ।ନେପାଳରେ ଏମର୍ଜେନ୍ସି ଭଳି ସ୍ଥିତି ସୃଷ୍ଟି ହୋଇସାରିଛି। ଏବେ ମୋର୍ଚ୍ଚା ସମ୍ଭାଳିଛି ସେନା। ପ୍ରଦର୍ଶନ ଆଳରେ ଉପଦ୍ରବୀ ଉତ୍ପାତ କଲେଣି। ନେପାଳୀ ସେନା ଅପିଲ୍ କରିଛି, କିଛି ଅରାଜକତତ୍ତ୍ୱ ଏହି ଆନ୍ଦୋଳନ ଆଢୁଆଳରେ ସାଧାରଣ ନାଗରିକଙ୍କ ଜୀବନ ଓ ସାର୍ବଜନୀନ ସମ୍ପତ୍ତି ଉଭୟର ବ୍ୟାପକ କ୍ଷତି ଘଟାଉଛନ୍ତି। ସେଥିଲାଗି ସମସ୍ତ ନାଗରିକ ସଂଯମତା ରଖିବାକୁ ଅନୁରୋଧ ସହ ଅଧିକ ବିନାଶ ରୋକିବାକୁ ସେନାକୁ ସହଯୋଗ କରିବାକୁ ଆହ୍ୱାନ ଦେଇଛି। ଯଦି ଏଭଳି ଗତିବିଧି ରୋକିବନି। ତାହେଲେ ଅନ୍ୟ ସୁରକ୍ଷାବଳ ସହ ସ୍ଥିତି ନିୟନ୍ତ୍ରଣ ଲାଗି ଯାହା ପଦକ୍ଷେପ ନେବା କଥା ନିଆଯିବ ବୋଲି ଚେତାବନୀ ବି ଦେଇଛି ସେନା। ମଙ୍ଗଳବାର ରାତି ୧୦ଟାରୁ ଦେଶବ୍ୟାପୀ ସୁରକ୍ଷା ଅପରେସନ ଆରମ୍ଭ କରିଦେଇଛି ସେନା। କାଠମାଣ୍ଡୁ, ଲଳିତପୁର ଓ ଭକ୍ତପୁର ସହର ସମେତ ଅନେକ ଏରିଆରେ କର୍ଫ୍ୟୁ ଜାରି ରହିଛି। ଆଜି ସକାଳୁ କାଠମାଣ୍ଡୁ ରାସ୍ତାରେ ଷ୍ଟ୍ରିଟ୍‌ମାର୍ଚ୍ଚ କରିଛି ସେନା। ସ୍ଥିତି ସ୍ୱାଭାବିକ କରିବାକୁ ପ୍ରାଥମିକତା ଦିଆଯାଇଛି। ଲୋକଙ୍କ ଧନଜୀବନ ସୁରକ୍ଷାର ଗ୍ୟାରେଣ୍ଟି ନେଇଛି ସେନା। ମଙ୍ଗଳବାର ରାତିରେ ତ୍ରିଭୂବନ ବିମାନବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେଇସାରିଛି ସେନା। ବିମାନବନ୍ଦରରେ ଆନ୍ଦୋଳନକାରୀ ପଶିବାକୁ ଚେଷ୍ଟା କରିବାରୁ ବିମାନସେବା ବାଧାପ୍ରାପ୍ତ ହୋଇଥିଲା। କାଠମାଣ୍ଡୁ ଏୟାରପୋର୍ଟ ବନ୍ଦ ଲାଗି ପ୍ରାୟ ୭ଶହ ଭାରତୀୟ ଯାତ୍ରୀ ଫସିଯାଇଥିଲେ। ସଚିବାଳୟ ସିଂହଦରବାରକୁ ବି ନିଜ ନିୟନ୍ତ୍ରଣକୁ ନେଇଛି ସେନା। ପଶୁପତିନାଥ ମନ୍ଦିରର ଗେଟକୁ ବି ଭଙ୍ଗାରୁଜା ଲାଗି ଉଦ୍ୟମ ବେଳେ ସେନା ହସ୍ତକ୍ଷେପ କରି ପରିସ୍ଥିତି ସମ୍ଭାଳିନେଇଥିଲା। ଦଙ୍ଗାକାରୀଙ୍କୁ ଗିରଫଦାରି ଜାରି ରଖିଛି ସେନା। ମନ୍ତ୍ରୀମାନଙ୍କୁ ହେଲିକେପ୍ଟରରେ ରେସକ୍ୟୁ କରି ସୁରକ୍ଷିତ ସ୍ଥାନକୁ ନେଇଛି ସେନା। ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ସେନା ମୁଖ୍ୟ ଅଶୋକରାଜ ସିଗଡେଲ୍। ସେପଟେ ସାମ୍ୱିଧାନିକ ସଂକଟ ଉଗ୍ର ହୋଇଥିବାରୁ ପଦରୁ ଇସ୍ତଫା ଦେଇସାରିଥିବା ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ ଆଜି ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳକୁ ସାକ୍ଷାତ କରି ଶାନ୍ତପୂର୍ଣ୍ଣ ରିଜୋଲୁସନ ଉପରେ କଥା ହେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଆଗକୁ ଯେଭଳି ସଙ୍କଟ ଅଧିକ ଉଗ୍ର ନ ହେବ, ରକ୍ତପାତ ନ ହୁଏ। ସେଥିଲାଗି ନେପାଳୀ ସେନାଙ୍କ ଉପସ୍ଥିତିରେ ଆପୋଷ ଆଲୋଚନା ଜରିଆରେ ବିବାଦ ତୁଟାଇବାକୁ ମଙ୍ଗଳବାର ରାତିରେ ଅପିଲ୍ କରିଥିଲେ ରାମଚନ୍ଦ୍ର। ଗଣତନ୍ତ୍ରରେ ନାଗରିକଙ୍କ ଦାବି କେବଳ ଆପୋଷ ଆଲୋଚନା ଓ ବୁଝାମଣାରେ ସମ୍ଭବ ବୋଲି କହିଥିଲେ ପୌଡ଼େଲ। ନେପାଳରେ ଆନ୍ଦୋଳନ ନାଁରେ ଅରାଜକତା ବ୍ୟାପିଛି। ସେନା ସମ୍ଭାଳିଛି ମୋର୍ଚ୍ଚା। ଏ ଆନ୍ଦୋଳନର ନିଆଁ ଆଗକୁ ଥମୁଛି ନା ଭିନ୍ନ ମୋଡ଼ ନେଉଛି, ତାକୁ ଅପେକ୍ଷା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *