ଆଜି ଗୋଟିଏ ଦିନରେ ୩ ଜଣ ସରକାରୀ ଅଫିସର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସମ୍ୱଲପୁର ବାମରା ତହସିଲଦାର ଅଶ୍ୱିନୀ କୁମାର ପଣ୍ଡା, ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ, ମୟୂରଭଞ୍ଜର ପୂର୍ବତନ ପଞ୍ଜାୟତ ଅଧିକାରୀ ପୁଷ୍ପିତା ମହାକୁଡ଼ ପ୍ରମୁଖ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ଚାଷ ଜମିକୁ ଘରବାରି କିସମ ପରିବର୍ତ୍ତନ ଲାଗି ଅଶ୍ୱିନୀ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ। ମାସେ ଧରି ଅଭିଯୋଗକାରୀ ତହସିଲ ଅଫିସକୁ ଦୌଡ଼ୁଥିଲେ। କିନ୍ତୁ ୨୦ହଜାର ଟଙ୍କା ଦେଲେ ଯାଇ କନଭର୍ସନ କରିବି ବୋଲି କହିଥିଲେ ଅଶ୍ୱିନୀ। ତେବେ ଏତେ ଟଙ୍କା ଦେବାକୁ ଅସମର୍ଥ ପ୍ରକାଶ କରିବାରୁ ୧୫ହଜାର ଟଙ୍କାରେ ତୁଟାଇବାକୁ କହିଥିଲେ ତହସିଲଦାର। କିଛି ଉପାୟ ନ ପାଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ। ଆଉ ଆଜି ଅଫିସ ଡ୍ରାଇଭର ପି ପ୍ରବୀଣ କୁମାରଙ୍କ ଜରିଆରେ ଟଙ୍କା ନେଉଥିଲା ବେଳେ ଭିଜିଲାନ୍ସ କାବୁ କରିନେଇଥିଲା। ଏହି ଟ୍ରାପ୍ ପରେ ବିଭିନ୍ନ ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ। ଅଶ୍ୱିନୀ ହେଉଛନ୍ତି ୨୦୧୯ ଓଏଏସ ଟପ୍ପର। ଡିସେମ୍ୱର ୩୦, ୨୦୨୧ରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ଜୁନ୍ ୨୦୨୩ରେ ମୟୂରଭଞ୍ଜ ଜିଲ୍ଲାର ଶାମାଖୁଣ୍ଟା ତହସିଲଦାର ଭାବେ ଯୋଗ ଦେଇଥିଲେ। ଆଉ ଚଳିତବର୍ଷ ଜୁଲାଇ ପହିଲାରୁ ବାମରା ତହସିଲଦାର ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ଅଶ୍ୱିନୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସେପଟେ ନୟାଗଡ଼ ଜିଲ୍ଲା ଶ୍ରମ ଅଧିକାରୀ ଚିତ୍ତରଞ୍ଜନ ରାଉତ ଲେବରକାର୍ଡ ଇସ୍ୟୁ ପାଇଁ ୬ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି। ୨୦ ଶ୍ରମିକଙ୍କୁ ଲେବରକାର୍ଡ ଦେବାକୁ ଲାଞ୍ଚ ମାଗିଥିଲେ ଚିତ୍ତରଞ୍ଜନ। ଟଙ୍କା ପାଉନଥିବାରୁ ବର୍ଷେ ଧରି ଦୌଡ଼ାଉଥିଲେ ଶ୍ରମିକଙ୍କୁ। ଆଉ ଶେଷରେ ଚିତ୍ତଙ୍କ ଦ୍ୱାରା ହତାଶ ହୋଇ ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଗରିବ ଶ୍ରମିକଙ୍କୁ ଟଙ୍କା ମାଗି ଶୋଷଣ କରୁଥିବାର ଅଭିଯୋଗ ପାଇ ଦୀର୍ଘ ଦିନ ହେଲା ଭିଜିଲାନ୍ସ ସ୍କାନରରେ ଥିଲେ ଚିତ୍ତରଞ୍ଜନ। ଚିତ୍ତଙ୍କ ୩ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ। ମୟୂରଭଞ୍ଜରେ ପଞ୍ଚାୟତ ଅଧିକାରୀ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି। ବିଜାତୋଳା ବ୍ଲକର ଲୁହାସିଲା ପଞ୍ଚାୟତର ପୂର୍ବତନ ପିଇଓ ପୁଷ୍ପିତା ମହାକୁଡ଼ ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ଆସିଥିବା ୫.୬୮ ଲକ୍ଷ ଟଙ୍କା ହେରଫେର କରିଥିଲେ ପୁଷ୍ପିତା। ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ପୁଷ୍ପିତାଙ୍କୁ ବୁଢ଼ା ଲୋକଙ୍କ ପେନସନ ଟଙ୍କାକୁ ହେରଫେର କରିଥିବାର ପ୍ରମାଣ ପାଇ ଭିଜିଲାନ୍ସ ଚଢ଼ାଉ କରିଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now