ପହଲଗାମ ପ୍ରତିଶୋଧ- CWC ନା PWC

ପହଲଗାମ ଆତଙ୍କି ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତର ଆକ୍ସନକୁ ନେଇ ଅଙ୍ଗୁଳି ଉଠାଇଲେଣି ବିରୋଧୀ। ଆତଙ୍କି ଆକ୍ରମଣକୁ ୧୨ ଦିନ ହେଲାଣି। ଭାରତର ଆକ୍ସନ କୁଆଡ଼େ ଗଲା। ପ୍ରତି ଲୁହର ପ୍ରତିଶୋଧ ନେବାକୁ କହିଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ କେବେ। ଦେଶ ଅପେକ୍ଷା କରିଛି କହି ପଚାରିଲେଣି ବିରୋଧୀ। ଶହୀଦଙ୍କ ପରିବାର  ନ୍ୟାୟ ଲାଗି ଚାହିଁ ବସିଛନ୍ତି। ଥରେ ବି ମୋଦି କଶ୍ମୀର ଗଲେନି। ଏଭଳି ସମ୍ୱେଦନଶୀଳ ମାମଲାରେ ପାକିସ୍ତାନ ବିରୁଦ୍ଧରେ ପାଟି ନଖୋଲି ବିରୋଧୀ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି ପ୍ରଧାନମନ୍ତ୍ରୀ। ନକ୍ସଲ ଯେମିତି ଛତିଶଗଡ଼ରେ ନେତାଙ୍କ ନାଁ ପଚାରି ମାରୁଥିଲେ। ଏବେ ଆତଙ୍କବାଦୀ ଧର୍ମ ପଚାରି ମାରିଲେଣି। ଦୁଇଟି ଘଟଣାରେ ଆତଙ୍କର ପ୍ରଚାର ପାଇଁ ନୁହେଁ, ବରଂ ସାମାଜିକସ୍ତରରେ ଏହାର ଗଭୀର ପ୍ରଭାବ ପକାଇବା ଉଦ୍ଦେଶ୍ୟ ଥିଲା ବୋଲି କହିଥିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ପ୍ରଶ୍ନ ଉଠୁଛି, ପ୍ରଧାନମନ୍ତ୍ରୀ କଅଣ ପଦକ୍ଷେପ ନେଉଛନ୍ତି, ଜଣାପଡ଼ୁନି। ଭାରତର ସ୍ପଷ୍ଟ ରଣନୀତି ସାମ୍ନାକୁ ଆସିଲାନି। ସିଡବ୍ଲୁସି ବୈଠକରେ ଏଭଳି ପ୍ରଶ୍ନ ଆନ୍ଦୋଳିତ କରିଛି କଂଗ୍ରେସକୁ। ପୁରା ବିରୋଧୀ ଦଳ ସରକାରଙ୍କ ସହ ଅଛି। ଏ ସନ୍ଦେଶ ପୁରା ବିଶ୍ୱକୁ ପହଞ୍ଚିସାରିଛି। ତା ସତ୍ତ୍ୱେ ମୋଦିଙ୍କ ନୀରବତା ବ୍ୟଥିତ କରୁଛି। ସରକାର ଆଗକୁ ବଢ଼ନ୍ତୁ। ପୁରା ଦେଶ ସରକାରଙ୍କ ସହ ଅଛି। ସରକାରଙ୍କ ପକ୍ଷରୁ କୌଣସି ସୁରାକ ମିଳୁନି। ଏକତା ଓ ଅଖଣ୍ଡତା ଲାଗି କଂଗ୍ରେସ ସମର୍ପିତ ଅଛି। ୫୬ ଇଞ୍ଚର ଛାତି କାର୍ଯ୍ୟାନୁଷ୍ଠାନ ନେଇ ଦେଶକୁ ରେଜଲ୍ଟ ଦିଅନ୍ତୁ। ଏଭଳି ସଂକଟ ସମୟରେ ସରକାରଙ୍କ କ୍ଷମତାକୁ ନେଇ ସନ୍ଦେହ ଉପୁଜିଛି। ଏପରିକି ପୁଲଓ୍ୱାମା ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ଏହା କେବେ ବି ହୋଇନଥିଲା ବୋଲି କହିଥିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି। ସେପଟେ କଂଗ୍ରେସର ସିଡବ୍ଲୁସି ପ୍ରସ୍ତାବକୁ କଟାକ୍ଷ କରିଛି ବିଜେପି। ସିଡବ୍ଲୁସିକୁ ପାକିସ୍ତାନ ଓ୍ୱାର୍କିଂ କମିଟି ବା ପିଡବ୍ଲୁସି ବୋଲି କହିଛି ବିଜେପି। ସିଡବ୍ଲୁସି ରିଜୋଲୁସନରେ ଭାରତର ରଣନୀତି କଅଣ ବୋଲି ପଚାରିବା ମୁର୍ଖାମୀ। ଆତଙ୍କବାଦ ବିରୁଦ୍ଧରେ ଭାରତ କେମିତି ଲଢ଼ିବ, ସେ ରଣନୀତି ଖୁଲମଖୁଲାରେ କୁହାଯାଏ କି। ଆତଙ୍କି ଆକ୍ରମଣ ପରଠୁ ଦୈନିକ କୌଣସି ନା କୌଣସି କଂଗ୍ରେସ ନେତା ପାକିସ୍ତାନ ହକ୍ ସପକ୍ଷରେ ବୟାନ ଦେବାରେ ଲାଗିଛନ୍ତି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ର। କିଏ କହୁଛି ପାଣି ବନ୍ଦ କରନି ତ କିଏ କହୁଛି ଯୁଦ୍ଧ ଭଲ ନୁହେଁ। ପୁଣି କିଏ କହୁଛି, ଆତଙ୍କବାଦୀ କାହାର ଧର୍ମ ପଚାରି ଗୁଳି କରିନାହାନ୍ତି। ପୁଣି କିଏ କହିଲାଣି ବିଜେପି ଲାଗି ପାକିସ୍ତାନ ଶତୃ ରାଷ୍ଟ୍ର ହୋଇପାରେ, କଂଗ୍ରେସ ଲାଗି ମିତ୍ର ରାଷ୍ଟ୍ର। ପୁଲଓ୍ୱାମା ଆକ୍ରମଣ ପରେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ପୁଣି କଂଗ୍ରେସ ସେନା ଓ ବାୟୁସେନାର ମନୋବଳକୁ ତଳେ ପକାଇଛି ପହଲଗାମ ଆତଙ୍କି ଆକ୍ରମଣ ପରେ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନଠୁ ପ୍ରତିଶୋଧ ନେବାକୁ ଭାରତ ପ୍ରସ୍ତୁତ ହେଲାଣି। ପ୍ରଧାନମନ୍ତ୍ରୀ ଘନ ଘନ ବୈଠକ କରିଛନ୍ତି। କିନ୍ତୁ କେବେ ପାକିସ୍ତାନଠୁ ପ୍ରତିଶୋଧ ନେବ ଭାରତ ବୋଲି କଂଗ୍ରେସ ସିଡବ୍ଲୁସି ବୈଠକରେ ପ୍ରଶ୍ନ ପରେ ପୁଣି ବିଜେପି ଓ କଂଗ୍ରେସ ଭିତରେ ତୁତୁମେମେ ଅଧ୍ୟାୟ ଆରମ୍ଭ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *