ଫେଲରୁ ଅବସାଦ। ଆଉ ଅବସାଦରୁ ମୁକୁଳିବାକୁ ବାପା ମାଆ ଦେଖାଇଥିଲେ ବିକଳ୍ପ ବାଟ। କିନ୍ତୁ ଏ କଥା ମନ ମାନିଲାନି। ସେଥିଲାଗି ତ ନିଜ ବାପା ମାଆଙ୍କୁ ନିର୍ମମ ହତ୍ୟା କଲା ଇଞ୍ଜିନିୟରିଂ ପଢ଼ୁଆ ପୁଅ। ମହାରାଷ୍ଟ୍ର ନାଗପୁରରୁ ଆସିଛି ଏଭଳି ହତଚକିତ କଲା ଭଳି ଘଟଣା। ଇଞ୍ଜିନିୟରିଂ କରୁଥିବା ଛାତ୍ର ଜଣକ ଫିଜିକ୍ସ ପେପରରେ ବାରମ୍ୱାର ଫେଲ୍ ହେଉଥିଲା। ସେଥିଲାଗି ବାପା ମାଆ ତାକୁ ଇଞ୍ଜିନିୟରିଂ ଛାଡ଼ି ଆଇଟିଆଇ ପଢ଼ିବାକୁ ପରାମର୍ଶ ଦେଇଆସୁଥିଲେ। ଆଉ ପୁଅ ବିଲକୁଲ ଶୁଣୁନଥିବାରୁ ଅନେକ ସମୟରେ ତାଗିଦ୍ ବି କରୁଥିଲେ ଅଭିଭାବକ। ବାପା ତ ଡିସେମ୍ୱର ୨୫ରେ ରାଗି ଚାପୁଡ଼ା ବି ମାରିଥିଲେ। କିନ୍ତୁ ବିଡ଼ମ୍ୱନା। ପୁଅର ଜୀବନ ସୁଧାରିବାକୁ ଯାଇ ନିଜ ପୁଅ ହାତରେ ଜୀବନ ଚାଲିଗଲା। ଆଗ ଘରେ ନିଜର ଶିକ୍ଷୟତ୍ରୀ ମାଆ ଅରୁଣାଙ୍କୁ ଗଳା ଚିପି ହତ୍ୟା କଲା ଉତ୍କର୍ଷ। ଶବକୁ ଖଟ ତଳେ ଲୁଚାଇ ଦେଇଥିଲା। ଆଉ ଘରକୁ ବାପା ଆସିବା ଯାଏଁ ଅପେକ୍ଷା କରିଥିଲା। ଆଉ ବାପା ଘରକୁ ଆସିବା ମାତ୍ରେ ତାଙ୍କ ପଛପଟୁ ଆକ୍ରମଣ କରି ହତ୍ୟା କଲା। ମାରୁଥିଲା ବେଳେ ବି ସୈତାନପଣିଆର ସବୁ ସୀମା ଟପିଥିଲା ଉତ୍କର୍ଷ। ଆଉ କେବେ ବି ଇଞ୍ଜିନିୟରିଂ ଛାଡ଼ିବାକୁ କହିବ କି ପଚାରି ବାରମ୍ୱାର ଛୁରୀ ଭୁଷିଚାଲିଲା। ଏହା ପରେ ବାପାଙ୍କ ମୋବାଇଲ ଓ୍ୱାଲପେପରରେ ସୁଇସାଇଡ୍ ନୋଟ୍ ଲଗାଇଥିଲା। ନାଗପୁର କେମ୍ପଟି ରୋଡରେ ରହୁଥିବା ଉତ୍କର୍ଷ ଦଖୋଲେଙ୍କ ଏହି କାରନାମାକୁ ନେଇ ସମସ୍ତେ ସ୍ତବ୍ଧ। ଏହା ହେଉଛି ଡିସେମ୍ୱର ୨୬ର ଘଟଣା। ବାପା ମାଆଙ୍କୁ ମର୍ଡର କରିବ ବୋଲି ଯୋଜନା କରି ଆଗ ନିଜ ଭଉଣୀକୁ ସମ୍ପର୍କୀୟଙ୍କ ଘରକୁ ପଠାଇଦେଇଥିଲା। ୨୬ରେ ହତ୍ୟା କରିବା ପରେ ଦୁଇ ଦିନ ଧରି ଶବକୁ ଘରେ ଲୁଚାଇ ରଖିଥିଲା। ଜାନୁଆରୀ ପହିଲାରେ ଘରୁ ଦୁର୍ଗନ୍ଧ ଆସିବାରୁ ପଡ଼ୋଶୀ ଜାଣିଥିଲେ। ଏହା ପରେ ଡବଲ ମର୍ଡରକୁ ନେଇ ହଇଚଇ ଖେଳିଯାଇଥିଲା।
ପୁଅକୁ ଆକଟ କରୁଥିଲେ। ଭଲ ବାଟରେ ଯିବାକୁ ତାଗିଦ୍ କରୁଥିଲେ। ଯେଉଁ ପାଠରେ ସେ ପାରୁନି, ସେଥିରେ ଆଉ ନ ଲାଗି ବିକଳ୍ପ ପାଠ ପଢ଼ି ତା ଜୀବନ ସୁଧାରିବାକୁ ଚାହୁଁଥିଲେ କେବଳ ବାପା ମାଆ। କିନ୍ତୁ ସନ୍ତାନ ସାଜିଲା ସୈତାନ। ହତ୍ୟାକାରୀ ଉତ୍କର୍ଷର ବାପା ଲିଳାଧର କୋରାଡ଼ି ଥର୍ମାଲ ପାଓ୍ୱାର ପ୍ଲାଣ୍ଟରେ କାମ କରୁଥିଲେ। ଡିସେମ୍ୱର ୨୫ରେ ପୁଅ ଉତ୍କର୍ଷକୁ ଚାପୁଡ଼ା ମାରି ଇଞ୍ଜିନିୟରିଂ ଛାଡ଼ି ଗାଁରେ ହଳ ବୁଲାଇବାକୁ ତାଗିଦ୍ କରିଥିଲେ। ୨୬ରେ ହତ୍ୟା ପରେ ଘଟଣାକୁ ଲୁଚାଇବାକୁ ଉତ୍କର୍ଷ ପ୍ରୟାସ କରିଥିଲା। ନିଜ ଭଉଣୀ ସହ ସମ୍ପର୍କୀୟଙ୍କ ଘରକୁ ଯାଇ କହିଥିଲା ବାପା ମାଆ ୧୦ ଦିନ ପାଇଁ ମେଡିଟେସନ ପାଇଁ ବେଙ୍ଗାଲୁରୁ ଯାଇଛନ୍ତି। ନିଜ ବାପାଙ୍କ ମୋବାଇଲ ଫୋନ୍ ଅଫ୍ କରି ସାଙ୍ଗରେ ନେଇଯାଇଥିଲା। କିନ୍ତୁ ଘରକୁ ଫେରିବା ମାତ୍ରେ ମୋବାଇଲ ଅନ କରି ବେଡରୁମରେ ରଖିଦେଇଥିଲା। ପୁଲିସକୁ ଯେମିତି ଆତ୍ମହତ୍ୟା ଭଳି ଲାଗିବ, ସେ ସବୁ ପ୍ରୟାସ କରିଥିଲା। କିନ୍ତୁ ପୁଲିସର ଜେରା ପରେ ସବୁ ସତ ଓଗାଳିଥିଲା ଉତ୍କର୍ଷ। ଉତ୍କର୍ଷକୁ ପୁଲିସ ଗିରଫ କରିଛି।
ପରୀକ୍ଷାରେ କେବଳ ଫେଲ୍ ହେଉଥିଲା। କିନ୍ତୁ ଏବେ ଜୀବନ ସଂଗ୍ରାମରେ ବି ସବୁଦିନ ଲାଗି ହାରିଗଲା ଉତ୍କର୍ଷ। ତା ସହ ସମାଜରେ ଏଭଳି ତତ୍ତ୍ୱର କାମ ନକରାତ୍ମକ ଛାପ ଛାଡିଗଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now