ସେକ୍ସ ସ୍କାଣ୍ଡାଲ- ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ- ପୀଡ଼ିତାଙ୍କୁ ଦେବେ ୧୧ଲକ୍ଷ କ୍ଷତିପୂରଣ

ଫାର୍ମ ହାଉସରେ କାମ କରୁଥିବା ମହିଳା ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ। ଜେଡିଏସର ପୂର୍ବତନ ସାଂସଦ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିିତ କରିଛନ୍ତି କୋର୍ଟ। ଏହା ସହ ୧୧ ଲକ୍ଷ ଟଙ୍କା ଫାଇନ୍ ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ୧୧ଲକ୍ଷ ଟଙ୍କା ପୀଡ଼ିତାକୁ କ୍ଷତିପୂରଣ ବାବଦରେ ଦିଆଯିବ। ଶୁକ୍ରବାରରୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ଜେଡିିଏସର ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନା। ବିଚାରପତିଙ୍କ ରାୟ ଶୁଣିବା ମାତ୍ରେ କୋର୍ଟ ପରିସରରେ କାଲି କାନ୍ଦି ପକାଇଥିଲେ ପ୍ରଜ୍ୱଳ। ଜେଡିଏସର ପୂର୍ବତନ ସାଂସଦ ଅଟନ୍ତି ପ୍ରଜ୍ୱଳ। ଦୁଷ୍କର୍ମ ମାମଲାରେ ମହତ୍ତ୍ୱପୂର୍ଣ୍ଣ ପ୍ରମାଣ ଭାବେ ଶାଢ଼ୀକୁ କୋର୍ଟରେ ହାଜର କରାଯାଇଥିଲା। ଅଭିଯୋଗ ଥିଲା ଯେ, ଏହି ପୂର୍ବତନ ସାଂସଦ ୪୮ ବର୍ଷୀୟା ଘରୋଇ ସହାୟିକାଙ୍କୁ ଦୁଇ ଥର ଦୁଷ୍କର୍ମ କରିଥିଲେ। ଘଟଣାର ଭିଡ଼ିଓ ରେକର୍ଡିଂ ବି କରିଥିଲେ ପ୍ରଜ୍ୱଳ। କିନ୍ତୁ ଯେଉଁ ଶାଢ଼ୀ ପିନ୍ଧିଥିବା ବେଳେ ପ୍ରଜ୍ୱଳ ଦୁଷ୍କର୍ମ କରିଥିଲେ, ସେ ଶାଢ଼ୀକୁ ସମ୍ଭାଳି ରଖିଥିଲେ ପୀଡ଼ିତା। ଆଜି ଏହାର ସଜ୍ଜା ଶୁଣାଇଛନ୍ତି କୋର୍ଟ। ବେଙ୍ଗାଲୁରୁସ୍ଥିତ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଜଡ଼ିତ ମାମଲାର ଶୁଣାଣୀ ଲାଗି ଗଠିତ ସ୍ୱତନ୍ତ୍ର ଅଦାଲତ ରେବନ୍ନାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ରାୟ ଏତଲା ରୁଜୁ ହେବାର ୧୪ ମାସ ପରେ ଆସିଛି। ପ୍ରଜ୍ୱଳ ରେବନ୍ନାଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ମହୀଶୁରର କେଆର ନଗରର ଜଣେ ଘରୋଇ ସହାୟିକାଙ୍କ ଅଭିଯୋଗ ଆଧାରରେ ସିଆଇଡି ସାଇବରକ୍ରାଇମ୍ ଥାନାରେ ଏତଲା ରୁଜୁ ହୋଇଥିଲା। ସିଆଇଡିର ଏସଆଇଟି ଟିମ୍ ଘଟଣାର ତଦନ୍ତ କରି ପ୍ରାୟ ୨ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଯାଞ୍ଚରେ ମୋଟ୍ ୧୨୩ ସାକ୍ଷୀପ୍ରମାଣ ନେଇଥିଲା ଏସଆଇଟି। ଏହି ମାମଲାର ଶୁଣାଣୀ ଡିସେମ୍ୱର ୩୧, ୨୦୨୪ରେ ଆରମ୍ଭ ହୋଇଥିଲା। ଅଦାଲତ ୨୩ ସାକ୍ଷୀଙ୍କ ବୟାନ ନେଇଥିଲେ। ଭିଡ଼ିଓ କ୍ଲିପ୍ସର ଫରେନସିକ ରିପୋର୍ଟ ଓ ଘଟଣାସ୍ଥଳର ନିରୀକ୍ଷଣ ରିପୋର୍ଟର ବି ସମୀକ୍ଷା କରିଥିଲେ ଅଦାଲତ। ଟ୍ରାଏଲ ମାତ୍ର ୭ ମାସ ଭିତରେ ସରିଥିଲା। ଦୁଇ ପକ୍ଷର ଦଲିଲ ଶୁଣି ବିଚାରପତି ଜଷ୍ଟିସ ସନ୍ତୋଷ ଗଜାନନ ଭଟ୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରଜ୍ୱଳ ରେବନ୍ନା ଗଲା ୧୪ ମାସ ଧରି ଜେଲରେ ବନ୍ଦୀ ଥିଲେ। ମହିଳାଙ୍କ ସହ ଯୌନଶୋଷଣ ଓ ଦୁଷ୍କର୍ମ ମାମଲାରେ ଆଜି ଦଣ୍ଡବିଧାନ କରିଛନ୍ତି ଅଦାଲତ। ଏ ମାମଲା ସେତେବେଳେ ଜୋର ଧରିଥିଲା, ଯେତେବେଳେ ଅନେକ ମହିଳାଙ୍କ ସହ ଯୌନଶୋଷଣ ଓ ଦୁଷ୍କର୍ମର ଆରୋପ ଆସିଥିଲା ପ୍ରଜ୍ୱଳଙ୍କ ଉପରେ। ସୋସିଆଲ ମିଡିଆରେ ଶତାଧିକ ଆପତ୍ତିଜନକ ଭିଡିଓ ଭାଇରାଲ ହୋଇଥିଲା ଏହା ପରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ପୁଲିସ ତାଙ୍କୁ ଗିରଫ କରିଥିଲା। ୨୬ ସାକ୍ଷୀଙ୍କ ବୟାନ, ପ୍ରମାଣ ଓ ମେଡିକାଲ ରିପୋର୍ଟ ଆଧାରରେ କୋର୍ଟ ପ୍ରଜ୍ୱଳଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ପ୍ରଜ୍ୱଳ ଅନେକ ଥର ଜାମିନ୍ ଲାଗି ଆବେଦନ କରିଥିଲେ। କିନ୍ତୁ କୋର୍ଟ ସବୁଥର ଖାରଜ କରିଥିଲେ। ଯେହେତୁ ପ୍ରଜ୍ୱଳ ପ୍ରଭାବଶାଳୀ ପରିବାରରୁ ଆସିଛନ୍ତି। ସେଥିଲାଗି ମାମଲାକୁ ପ୍ରଭାବିତ କରିବାର ଆଶଙ୍କା ଥିଲା। ହାଇକୋର୍ଟରୁ ନେଇ ସୁପ୍ରିମକୋର୍ଟଙ୍କ ଯାଏ, ତାଙ୍କର ଜାମିନ ଆବେଦନ ଖାରଜ ହୋଇସାରିଛି। ଅଭିଯୋଗ ଥିଲା କି, ଏସଆଇଟି ଆଗରେ ପୀଡ଼ିତା ଯେଭଳି ହାଜର ହୋଇ ବୟାନ ରଖିପାରିବେନି। ସେଥିଲାଗି ପ୍ରଜ୍ୱଳଙ୍କ ପିତା ତଥା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ଏଚଡି ରେବନ୍ନା ଓ ତାଙ୍କ ପତ୍ନୀ ଭବାନୀ ରେବନ୍ନା କୁଆଡ଼େ ପୀଡ଼ିତାଙ୍କୁ ଅପହରଣ କରିନେଇଥିଲେ। ଏହି ଅପହରଣ  ମାମଲାର ଶୁଣାଣୀ ଜାରି ରହିଛି। ଏଚଡି ରେବନ୍ନା କହିଥିଲେ, ତାଙ୍କ ଉପରେ ଲାଗିଥିବା ଏ ଆରୋପ ରାଜନୈତିକ ଷଡ଼ଯନ୍ତ୍ର। ଏଚଡି ରେବନ୍ନାଙ୍କୁ ଏ ମାମଲାରେ ପୁଲିସ ଗିରଫ କରିଥିଲା। ପରେ ସେ ଜାମିନ ପାଇଥିଲେ। ନିର୍ବାଚନ ବେଳେ ରାହୁଲ କହିଥିଲେ, ରେବନ୍ନା ୪ଶହ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଆଉ ପ୍ରଧାନମନ୍ତ୍ରୀ ମୋଦି ଏଭଳି ଦୁଷ୍କର୍ମକାରୀଙ୍କ ସପକ୍ଷରେ ଭୋଟ୍ ମାଗୁଛନ୍ତି। ପ୍ରଜ୍ୱଳଙ୍କ ଲାଗି ଭୋଟ ମାଗୁଥିଲା ବେଳେ ତାଙ୍କ କାରନାମା ମୋଦିଙ୍କୁ ଜଣାଥିଲା। ବିଜେପି ଓ ଜେଡିଏସ ବି କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବିରୁଦ୍ଧରେ ପ୍ରତିବାଦ କରିଥିଲେ। ଶିବ କୁମାର ହିଁ ଏଭଳି ଭିଡ଼ିଓ ଲିକ୍ କରି ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବାର ଆରୋପ ଲଦିଥିଲେ। ପ୍ରଜ୍ୱଳ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବଗୌଡ଼ାଙ୍କ ନାତି। ଏଚ.ଡି.କୁମାରସ୍ୱାମୀଙ୍କ ପୁତୁରା। ଏପ୍ରିଲ ୨୬ରେ ହାସନ ଲୋକସଭା ଆସନରେ ଭୋଟିଂ ସରିବା ପରେ ପରେ ଜର୍ମାନୀ ପଳାଇଯାଇଥିଲେ ପ୍ରଜ୍ୱଳ। ସାଂସଦଙ୍କୁ ଦିଆଯାଇଥିବା ରାଜନ୍ୟାୟିକ ପାସପୋର୍ଟ ବ୍ୟବହାର କରିଥିଲେ। ତାଙ୍କ ଜେଜେ ଦେବଗୌଡ଼ା ସାର୍ବଜନୀକ ଢଙ୍ଗରେ କହିଥିଲେ, ପ୍ରଜ୍ୱଳ ଦେଶକୁ ଫେରି ଆଇନକୁ ସାମ୍ନା କରନ୍ତୁ। ଜର୍ମାନୀରୁ ଫେରିବା ମାତ୍ରେ ରେବନ୍ନାଙ୍କୁ ଏୟାରପୋର୍ଟରେ ହିଁ ଗିରଫ କରାଯାଇଥିଲା। ହାସନରେ ହଜାର ପେନଡ୍ରାଇଭରେ କଥିତ ଯୌନଶୋଷଣର ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ପେନ୍ ଡ୍ରାଇଭରେ ୨୯୬୦ କ୍ଲିପ୍ସ ଥିଲା ଓ ଅଧିକାଂଶ କ୍ଲିପ୍ସରେ ପୀଡ଼ିତାଙ୍କ ପରିଚୟ ଜଣାପଡ଼ିଥିଲା। ପ୍ରଜ୍ୱଳ ଗିରଫ ମାତ୍ରେ ଦଳର ଛବି ମଳିନ ହେଉଥିବା ଦେଖି ଜେଡିଏସ ତାଙ୍କୁ ନିଲମ୍ୱିତ କରିଥିଲା। ପ୍ରଜ୍ୱଳ ରେବନ୍ନା ହାସନରୁ ୪୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ହାରିଥିଲେ। ୧୫ ମାସର ଯାଞ୍ଚ, ୧୧୩ ସାକ୍ଷୀ, ରେପ୍‌ ଭିଡ଼ିଓ ଓ ପ୍ରମାଣସ୍ୱରୂପ ଶାଢ଼ୀ ରେବନ୍ନାଙ୍କୁ ଜେଲର ଅନ୍ଧାର କୋଠରୀକୁ ପୁଣି ଠେଲିଦେଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *