ବହୁଚର୍ଚ୍ଚିତ ସୌମ୍ୟ ଶଙ୍କର ଚକ୍ର ଓରଫ୍ ରାଜା ଚକ୍ର ମାମଲାରେ ରାଜାଙ୍କ ମୁଖ୍ୟ ସହଯୋଗୀ ସୁଶାନ୍ତ ସାମଲ ଓ ସମୀର ଜେନାଙ୍କୁ ଗିରଫ କରିଛି କ୍ରାମଇବ୍ରାଞ୍ଚ EOW। ଏହି ମାମଲାରେ ରାଜା ଚକ୍ର ଙ୍କୁ EOW ୩ ଦିନିଆ ରିମାଣ୍ଡରେ ଆଣିଥିବା ବେଳେ, ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସିର ସମ୍ପାଦକ ଉତ୍କଳ ଦାସ ଓ ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକଙ୍କୁ ମଧ୍ୟ ରିମାଣ୍ଡରେ ଆଣିଛି. ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତ ସାମଲ ଓରଫ୍ ବାବୁଲା ସାମଲ ଲୋଡ଼ିଂ ଏଜେନ୍ସିର କାର୍ଯ୍ୟାଳୟକୁ ନିଜ ଘରକୁ ହାଇଜାକ୍ କରି ସେଠାରେ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିଲେ । ସୁଶାନ୍ତ ସାମଲ ୨୦୧୦ରୁ ୧୧ ମସିହାରେ OMC ରୁ ଖଣିଜ ପଦାର୍ଥ ଚୋରି ମାମଲାରେ ଗିରଫ ହୋଇଥିଲେ । କେବଳ ଏତିକି ନୁହେଁ, ସୁଶାନ୍ତ ସାମଲ, କେନ୍ଦୁଝର ସହରର ଏକ ଟାୟାର୍ ଦୋକାନରୁ ଟାୟାର୍ ନେଇ ବିଗତ ୧୪ ବର୍ଷ ହେଲା ୭ଲକ୍ଷ ୭୯ ହଜାର ଟଙ୍କା ପୈଠ କରୁ ନଥିବା ଅଭିଯୋଗ କରିଛନ୍ତି ଟାୟାର୍ ଦୋକାନୀ । ଏଥିପାଇଁ ସେ ସୁଶାନ୍ତଙ୍କୁ ବାରମ୍ବାର ଫୋନ୍ କରିବା, ହ୍ବାଟସଆପ୍ ରେ ଚାଟ୍ କରି କହିବା ସହ, ଚିଠି ଦେବା ଆଦି ପରେ ମଧ୍ୟ ସେ ଏହି ଟଙ୍କା ପୈଠ କରି ନାହାଁନ୍ତି । ଏସମ୍ପର୍କରେ ସେ ସେତେବେଳେ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କର ଏତଲା ରଖାଯାଇ ନଥିଲା । ଏବେ, ସୁଶାନ୍ତଙ୍କୁ EOW ଗିରଫ କରିବା ପରେ, ତାଙ୍କର ଏହି ଠକେଇ ସମ୍ପର୍କରେ EOW ତଦନ୍ତ କରୁ ବୋଲି ସେ ନିବେଦନ କରିଛନ୍ତି । ଏଥିସହିତ, ରାଜା ଚକ୍ରଙ୍କ ମାମଲାରେ ଆଗକୁ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇବ ଓ ସତ୍ୟ ପଦାକୁ ଆସିବ ବୋଲି ଆଶା କରିଛନ୍ତି ସ୍ଥାନୀୟ ଲୋକେ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now