ଦୁଷ୍କର୍ମ ହତ୍ୟା ମାମଲା- ଭିଆଇପିଙ୍କ ସଂପୃକ୍ତି ଓ ରାଜନୀତି

କୁଲଦୀପ ସିଂ ସେଙ୍ଗାରକୁ ଫାଶୀ ଦିଅ। ଉନ୍ନାଓ ଦୁଷ୍କର୍ମ ମାମଲାରେ କୁଲଦୀପଙ୍କ ଆଜୀବନ କାରାଦଣ୍ଡକୁ ସସପେଣ୍ଡ କରି ସର୍ତ୍ତମୂଳକ ଜାମିନ ଦେଇଥିବାରୁ ଦିଲ୍ଲୀ ହାଇକୋର୍ଟ ବାହାରେ ଆନ୍ଦୋଳନ କରିଛନ୍ତି ମହିଳା। ପୀଡ଼ିତାଙ୍କୁ ଏ କି ନ୍ୟାୟ ବୋଲି କହି ନାରାବାଜି କରିଛି ଜନବାଦୀ ମହିଳା ସମିତି ବ୍ୟାନରରେ ମହିଳା ଗୋଷ୍ଠୀ। ଆନ୍ଦୋଳନସ୍ଥଳରେ ଉନ୍ନାଓ ପୀଡ଼ିତା ବି ପହଞ୍ଚିଥିଲେ। ତେବେ ବସ୍ ରେ ବସିରହିଥିଲେ ପୀଡ଼ିତା। ପୂର୍ବରୁ ଇଣ୍ଡିଆ ଗେଟ୍ ଆଗରେ ବି ପୀଡ଼ିତା ପ୍ରତିବାଦ କରିବାକୁ ବସିଥିଲେ। ସେଠାରୁ ପୁଲିସ ହଟାଇଦେଇଥିଲା। ହାଇକୋର୍ଟ ବାହାରୁ ୫ ମିନିଟରେ ଜାଗା ଖାଲି କରି ଚାଲିଯିବାକୁ ଚେତାବନୀ ଦେଇଥିଲା ପୁଲିସ। ବିରୋଧ କରିବାର ଅଛି ଯଦି, ଜନ୍ତରମନ୍ତର ଯାଅ। କାରଣ ହାଇକୋର୍ଟ ଆଗରେ ପ୍ରଦର୍ଶନ କରିବା ମନା ଓ ଏହା ଆଇନ-ବିରୋଧୀ। ପୀଡ଼ିତାଙ୍କ ମାଆ କହିଛନ୍ତି, ସେଙ୍ଗାରଙ୍କ ଜାମିନ ଖାରଜ ହେବା ଜରୁରୀ। ସେ ନ୍ୟାୟ ଲାଗି ସୁପ୍ରିମକୋର୍ଟ ଯିବେ। ତାଙ୍କ ସ୍ୱାମୀଙ୍କ ହତ୍ୟାକାରୀକୁ ତୁରନ୍ତ ଫାଶୀ ଦେବା କଥା। ମହିଳା ସାମାଜିକ କାର୍ଯ୍ୟକର୍ତ୍ତା ଯୋଗିତା ଭୟାନା କହିଛନ୍ତି, ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ। କଂଗ୍ରେସ କହିଛି, ଏହା ନ୍ୟାୟିକ ବ୍ୟବସ୍ଥା ପ୍ରତି ଅବିଶ୍ୱାସର ବାତାବରଣ ସୃଷ୍ଟି କରୁଛି। ଏକ ଟେକ୍ନିକାଲ ତୃଟି ଆଳରେ ହାଇକୋର୍ଟ ଯେଭଳି କୁଲଦୀପଙ୍କୁ ଜାମିନ ଦେଲେ,ଭୁଲ୍‌ ଉଦାହରଣ ତିଆରି କଲା। ପୁରା ଦେଶର ମହିଳାଙ୍କ ଆତ୍ମବିଶ୍ୱାସ ଭାଙ୍ଗିଯାଇଛି ଏଭଳି ରାୟରେ। କୁଲଦୀପ ହେଉଛନ୍ତି ବିଜେପିର ପୂର୍ବତନ ବିଧାୟକ। ଉନ୍ନାଓ ମାମଲାରେ ବିଜେପି ତାଙ୍କୁ ଦଳରୁ ବହିଷ୍କାର କରିସାରିଛି। ଏଭଳି ରାୟ ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଛିଡ଼ା କରୁଛି ବୋଲି କହିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲ ଓ ସୋନିଆଙ୍କୁ ଭେଟିଥିଲେ ପୀଡ଼ିତା। କୁଲଦୀପଙ୍କ ବିରୁଦ୍ଧରେ ଲଢ଼ିବାକୁ ରାହୁଲଙ୍କୁ ସହଯୋଗ ମାଗିବାରୁ ରାହୁଲ ସମର୍ଥନ ଦେବାକୁ କହିଛନ୍ତି। ହାଇଦ୍ରାବାଦ ମେଟ୍ରୋରେ ଯାଇ ଯୁବ କଂଗ୍ରେସ କର୍ମୀ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସ୍ୱରକୁ ଶାଣିତ କରିଛନ୍ତି। ପୋଷ୍ଟର ଧରି ରେଳ ଷ୍ଟେସନ ଓ ମେଟ୍ରୋ ଭିତରେ ସ୍ୱତନ୍ତ୍ର କ୍ୟାମ୍ପେନ କରିଛନ୍ତି। ସୁପ୍ରିମକୋର୍ଟ ନିଜ ଆଡ଼ୁ ସଂଜ୍ଞାନ ନେଇ ତୁରନ୍ତ ହାଇକୋର୍ଟର ମାମଲାକୁ ଖାରଜ କରି ପୀଡିତା ଓ ପୁରା ମହିଳା ସମାଜକୁ ନ୍ୟାୟ ଦିଅନ୍ତୁ। ସେପଟେ ମଧ୍ୟପ୍ରଦେଶର ଶିବପୁରୀରେ ଜଣେ ଦୁଷ୍କର୍ମ ପୀଡ଼ିତା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୁଇସାଇଡ୍ ନୋଟରେ ବିଜେପି ନେତାଙ୍କ ପରିବାରର ନାଁ ଉଲ୍ଲେଖ କରିଛନ୍ତି। ନିରନ୍ତର ହଇରାଣ କରାଯିବା ସହ ତାଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦିଆଯାଉଥିଲା। ଟଙ୍କା ନେଇ ମାମଲାକୁ ରଫାଦଫା କରିବାକୁ ଧମକ ଦିଆଯାଉଥିଲା। ବିଜେପି ନେତାଙ୍କ ପୁଅ ରଜତ ଶର୍ମାଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ଗଲା ଏପ୍ରିଲରେ। ପୁଲିସର ମିଲିଭଗତରେ ତାଙ୍କ ମାମଲାକୁ ଜାଣିଶୁଣି ଅହେତୁକ ବିଳମ୍ୱ କରାଯାଉଛି ବୋଲି ଆରୋପ ଲଦିଛନ୍ତି ପୀଡିତା। ପୁଲିସ କହିଛି, ମାମଲାର ତଦନ୍ତ ଚାଲିଛି। ପୀଡିତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିରୋଧୀ ଦଳ କହିଛି, ବିଜେପି ଶାସିତ ରାଜ୍ୟରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଏ କି ପ୍ରକାର ନ୍ୟାୟ। ବେଟି ବଚାଅ କେବଳ ତୁଛା ନାରାବାଜି। ପାଲଟା ଦୁଷ୍କର୍ମ ପୀଡିତାଙ୍କୁ ଟାହିଟାପରା କରାଯାଉଛି। ସେପଟେ ବହୁ ଚର୍ଚ୍ଚିତ ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେପି ସାଂସଦ ଦୁଷ୍ୟନ୍ତ କୁମାର ଗୌତମଙ୍କ ସଂପୃକ୍ତି ସାମ୍ନାକୁ ଆସିଛି। ବିଜେପିର ପୂର୍ବତନ ବିଧାୟକ ସୁରେଶ ରାଠୌରଙ୍କ ପତ୍ନୀ ତଥା ଟିଭି ଅଭିନେତ୍ରୀ ଉର୍ମିଲା ସନାଓ୍ୱର ଫେସବୁକ ଲାଇଭରେ ଆସି ଦୁଷ୍ୟନ୍ତଙ୍କ ସଂପୃକ୍ତିର ଗମ୍ଭୀର ଆରୋପ ଲଦିଛନ୍ତି। ଅଙ୍କିତାଙ୍କୁ ମର୍ଡର କରିବା ପୂର୍ବରୁ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଏହା ସହ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ଆରତି ଗୌଡ଼ଙ୍କ ନାଁ ବି ନେଇଛନ୍ତି। କାନ୍ଦି କାନ୍ଦି ଏଭଳି ଗମ୍ଭୀର ଆରୋପ ଲଦିଛନ୍ତି ଉର୍ମିଳା। ସୋସିଆଲ ମିଡିଆରେ ଏହା ଜୋର୍ ଧରିବା ପରେ ଆରତି ଦଳରୁ ଇସ୍ତଫା ଦେଇଛନ୍ତି। ଅଙ୍କିତାଙ୍କ ମାଆ କହିଛନ୍ତି, ଏବେ ସବୁ ପ୍ରମାଣ ସାମ୍ନାରେ। ତାଙ୍କ ଝିଅ ନ୍ୟାୟ ପାଇବେ ବୋଲି ତାଙ୍କ ଭିତରେ ଆଶା ଉଜ୍ଜିବୀତ ହୋଇଛି। ଏ ମାମଲାରେ ବଡ଼ ବଡ଼ ନେତା ଥିବାରୁ ତାଙ୍କ ଝିଅ ନ୍ୟାୟ ପାଇଲେନି। ଉତ୍ତରାଖଣ୍ଡ ପିସିସି ସଭାପତି ଗଣେଶ ଗୋଦିୟାଲ୍ କହିଛନ୍ତି, ଏହି ମାମଲାର ସିବିଆଇ ଯାଞ୍ଚ ହେଉ୧୦ ଦିନ ଭିତରେ ସିବିଆଇ ତଦନ୍ତ ନ ହେଲେ ଆନ୍ଦୋଳନ କରିବ କଂଗ୍ରେସ। ଗେଷ୍ଟହାଉସରେ ରିସପସନିଷ୍ଟ ଭାବେ କାମ କରୁଥିଲେ ୧୯ ବର୍ଷୀୟା ଅଙ୍କିତା। କେଉଁ ଭିଆଇପିଙ୍କୁ ଖୁସି କରିବାକୁ ମନା କରିବାକୁ ତାଙ୍କ ଜୀବନ ନେଇଗଲେ ଦୁର୍ବୃତ୍ତ। ଏହି ମାମଲାରେ ସମସ୍ତ ଅଭିଯୁକ୍ତ ଜେଲ ଯାଇସାରିଥିଲା ବେଳେ ସେ ଭିଆଇପି ବିଜେପି ନେତା ଥିଲେ ବୋଲି ଉର୍ମିଳାଙ୍କ ଦମ୍ଭୋକ୍ତି ପୁରା ଘଟଣାକୁ ଗୋଳମାଳ କଲାଣି।

ତେବେ ତାଙ୍କ ନାଁ ଭୁଲ୍ ଭାବେ ସୋସିଆଲ ମିଡିଆରେ ଚିତ୍ରଣ କରି ତାଙ୍କ ଛବିକୁ ମଳିନ କରାଯାଉଛି। ସେଥିଲାଗି ଅଡ଼ିଓ-ଭିଡ଼ିଓ ସୋସିଆଲ ମିଡିଆରୁ ହଟାଇବାକୁ ଉତ୍ତରାଖଣ୍ଡ ଗୃହ ସଚିବଙ୍କୁ ଚିଠି ଲେଖିଛନ୍ତି ଦୁଷ୍ୟନ୍ତ। ସେ ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇଆସିଛନ୍ତି। ନୈତିକ ମୂଲ୍ୟବୋଧକୁ ବୁଝିଛନ୍ତି। ତାଙ୍କ ଚରିତ୍ରକୁ ନେଇ କେବେ ବି ସଂହାର କରାଯାଇନି। କିଛି ଅସାମାଜିକ ତତ୍ତ୍ୱ ତାଙ୍କ ଛବିକୁ ମଳିନ କରିବାକୁ ଚେଷ୍ଟା କରୁଛନ୍ତି। ସବୁ ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ। ଯିଏ ଏଭଳି ଷଡ଼ଯନ୍ତ୍ର କରିଛି, ଆଇନତଃ ଆକ୍ସନ ନେବି। ଯଦି ଏମିତି କୌଣସି କଥା ପ୍ରମାଣର ସହ କେହି ଦାଖଲ କରିନ୍ତି, ସେ ରାଜନୀତିରୁ ସନ୍ୟାସ ନେଇଯିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ରମ ରାଓ୍ୱତ କହିଛନ୍ତି, ଏହା ଗମ୍ଭୀର ମାମଲା। କୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସରକାର କୌଣସି ନିଷ୍ପତ୍ତି ନେଇପାରିବେନି। ଦୁଷ୍କର୍ମ, ହତ୍ୟା ମାମଲାରେ ବିଜେପି ନେତାଙ୍କ ସଂପୃକ୍ତିକୁ ନେଇ ଗଣ୍ଠି କରିଛନ୍ତି ବିରୋଧୀ ଦଳ ଓ ସାମାଜିକ ସଂଗଠନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *