ଆର ଜି କର ମେଡିକାଲ ମାମଲାରେ ଆସିଲା ରାୟ । ଡାକ୍ତରୀ ଛାତ୍ରୀଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସଞ୍ଜୟ ରାୟ ଦୋଷୀ । ସଞ୍ଜୟକୁ ଦୋଷୀ ସାବ୍ୟସ୍ତ କଲେ ସିଆଲଦା କୋର୍ଟ । ବିଚାରପତି ଅନିର୍ବାଣ ଦାସଙ୍କ ସୋମବାର ଦଣ୍ଡ ଘୋଷଣା କରିବେ । ଅତିକମରେ ଆଜୀବନ କାରାଦଣ୍ଡ ନଚେତ ମିଳି ପାରେ ମୃତ୍ୟୁଦଣ୍ଡ । ଅଭୟା ମାମଲାରେ ପଶ୍ଚିମବଙ୍ଗର ସିଆଲଦା କୋର୍ଟ ଶୁଣାଣି କରି ସ୍ୱେଚ୍ଛାସେବୀ ପୁଲିସ ଭାବେ କାମ କରୁଥିବା ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ୨୦ ତାରିଖରେ ଦଣ୍ଡବିଧାନ ସମ୍ପର୍କରେ ସୂଚନା ଦେବେକୋର୍ଟ। ଭାରତୀୟ ନ୍ୟାୟ ସଂହିତାର ଧାରା ୬୪, ୬୬, ୧୦୩(୧) ଆଧାରରେ ଦଣ୍ଡ ଦିଆଯିବ। ଦୁଷ୍କର୍ମ, ଦୁଷ୍କର୍ମ ପରେ ହତ୍ୟା ଭଳି ଅପରାଧ ରହିଛି । ୫ ମାସ ଧରି କେସ ଚାଲିଲା । ୫୨ଜଣ ସାକ୍ଷୀଙ୍କ ସାକ୍ଷ୍ୟ ରେକର୍ଡ କରିଥିଲା ସିବିଆଇ । ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ ଓ ସାକ୍ଷୀଙ୍କ ବୟାନ ଆଧାରରେ ସଞ୍ଜୟଙ୍କୁ ଦୋଷୀ ପାଇଛନ୍ତି କୋର୍ଟ ।
୭ ଅକ୍ଟୋବର ଅଭିଯୋଗ ପତ୍ର ଦାୟର କରିବା ପରଠାରୁ ସିଆଲଦା କୋର୍ଟରେ ଏହାର ଶୁଣାଣି ଚାଲିଥିଲା । ୫ ମାସ ପରେ ରାୟ ଆସିଛି । ସିବିଆଇ ପୋଲିସ ସ୍ୱେଚ୍ଛାସେବୀ ଭାବେ କାମ କରୁଥିବା ଏବଂ ହସପିଟାଲକୁ ସହଜରେ ଯାତାୟତ କରୁଥିବା ସଞ୍ଜୟ ରାୟକୁ ଏହି ଜଘନ୍ୟ ଘଟଣାର ଅପରାଧୀ କହିଥିଲା । ଏହାରି ମଧ୍ୟରେ ଆର ଜି କର ମେଡିକାଲ କଲେଜର ପୂର୍ବ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ମେଡିକାଲ ପଞ୍ଜିକରଣ ରଦ୍ଦ ହୋଇଛି । ବ୍ୟାପକ ଦୁର୍ନୀତି କାରବାର ସହ ଜଡ଼ିତ ହୋଇଥିବାରୁ ଭିନ୍ନ ମାମଲା ଚାଲିଛି । ପ୍ରମାଣ ନଷ୍ଟ ଭଳି ଆରୋପ ପ୍ରତ୍ୟାରୋପ ମଧ୍ୟରେ କିଛି ଲୋକ ତଦନ୍ତ ପରିସରକୁ ଆସିଛନ୍ତି। କିନ୍ତୁ ତାଙ୍କ ବିରୋଧରେ ଚାର୍ଜସିଟ ଦେଇନାହିଁ ସିବିଆଇ । ତେବେ ମୂଳ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କେବଳ ଜଣଙ୍କୁ ସେସନ୍ କୋର୍ଟ ଦୋଷୀ ପାଇଛନ୍ତି ।
ସେପଟେ କିନ୍ତୁ ମୃତ ଝିଅର ବାପା ସମସ୍ତ ଦିଗକୁ ଭଲ ଭାବେ ବିଚାର କରି ନ୍ୟାୟାଳୟ ନ୍ୟାୟ ଦେବେ ଆଶା କରିଛନ୍ତି। ଡିଏନଏ ରିପୋର୍ଟରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଜାଣିବା ପରେ ୩୯ଟି ପ୍ରଶ୍ନର ଜବାବ ଦାବିରେ ହାଇକୋର୍ଟ ଯାଇଛନ୍ତି ଝିଅର ପରିବାର ଲୋକ। ଯାହାକୁ ଡାକ୍ତର ମଧ୍ୟ ସମର୍ଥନ କରିଛନ୍ତି। ଅନେକ ପ୍ରମାଣ ନଷ୍ଟ କରାଯାଇଛି ।ଅନ୍ୟ ସ୍ଥାନରେ ଘଟଣା ଘଟିଛି ପରେ ସେମିନାର ହଲକୁ ଅଣାଯାଇଛି ବୋଲି ଦାବି କରାଯାଇଛି । ଏସଓପି ଅନୁପାଳନ ହୋଇନଥିବା ଅଭିଯୋଗ ହୋଇଥିଲା । ତେଣୁ ଏବେ ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ରହିଛି । ତେବେ ଗୋଟିଏ ମାମଲା ଉଚ୍ଚ ନ୍ୟାୟାଳୟରେ ଓ ଆଉ ଗୋଟିଏ ମାମଲା ସର୍ବୋଚ୍ଚ ନ୍ୟାୟାଳୟରେ ଅଛି ଯାହା ସୁପ୍ରିମକୋର୍ଟ ସ୍ୱତଃପ୍ରବୃତ ନେଇଥିଲେ । ନିମ୍ନ ଅଦାଲତରେ ଯୁକ୍ତିର ସୁଯୋଗ ଶେଷ ହୋଇଛି । ରାୟ ଆସି ସାରିଛି,ଦଣ୍ଡବିଧାନ ବାକି ରହିଛି । ଯଦି ଏଥିରେ କୌଣସି ପକ୍ଷର ଅସହମତି ରହିବ ତେବେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ପାଇଁ ରାସ୍ତା ଖୋଲା ଅଛି ।
ଗତ ବର୍ଷ ଅଗଷ୍ଟ ୯ ତାରିଖରେ ଆରଜି କର ମେଡିକାଲ କଲେଜ ସେମିନାର ହଲରେ ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିଲା । ପରେ ହସପିଟାଲ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ , ତରବରିଆ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଆସିଥିଲା । ଘଟଣାକୁ ନେଇ ମେଡିକାଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆକ୍ରୋଶ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପର୍ଯ୍ୟନ୍ତ ନ୍ୟାୟ ଦାବିରେ ଧାରଣା ଦେଇଥିଲେ ସାଥି ଡକ୍ଟର। ସମର୍ଥନରେ ଦେଶ ତମାମରୁ ଡାକ୍ତର ସଂଘ ପକ୍ଷରୁ ପ୍ରତିବାଦ କରାଯାଇଥିଲା । ମେଡିକାଲ କ୍ୟାମ୍ପସରେ ରାତି ଡ୍ୟୁଟିରେ ସୁରକ୍ଷା କଥା ଉଠିଥିଲା । ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଥିଲା । ବିଜେପି ଓ ବାମଦଳ ପଶ୍ଚିମବଙ୍ଗରେ ମୁଖର ହୋଇ ମମତା ବାନାର୍ଜୀଙ୍କୁ କଡ଼ା ନିନ୍ଦା କରିଥିଲେ । ଦେଶ ତମାମରେ ରାଜନୀତି ତୀବ୍ର ହୋଇଥିଲା । ଶେଷରେ ଆଜି ନିମ୍ନ ଅଦାଲତରୁ ପ୍ରତିକ୍ଷୀତ ରାୟ ଆସିଛି କିନ୍ତୁ ପରିବାର ଅସଲ ନ୍ୟାୟ ଅପେକ୍ଷାରେ ଅଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now