ବଲିଉଡ୍ ଅଭିନେତା ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ଘଟଣା। ଆକ୍ରମଣ କରିଥିବା ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ। କ୍ରାଇମବ୍ରାଞ୍ଚ ଡିସିପି ଦୀକ୍ଷିତ ଗଡାମଙ୍କ କହିବା ଅନୁଯାୟୀ ଚୋରି ଉଦ୍ଦେଶ୍ୟରେ ଅଭିନେତା ସୈଫଙ୍କ ଘରେ ପ୍ରବେଶ କରିଥିଲେ ଦୁର୍ବୃତ୍ତ। ସୈଫ ରହୁଥିବା ଅପାର୍ଟମେଣ୍ଟର ମୁଖ୍ୟ ଗେଟରେ କେହି ପଶି ନଥିବା ବେଳେ ଘରର ପାହାଚ ପଟେ ପଶିଥିଲେ ବୋଲି ସିସିଟିଭି ଫୁଟେଜକୁ ଯାଞ୍ଚ କରି ପୋଲିସ କହିଛି । ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ରହିଛି। ପୋଲିସ ୧୦ଟି ଟିମ ଗଠନ କରିବା ସହ ତଦନ୍ତ ଜାରି ରଖିଛି। ସେପଟେ ସୈଫଙ୍କ ଘରେ କାମ କରୁଥିବା ମହିଳାଙ୍କ ସମେତ ୫ଜଣଙ୍କୁ ପୋଲିସ ପଚରାଉଚୁରା କରୁଥିବା ଜଣାପଡିଛି। ସୁରକ୍ଷାକର୍ମୀଙ୍କ ମୋବାଇଲ ଜବତ ସହ ଛାନଭିନ ଜାରି ରଖିଛି। ଅଜଣା ବ୍ୟକ୍ତି ଅଭିନେତାଙ୍କ ଘରେ ପଶି ଘରୋଇ ସହାୟକଙ୍କ ସହ ଯୁକ୍ତିତର୍କ କରିଥିଲେ। ଏତିକିବେଳେ ପାଟି ଶୁଣି ସୈଫ ତାଙ୍କ ରୁମରୁ ଆସି ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା ବେଳେ ଛୁରାମାଡ କରିଥିଲେ ଦୁର୍ବୃତ୍ତ। ଆକ୍ରମଣ ପରେ ସୈଫଙ୍କ ବଡ ପୁଅ ଇବ୍ରାହିମ, ସୁରକ୍ଷାକର୍ମୀ ଏବଂ ତାଙ୍କ ଡ୍ରାଇଭର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ମୁମ୍ୱାଇର ବାନ୍ଦ୍ରା ସ୍ଥିତ ଘରେ ଡକାୟତି କରିବାକୁ ଆସିଥିବା ଦୁର୍ବୃତ୍ତ ସୈଫଙ୍କୁ ୬ ଥର ଛୁରାମାଡ଼ କରିଥିଲେ। ରାତିରେ ଚୋରି ଉଦ୍ଦେଶ୍ୟରେ ଘରେ ପଶିଥିବା ଦୁର୍ବୃତ୍ତଙ୍କ ଧାରୁଆ ଅସ୍ତ୍ର ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ ସୈଫ। ଆହତ ସୈଫଙ୍କୁ ୨ଟା ୪୮ରେ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୈଫଙ୍କ ବେକ, ମୁଣ୍ଡ ଓ ପିଠିରେ ଛୁରିରେ ଆଘାତ ଲାଗିଥିବା ବେଳେ , ମେରୁଦଣ୍ଡରୁ ଛୁରୀ ବାହାର କରାଯାଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ନିୟରୋ ସର୍ଜରୀ ଓ ପ୍ଲାଷ୍ଟିକ ସର୍ଜରୀ କରାଯାଇଛି। ୨.୫ ଇଞ୍ଚର ଛୁରୀ ମେରୁଦଣ୍ଡରେ ଥିଲା। ଅନ୍ୟପଟେ ସୈଫଙ୍କ ପତ୍ନୀ କରିନା କପୁର, କରିନାଙ୍କ ବଡ଼ଭଉଣୀ କରିସ୍ମା ପ୍ରମୁଖ ଭୋର ସାଢ଼ ୪ଟାରେ ହସ୍ପିଟାଲରେ ପହଞ୍ଚିଥିଲେ। ଇନଷ୍ଟାଗ୍ରାମରେ ସୈଫଙ୍କୁ ଆକ୍ରମଣ ହୋଇଥିବା କରୀନା ପୋଷ୍ଟ କରିଥିଲେ। କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ସୈଫ ଅଲ୍ଲି ଖାନ୍। ପୁଲିସ କହିଛି, ଅଭିଯୁକ୍ତର ଏଭଳି ଆକ୍ରମଣ ପଛର ରହସ୍ୟ କଅଣ, ତାହାର ଖୁବଶୀଘ୍ର ପର୍ଦ୍ଦାଫାସ ହେବ। କରିନା ଓ ପିଲା ସୁରକ୍ଷିତ ଅଛନ୍ତି। ଆହତ ସୈଫଙ୍କୁ ହସ୍ପିଟାଲରେ ଅନେକ ବଲିଉଡ ଜଗତର ବ୍ୟକ୍ତିତ୍ୱ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୈଫଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରି କଡ଼ା ଦଣ୍ଡବିଧାନ କରାଯାଉ ବୋଲି ଦାବି କରିଛନ୍ତି। ସେପଟେ ସୈଫ ଅଲ୍ଲିଙ୍କୁ ଆକ୍ରମଣ ପରେ ଉଦ୍ଧବ ସେନାର ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ମୁମ୍ୱାଇ ପୋଲିସ ଏବଂ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ଏଭଳି ଘଟଣା ଲଗାତାର ଘଟୁଛି। କିଛି ଦିନ ତଳେ ସଲମାନ ଖାନଙ୍କ ଘରୱ ଉପରକୁ ଫାୟାରିଂ ହୋଇଥିଲା। ଯଦି ସେଲିବ୍ରିଟି ସୁରକ୍ଷିତ ନାହାନ୍ତି ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ। ସେଲିବ୍ରିଟିଙ୍କ ଘର ବି ନିରାପଦ ନୁହେଁ। ତାହେଲେ ସାଧାରଣ ଲୋକଙ୍କ ଅବସ୍ଥା କିଏ ପଚାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now