ବିଜୟଙ୍କ ବିବାଦୀୟ ବୟାନ: କୁମ୍ଭୀର କାନ୍ଦଣା ବନ୍ଦ କର- ଏସଆଇଟି ଗଠନ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦେଶ

କୁମ୍ଭୀର କାନ୍ଦଣା ବନ୍ଦ କର। ଯେଉଁ ଭଳି ସେନାକୁ ଅପମାନ କଲ, ତାହା ବରଦାସ୍ତ ଯୋଗ୍ୟ ନୁହେଁ। ପୁରା ଦେଶ ତୁମ ମନ୍ତବ୍ୟ ଲାଗି ଲଜ୍ଜିତ ହେଲା। କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କୁ ଆତଙ୍କବାଦୀଙ୍କ ଭଉଣୀ କହି ଯେଭଳି କଟାକ୍ଷ କରିଥିଲେ ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ବିଜୟ ଶାହା। ଆଉ ଚାରିଆଡୁ ସମାଲୋଚନା ପରେ କୋର୍ଟ ଚାପରେ ଯେଭଳି ଢଙ୍ଗରେ କ୍ଷମା ମାଗିଲେ, ତାକୁ ନେଇ ଆପତ୍ତି ଜାହିର କରି ଏଭଳି ଢଙ୍ଗରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ବିଜୟଙ୍କ କ୍ଷମାପ୍ରାର୍ଥନା ଆବେଦନକୁ ଖାରଜ କରିଦେଲେ ସର୍ବୋଚ୍ଚ ଅଦାଲତ। କୋର୍ଟକୁ ଆସିକି କ୍ଷମା ମାଗୁଛ। ଏଭଳି ଆଚରଣ ଗ୍ରହଣୀୟ କି ବୋଲି ପଚାରିଛନ୍ତି ସୁପ୍ରିମକୋର୍ଟ। ଲୋକେ ଚାହୁଁଥିଲେ, ଏଭଳି ବୟାନ ନେଇ ନିଜ ଆଡ଼ୁ କ୍ଷମା ମାଗିବା ଥିଲା। କିନ୍ତୁ କୋର୍ଟକୁ କଥା ଗଲା ପରେ କ୍ଷମା ମାଗିବାର ଅର୍ଥ କଅଣ। ଲୋକଙ୍କ ଭାବାବେଗକୁ କେତେଦୂର ଆଘାତ କରିଛ, ତାହା ଜାଣିପାରିଲନି କେମିତି ବୋଲି ପଚାରିଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ନିଜେ କହିଥିବା ଭିଡ଼ିଓ ଦେଖି ସାମାନ୍ୟ ଅନୁଶୋଚନା ଆସିଲାନି କେମିତି। ପବ୍ଲିକ ଫିଗର୍ ହିସାବରେ ନିଜ ବାକ୍ୟର ଓଜନ ରଖିବାର ଥିଲା।ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, ଆଇନ ତା ବାଟରେ ଯାଉ। ଏଭଳି ଘଟଣାକୁ ରାଜନୀତିକରଣ ଲାଗି ଅନୁମତି ଦିଆଯିବନି। ଏହା କହି ମଧ୍ୟପ୍ରଦେଶ ସରକାରଙ୍କୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଶାହାଙ୍କ ମନ୍ତବ୍ୟର କଣ୍ଟେଟକୁ ଚେକ୍ କରାଯିବ। ୩ ଆଇପିଏସ ଅଫିସରଙ୍କୁ ନେଇ ଏସଆଇଟି ଗଠନ କରିବାକୁ ଯାଉଛନ୍ତି ସୁପ୍ରିମକୋର୍ଟ। ଏହାର କ୍ଲୋଜ୍ ନିରୀକ୍ଷଣ କରିବା ସହ ଏହା ଶାହାଙ୍କ ଲାଗି ଏକ ଲିଟମସ୍ ଟେଷ୍ଟ ହେବ ବୋଲି କହିଛନ୍ତି ଜଷ୍ଟିସ ସୂର୍ଯ୍ୟକାନ୍ତ। ଏହି ଏସଆଇଟିରେ ୩ ବରିଷ୍ଠ ଆଇପିଏସ ରହିବେ। ଯେଉଁମାନେ ଏମପି କ୍ୟାଡରର, କିନ୍ତୁ ଏମପିର ହୋଇନଥିବେ। ୩ ଜଣଙ୍କ ଭିତରୁ ଜଣେ ମହିଳା ଆଇପିଏସ ରହିବା ଉଚିତ୍। ମଙ୍ଗଳବାର ୧୦ଟା ସୁଦ୍ଧା ଏହି ଏସଆଇଟି ଗଠନ କରିବାକୁ ଏମପିର ଡିଜିପିଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ। ଜଣେ ଆଇଜି ରାଙ୍କର ଅଫିସର ଏହାକୁ ଲିଡ୍ କରିବେ ଓ ଆଉ ଦୁଇ ସଦସ୍ୟ ଏସପି ରାଙ୍କରୁ ଉର୍ଦ୍ଧ୍ୱ ହୋଇଥିବେ।ଏତଲାର ତଦନ୍ତ ରିପୋର୍ଟ ଏସଆଇଟିକୁ ସୁନିଶ୍ଚତ କରାଯିବ। ଆବେଦନକାରୀ ବିଜୟ ଶାହା ତଦନ୍ତ ଏଜେନ୍ସିକୁ ପୁରା ସହଯୋଗ କରିବେ। ତଦନ୍ତ ନ ସରିବା ଯାଏ ବିଜୟଙ୍କ ଗିରଫଦାରି ଉପରେ ରହିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଷ୍ଟାଟସ ରିପୋର୍ଟ ଜରିଆରେ ଏସଆଇଟି ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବ। ଏହାର ପରବର୍ତ୍ତୀ ଶୁଣାଣୀ ମେ ୨୮ରେ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *