ଦିଲ୍ଲୀ ଦଙ୍ଗା ମାମାଲରେ ଉମର ଖାଲିଦଙ୍କୁ ମିଳିଲାନି ଜାମିନ୍। ଉମରଙ୍କ ସହ ସରଜିଲ୍ ଇମାମଙ୍କୁ ବି ଜାମିନ୍ ଦେବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଅନ୍ୟ ୫ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଇଥିବା ବେଳେ ଉମର ଓ ସରଜିଲଙ୍କୁ ଆସନ୍ତା ବର୍ଷେ ଯାଏ ଜାମିନ ଅପିଲ୍ କରିବା ଉପରେ ଲଗାଇଛନ୍ତି ରୋକ୍। ଅର୍ଥାତ୍ ଉମର ଓ ସରଜିଲ ବର୍ଷେ ପର୍ଯ୍ୟନ୍ତ ଏହି ମାମଲାରେ ଜାମିନ୍ ପାଇବାକୁ ଆବେଦନ କରିପାରିବେନି। ୫ ଅଭିଯୁକ୍ତଙ୍କୁ ଜାମିନ୍ ଦେବା ବେଳେ ୧୨ଟି ସର୍ତ୍ତ ଖଞ୍ଜିଛନ୍ତି ଅଦାଲତ। ଉମର ଖାଲିଦ, ସରଜିଲ ଇମାମ, ଗୁଲଫିସା ଫାତିମା, ମୀରାନ୍ ହାଇଦର, ସିଫା ଉର ରେହେମାନ, ମହମ୍ମଦ ସଲିମ୍ ଖାନ ଓ ସାଦାବ ଅହମ୍ମଦ ଦିଲ୍ଲୀ ଦଙ୍ଗା ଅଭିଯୋଗରେ ୫ ବର୍ଷ ୩ ମାସ ହେଲା ତିହାର ଜେଲରେ ଅଛନ୍ତି। ଏମାନେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ଯେଉଁଠି ୨୦୨୦ ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ମାମଲାରେ ବେଆଇନ ଗତିବିଧି ଓ ଦେଶଦ୍ରୋହ ଆଧାରରେ ଜାମିନ୍ ଦେବାକୁ ମନା କରିଥିଲେ ହାଇକୋର୍ଟ। ଉମର ଜାମିନ ପାଇଁ ତଳ ଅଦାଲତରୁ ନେଇ ସୁପ୍ରିମକୋର୍ଟ ଯାଏଁ, ୬ଥର ଆବେଦନ କରିସାରିଛନ୍ତି। ଦିଲ୍ଲୀରେ ଫେବୃଆରୀ ୨୦୨୦ରେ ହିଂସା ହୋଇଥିଲା। ଏଥିରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୫୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୭୫୦ରୁ ଅଧିକ ଏତଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟର ଜଷ୍ଟିସ ଅରବିନ୍ଦ ଓ ଜଷ୍ଟିସ ଏନବି ଅଞ୍ଜାରିଆ କହିଛନ୍ତି, ସାକ୍ଷୀ ପ୍ରମାଣ ଓ ଦସ୍ତାବିଜକୁ ଦେଖିଲେ, ଖାଲିଦ୍ ଓ ସରଜିଲଙ୍କ ସ୍ଥିତି ଅନ୍ୟ ୫ ଅଭିଯୁକ୍ତଙ୍କ ତୁଳନାରେ ଅଲଗା ଅଟେ। କଥିତ ଅପରାଧରେ ଏ ଦୁହିଁଙ୍କ ମୁଖ୍ୟ ଭୂମିକା ଥିଲା। ଏ ଦୁହିଁଙ୍କର ଜୁଡିସିଆଲ କଷ୍ଟଡି ଯଦିଓ ଲମ୍ୱା ରହିଛି। କିନ୍ତୁ ଏହା ନା ସାମ୍ୱିଧାନିକ ପ୍ରାବଧାନର ଉଲ୍ଲଂଘନ କରୁଛି ନା ସମ୍ୱନ୍ଧିତ ଆଇନରେ ଥିବା ବୈଧାନିକ ପ୍ରତିବନ୍ଧକୁ ପ୍ରଭାବହୀନ କରୁଛି। ଟ୍ରାଏଲ ପୂର୍ବରୁ ଜେଲର ସଜାକୁ ବିବେଚନା କରାଯାଇପାରିବନି। ଉମର ଖାଲିଦ ଜେଏନୟୁର ପୂର୍ବତନ ଛାତ୍ର ନେତା। ଆଉ ସରଜିଲ ଜେଏନୟୁର ପୂର୍ବତନ ଛାତ୍ର।

Naxatra News is now on Whatsapp
Join and get latest news update delivered to you via whatsapp
Join Now