ବୋହୂ ସହ ଅବୈଧ ସମ୍ପର୍କ- ପୁଅକୁ ମର୍ଡର!

ବୋହୂ ସହ ଅନୈତିକ ସମ୍ପର୍କରୁ ପୁଅକୁ ହତ୍ୟା! ପଞ୍ଜାବର ଏକ ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ଫସିଲେ ପଞ୍ଜାବର ପୂର୍ବତନ ଡିଜିପି ମହମ୍ମଦ ମୁସ୍ତଫା ଓ ତାଙ୍କ ପତ୍ନୀ ତଥା ପୂର୍ବତନ ମନ୍ତ୍ରୀ ରଜିୟା ସୁଲତାନା। ପୂର୍ବତନ ଡିଜି, ତାଙ୍କ ପତ୍ନୀ, ଝିଅ ଓ ବୋହୂ ନାଁରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ରର ମାମଲା ରୁଜୁ ହୋଇଛି। ପୁଅ ଅକିଲ ଅଖତରଙ୍କ ମୃତ୍ୟୁ ମାମଲାରେ ଏ ଘଟଣା ହଇଚଇ ଖେଳାଇଦେଇଛି। ଅକ୍ଟୋବର ୧୬ ବିଳମ୍ୱିତ ରାତିରେ ଅକିଲ ଅଖତରଙ୍କ ମୃତ୍ୟୁ ହୋଇଥିଲା। ପଞ୍ଚକୁଲାସ୍ଥିତ ଘରେ ଅକିଲଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପରିବାରବର୍ଗ ପ୍ରଥମେ ଦାବି କରିଥିଲେ ଯେ, ଔଷଧର ଓଭରଡୋଜ୍ ଲାଗି ଅକିଲଙ୍କ ମୃତ୍ୟୁ ହୋଇଛି। କିନ୍ତୁ ଅକିଲଙ୍କ ମୃତ୍ୟୁ ପରେ ଅଗଷ୍ଟ ୨୭ରେ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଅକିଲ୍ କହିଥିଲେ, ପରିବାରର କିଛି ଲୋକ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଏହି ଭିଡ଼ିଓରେ ତାଙ୍କ ବାପା ମହମ୍ମଦ ମୁସ୍ତଫା ଓ ତାଙ୍କ ପତ୍ନୀଙ୍କ ଭିତରେ ଅବୈଧ ସମ୍ପର୍କର କଥା ଉଠାଇଥିଲେ ଅକିଲ୍। ତାଙ୍କ ମାଆ ରଜିୟା ସୁଲତନା ଓ ଭଉଣୀ ନିଶାନ ଅଖତାର ତାଙ୍କୁ ମାରିବାକୁ ଷଡ଼ଯନ୍ତ୍ରରେ ସାମିଲ୍ ହୋଇ ତାଙ୍କୁ ମିଛ ମାମଲାରେ ଫସାଇବାକୁ ପ୍ରୟାସ କରୁଛନ୍ତି। ମାନସିକ ନିର୍ଯାତନା, ଜବରଦସ୍ତି ନିଶାନିବାରଣ କେନ୍ଦ୍ରକୁ ପଠାଇବା, ବ୍ୟବସାୟରୁ ଜାଣିଶୁଣି ବଞ୍ଚିତ କରିବା ଓ ଶାରୀରିକ ନିର୍ଯାତନାର ଆରୋପ ଲଦିଥିଲେ ଅକିଲ୍। ଅକିଲ ମୃତ୍ୟୁକୁ ନେଇ ପଡ଼ୋଶୀ ସମସୁଦ୍ଦିନ ପଞ୍ଚକୁଲା ସିପିଙ୍କୁ ଏ ନେଇ ଅବଗତ କରାଇବା ସହ ଏତଲା ଦେଇଛନ୍ତି। ପଞ୍ଚକୁଲା ପୁଲିସ ବି ଅଭିଯୋଗପତ୍ର ଓ ଭିଡ଼ିଓ ଆଧାରରେ ମନସାଦେବୀ ଥାନାରେ ଏତଲା ରୁଜୁ କରିଛି। ଷଡ଼ଯନ୍ତ୍ରରେ ସାମିଲ୍ ହୋଇଥିବା ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି କହିଛନ୍ତି ଡିସିପି ସୃଷ୍ଟି ଗୁପ୍ତା। ମାମଲାରେ ଫରେନସିକ୍ ଯାଞ୍ଚ ହେବ। ଆଉ ଏସିପି ରାଙ୍କର ଅଧିକାରୀଙ୍କ ନେତୃତ୍ୱରେ ଏସଆଇଟି ଗଠନ କରାଯାଇଛି। ଭିସେରା ସାମ୍ପୁଲକୁ ଅନୁଧ୍ୟାନ କରାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ। ସେପଟେ ଅକିଲଙ୍କ ୩ ମିନିଟର ଆଉ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଯେଉଁଠି ତାଙ୍କ ପରିବାରକୁ ଅକିଲ୍ କ୍ଲିନଚିଟ୍ ଦେଉଥିବାର ଭିଡ଼ିଓ ରହିଛି। ଭିଡ଼ିଓରେ ଅକିଲ୍ କହୁଛନ୍ତି, ସେ ପୂର୍ବରୁ ଯେଉଁ ଆରୋପ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ଲଗାଇଥିଲେ, ତାହା ନିରାଧାର ଥିଲା। ତାଙ୍କ ଦେହ ଖରାପ ବେଳେ ସେ ଏମିତି କହିଦେଇଥିଲେ। ତାଙ୍କ ପରିବାର ସର୍ବଦା ତାଙ୍କର ଧ୍ୟାନ ରଖୁଥିଲେ। ଭଉଣୀ ତାଙ୍କର ବହୁତ ଯତ୍ନ ନେଉଥିଲେ। ଏ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅକିଲଙ୍କ ମୃତ୍ୟୁ ପଛରେ ଅସଲ ରହସ୍ୟ କଅଣ। ତାକୁ ନେଇ ଏହି ହାଇପ୍ରୋଫାଇଲ୍ ମୃତ୍ୟୁ ଓ ଏହା ପଛରେ ଜଡ଼ିତ ହାଇପ୍ରୋଫାଇଲ ବ୍ୟକ୍ତିତ୍ୱଙ୍କ କି ଭୂମିକା ରହିଛି, ତାକୁ ସମସ୍ତଙ୍କ ନଜର। ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ କେମିତି ଓ କିଏ ଆଣୁଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *