ଧର୍ମ ପଚାରିଲେ। କଲମା ପଢ଼ାଇଲେ। ତା ପରେ ଗୁଳି କଲେ। ଜମ୍ମୁ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଏମିତି ଟାର୍ଗେଟ କରି ଗୁଳି ବର୍ଷା କରିବାରୁ 26 ଜଣଙ୍କ ମୃତ୍ୟୁ ହେବା ସହ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି। ମୃତକଙ୍କ ଭିତରେ ୨ଜଣ ବିଦେଶୀ ପର୍ଯ୍ୟଟକ ଓ ୩ ଜଣ ସ୍ଥାନୀୟବାସିନ୍ଦା ଅଛନ୍ତି। ବିଦେଶୀ ପର୍ଯ୍ୟଟକ ଦୁବାଇ ଓ ନେପାଳର ଅଟନ୍ତି। ଏହି ଆକ୍ରମଣରେ ଟିଆରଏଫ୍ ବା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଆତଙ୍କବାଦୀ ତନଜିମର ସଂପୃକ୍ତି ସ୍ପଷ୍ଟ ହୋଇଛି। ଟିଆରଏଫ୍ ଲସ୍କର-ଏ-ତୋଏବା ସହ ଜଡ଼ିତ ଆତଙ୍କି ସଂଗଠନ। ୨୦୧୯ରେ ଜମ୍ମୁ କଶ୍ମୀରରୁ ୩୭୦ ଧାରା ହଟିବା ପରେ ଟିଆରଏଫ ଗଢ଼ାଯାଇଥିଲା। ଆତଙ୍କବାଦୀ ଛଦ୍ମବେଶରେ ଆସି ପର୍ଯ୍ୟଟକଙ୍କୁ ହିନ୍ଦୁ ନା ମୁସଲମାନ ବୋଲି ପଚାରି ପରିଚୟପତ୍ର ଯାଞ୍ଚ କରିଥିଲେ। ଆଉ ହିନ୍ଦୁ ବୋଲି ଜାଣିବା ମାତ୍ରେ ଗୁଳି କରିଥିବା କଥା ସମ୍ପର୍କୀୟମାନେ କହିଛନ୍ତି। ମଙ୍ଗଳବାର ଦ୍ୱିପ୍ରହରରେ ଅନନ୍ତନାଗ ଜିଲ୍ଲା ବୈସରନ ଘାଟିର ଉପର ଅଞ୍ଚଳରେ ପର୍ଯ୍ୟଟକ ଘୋଡ଼ା ସବାରି କରୁଥିଲା ବେଳେ ଏଭଳି ଆକ୍ରମଣର ଶୀକାର ହୋଇଥିଲେ। ମୃତକଙ୍କ ଭିତରେ ୟୁପି, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡ଼ୁ ଓ ଓଡ଼ିଶାର ପର୍ଯ୍ୟଟକ ଅଛନ୍ତି। ଏହା ପରେ ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲେ। ଆତଙ୍କିଙ୍କୁ କଡ଼ା ଜବାବ ଦେବାକୁ ଆରମ୍ଭ ହୋଇଥିଲା ବଡ଼ ଅପରେସନ। ଏଭଳି ଆତଙ୍କି ଆକ୍ରମଣ ସାରା ବିଶ୍ୱକୁ ଦୋହଲାଇଦେଇଛି। ସାଉଦି ଆରବ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଗସ୍ତ କାଣ୍ଟଛାଣ୍ଟ କରି ଭାରତ ଫେରିଆସିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ହିଁ ପହଲଗାମ ଆତଙ୍କି ଆକ୍ରମଣ ଉପରେ ବୈଠକ କରିଥିଲେ ମୋଦି। ଏହାର କିଛି ସମୟ ପରେ ସୁରକ୍ଷା ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକ ବି ଡାକିଥିଲେ ମୋଦି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ପୂର୍ବରୁ ଜରୁରୀକାଳୀନ ସୁରକ୍ଷା ବୈଠକ କରିଥିଲେ। ଆତଙ୍କିକୁ ନିସ୍ତାର ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଅମିତ ଶାହା ଶ୍ରୀନଗରରେ ପହଞ୍ଚି ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ସହ ବୈଠକ କରିଥିଲେ। ଏଭଳି ମୁହୂର୍ତ୍ତରେ କଂଗ୍ରେସ ସରକାରଙ୍କ ସହ ମଝଭୁତିର ସହ ଛିଡ଼ାହୋଇଛି ବୋଲି କହିଛି। ଜମ୍ମୁକଶ୍ମୀରରେ ଫେବୃଆରୀ ୧୪, ୨୦୧୯ରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ପରେ ଏହା ସବୁଠୁ ବଡ଼ ଆକ୍ରମଣ ଥିଲା। ପୁଲଓ୍ୱାମାରେ ଆତଙ୍କି ଆକ୍ରମଣରେ ୪୦ ସିଆରପିଏଫ ଜବାନ ଶହୀଦ ହୋଇଥିଲେ। ଏଥିଲାଗି ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା। ମିନି ସ୍ୱିଜରଲ୍ୟାଣ୍ଡ କୁହାଯାଉଥିବା ଏଭଳି ପର୍ଯ୍ୟଟନସ୍ଥଳୀରେ ଆତଙ୍କବାଦି ଖେଳିଲେ ରକ୍ତର ହୋଲି। ପୁଲିସ ବର୍ଦ୍ଦିରେ ଥାଇ ମୁହଁରେ ମାସ୍କ ଲଗାଇ ଏଭଳି କରିଥିଲେ ଆତଙ୍କବାଦୀ। କେବଳ ପୁରୁଷ ପର୍ଯ୍ୟଟକଙ୍କୁ କଲମା ପଢିବାକୁ ବାଧ୍ୟ କରିଥିଲେ। ଯିଏ ପଢ଼ିପାରୁନଥିଲା, ଗୁଳି କରିଥିଲେ। ଏତିକିବେଳେ ଜଣେ ଘୋଡ଼ାଚାଳକ ସୟେଦ ହୁସେନ ଶାହାଙ୍କ ବୀରତାକୁ ନେଇ ସବୁଠି ପ୍ରଶଂସାର ସୁଅ। ଆତଙ୍କିଙ୍କ ଏଭଳି କାରନାମାକୁ ଦେଖି ବରଦାସ୍ତ କରିନପାରି ଆତଙ୍କବାଦୀଙ୍କଠୁ ରାଇଫଲ ଛଡ଼ାଇବାକୁ ଉଦ୍ୟମ କରିଥିଲେ ସୟେଦ। ପର୍ଯ୍ୟଟକମାନେ କଶ୍ମୀରର ଅତିଥି। ସେମାନଙ୍କୁ ମାରନି ବୋଲି ଯେତେ କହିଲେ ବି ଆତଙ୍କି ଶୁଣିନଥିଲେ। ଆଉ ଶେଷରେ ସୟେଦଙ୍କୁ ବି ଗୁଳି କରି ମାରିଦେଲେ ଆତଙ୍କବାଦୀ। ନିରୀହ ପର୍ଯ୍ୟଟକଙ୍କୁ ଏଭଳି ନିର୍ମମ ହତ୍ୟାକାଣ୍ଡ ସାରା ଦୁନିଆକୁ ହଲାଇଦେଇଛି। ଆତଙ୍କବାଦୀଙ୍କୁ ନିପାତ କରିବାକୁ ଯାହା ସହଯୋଗ ଦରକାର, ତାହା ଭାରତକୁ ଦିଆଯିବ ବୋଲି କଥା ଦେଇଛନ୍ତି ଅନେକ ରାଷ୍ଟ୍ର।


Naxatra News is now on Whatsapp
Join and get latest news update delivered to you via whatsapp
Join Now